ମୁମ୍ବାଇ: ଏସିଆ କପ୍‌ରେ ୱିକେଟ୍‌ରକ୍ଷକ ବ୍ୟାଟର୍ ସଞ୍ଜୁ ସାମ୍‌ସନ୍‌ଙ୍କୁ ନିୟମିତ ସୁଯୋଗ ଦେବାକୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ ପରାମର୍ଶ ଦେଇଛନ୍ତି। ଏପରିକି ତିଳକ ବର୍ମାଙ୍କ ସ୍ଥାନରେ ସାମ୍‌ସନ୍‌ଙ୍କୁ ବ୍ୟାଟିଂ ପାଇଁ ପଠାଇବାକୁ ପରାମର୍ଶ ଦେଇଛନ୍ତି। ସାମ୍‌ସନ୍‌ ଭାରତୀୟ କ୍ରିକେଟ୍ ଦଳର ସବୁଠାରୁ ଅନୁଭବୀ ‌ଖେଳାଳି। ଆଫଗାନିସ୍ତାନର ତାରକା ସ୍ପିନର ରସିଦ ଖାନ୍‌ଙ୍କ ଭଳି ବିଶ୍ବସ୍ତରୀୟ ବୋଲରଙ୍କ ବିରୋଧରେ ସେ ସବୁବେଳେ ଭଲ ପ୍ରଦର୍ଶନ କରିଛନ୍ତି। 

Advertisment

ଅଭିଷେକ ଶର୍ମାଙ୍କ ସହ ଓପନିଂ କରି ୩୦ ବର୍ଷୀୟ ସାମ୍‌ସନ୍ ମଧ୍ୟ ଗତବର୍ଷ ବାଂଲାଦେଶ ବିପକ୍ଷରେ ଗୋଟିଏ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଶତକ ହାସଲ କରିଥିଲେ। ତେବେ ଯୁବ ତାରକା ତିଳକଙ୍କୁ ଦଳରୁ ବାଦ୍ ଦେବା କିନ୍ତୁ ସହଜ ହେବନି। ୩ ନମ୍ବର ସ୍ଥାନରେ ଖେଳି ସେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ଶତକ ହାସଲ କରିସାରିଛନ୍ତି। ଅନେକ ମ୍ୟାଚ୍‌ରେ ବି ସେ ଏହି ସ୍ଥାନରେ ବ୍ୟାଟିଂ କରି ଭାରତକୁ ବିଜୟୀ କରାଇ ସାରିଛନ୍ତି। ପୁଣି ଶୁବମନ୍ ଗିଲ୍ ଉପଅଧିନାୟକ ହେବା ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ ପାଇଁ ସୁଖଦ ମୁଣ୍ଡବ୍ୟଥା ହେବାକୁ ଯାଉଛି। କାହାକୁ ଚୂଡ଼ାନ୍ତ ଏକାଦଶରେ ନେବେ, କାହାକୁ ନନେବେ ସେ ଦ୍ବନ୍ଦ୍ବ ନିଶ୍ଚୟ ଉଭୟଙ୍କ ମନରେ ସୃଷ୍ଟି ହେବ। ସୂଚନାଯୋଗ୍ୟ ଯେ ଭାରତ ତା’ର ଅଭିଯାନ ଚଳିତ ସେପ୍ଟେମ୍ବର ୧୦ ତାରିଖରେ ୟୁଏଇ ବିପକ୍ଷରୁ ଆରମ୍ଭ କରିବ।