ବାରବାଟୀ ଇତିହାସର ଅନ୍ୟତମ ସାକ୍ଷୀ କୈଳାସ ଚନ୍ଦ୍ର ଦାସଙ୍କ ପରଲୋକ

କଟକ: ବାରବାଟୀ ଷ୍ଟାଡିୟମର ପ୍ରତିଷ୍ଠା ସହ ଜଡ଼ିତ ତଥା ଏହି ବିଶ୍ବପ୍ରସିଦ୍ଧ ଷ୍ଟାଡିୟମର ଇତିହାସକାର କୈଳାସ ଚନ୍ଦ୍ର ଦାସଙ୍କର ଶୁକ୍ରବାର ପରଲୋକ ଘଟିଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବାବେଳେ ଘରେ ରହି ଚିକିତ୍ସିତ ହେଉଥିଲେ। ତେବେ ଶୁକ୍ରବାର ସକାଳେ ବାରବାଟୀ ଷ୍ଟାଡିୟମସ୍ଥିତ କ୍ବାର୍ଟରରେ ହିଁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ପୁଅ, ଝିଅ, ଜ୍ବାଇଁଙ୍କ ସହିତ ଅନ୍ୟାନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ। ସତୀଚୌରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ପୁଅ ସୌମେନ୍ଦ୍ର ଦାସ ମୁଖାଗ୍ନି ଦେଇଛନ୍ତି।

ସ୍ବର୍ଗତ ଦାସ ୧୯୩୦ ମସିହାରେ କୋଣାର୍କର ମାହାଳପଡ଼ାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସମୟରେ ସେ ଇତିହାସ ବିଷୟ ରଖି ବିଏ ପାସ୍‌ କରିଥିବାରୁ ସାରା ରାଜ୍ୟରେ ପରିଚିତ ଥିଲେ। ବାରବାଟୀ ରାଫେଲ ଲଟେରି କାର୍ଯ୍ୟ ଚାଲିଥିବା ବେଳେ ସ୍ବର୍ଗତ ଭୈରବ ଚନ୍ଦ୍ର ମହାନ୍ତି ତାଙ୍କୁ ନିଯୁକ୍ତି ଦେଇଥିଲେ। ଅନ୍ୟ ଯୁବ କର୍ମଚାରୀଙ୍କ ଅପେକ୍ଷା ସେ ଭୈରବ ମହାନ୍ତିଙ୍କ ଅଧିକ ନିକଟତର ହୋଇପାରିଥିଲେ। ଯାହାଫଳରେ ଷ୍ଟାଡିୟମର ଇଟା, ବାଲି ସହ ସେ ପରିଚିତ ଥିବା କୁହାଯାଉଛି। ଏଥିଯୋଗୁଁ ଷ୍ଟାଡିୟମ ସହ ଜଡ଼ିତ ଥିବା ଛୋଟ, ବଡ଼ ଇତିହାସ ଘଟଣା ସହ ସେ ଟିକିନିକି ପରିଚିତ ଥିବାରୁ ଏହାକୁ ସେ ଲିଖିତ ଆକାରରେ ସାଇତି ରଖିବା ପାଇଁ ‘ସାଗା ଅଫ ବାରବାଟୀ ଷ୍ଟାଡିୟମ’ ନାମକ ପୁସ୍ତକ ଲେଖିଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ଏହି ବହିକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉନ୍ମୋଚନ କରିଥିଲେ। ଏହି ବହିରେ ୧୭ଟି ଅଧ୍ୟାୟକୁ ୩୩୦ ପୃଷ୍ଠାରେ ବାରବାଟୀ ଇତିହାସକୁ ସେ ଲିପିବଦ୍ଧ କରିଛନ୍ତି। ଯାହାକି ଅନେକ ପାଠକଙ୍କ ମହଲରେ ବେଶ୍‌ ଆଦୃତ ହୋଇଥିଲା ଓ ଗବେଷକଙ୍କ ପାଇଁ ମଧ୍ୟ ଏକ ଉପାଦେୟ ପୁସ୍ତକ ଭାବେ ସାବ୍ୟସ୍ତ ହୋଇଛି। ସ୍ବର୍ଗତ ଦାସ ୧୯୫୬ ମସିହାରୁ ଷ୍ଟାଡିୟମ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହିଥିଲେ। ଜାତୀୟ କ୍ରୀଡ଼ାଠୁ ଆରମ୍ଭ କରି ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ, ସବୁଥିରେ ସ୍ବର୍ଗତ ଦାସ ହିଁ ଏକାକି କାର୍ଯ୍ୟାଳୟର କାଗଜପତ୍ରଠୁ ଆରମ୍ଭ କରି ଖେଳାଳିମାନଙ୍କ ସୁବିଧା ଅସୁବିଧା ବୁଝିପାରୁଥିଲେ।

ଭୈରବଙ୍କ ଭଳି ବାରବାଟୀକୁ ଭଲ ପାଉଥିଲେ କୈଳାସ ଦାସଙ୍କ ମୃତ୍ୟୁ ପରେ ବାରବାଟୀ ଷ୍ଟାଡିୟମର ଆତ୍ମା ମରିଯାଇଛି। ସେ ତାଙ୍କର ଶେଷ ନିଶ୍ବାସ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମର ଉନ୍ନତି ପାଇଁ କାର୍ଯ୍ୟ କରିଚାଲିଥିଲେ। ଭୈରବ ମହାନ୍ତିଙ୍କ ପରେ ସ୍ବର୍ଗତ ଦାସ ନିଜର ଆତ୍ମାଠୁ ବଳି ବାରବାଟୀକୁ ଭଲପାଇ ଆସୁଥିଲେ। ତାଙ୍କ ଭଳି ନିଷ୍ଠାପର ବ୍ୟକ୍ତି ଅଦ୍ବିତୀୟ ଏବ˚ ସେଭଳି ବ୍ୟକ୍ତିଙ୍କର ତୁଳନା ନାହିଁ ବୋଲି ଭୈରବ ମହାନ୍ତିଙ୍କ ପୁଅ ତଥା ତାଙ୍କ ପରିବାର ସହ ପ୍ରତ୍ୟେକ୍ଷ ଭାବେ ଜଡ଼ିତ ଥିବା ପ୍ରଫେସର ଖାରବେଳ ମହାନ୍ତି କହିଛନ୍ତି। ସେହିପରି କୈଳାସ ଦାସଙ୍କ ବିୟୋଗ ରାଜ୍ୟ କ୍ରୀଡ଼ା ଇତିହାସରେ ଏକ ଅପୁରଣୀୟ କ୍ଷତି ବୋଲି ଓଡ଼ିଶା ଫୁଟ୍‌ବଲ ସ˚ଘର ସମ୍ପାଦକ ଆଶୀର୍ବାଦ ବେହେରା ଶୋକବାର୍ତ୍ତାରେ କହିଛନ୍ତି। ଓଡ଼ିଶା ଅଲିମ୍ପିକ ସ˚ଘର ଭାରପ୍ରାପ୍ତ ସମ୍ପାଦକ ଅଭିଜିତ ପାଲ୍‌, କୋଷାଧ୍ୟକ୍ଷ ଅଧୀପ ଦାସ ଏବ˚ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସ୍ବର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର