କଳାହାଣ୍ଡି କପ୍‌ ସୁପରଲିଗ୍‌: କଟକ ଓ ଭୁବନେଶ୍ୱର ବିଜୟୀ

ଅବିନାଶଙ୍କ ଶତକ; ସାନୁଜିତଙ୍କୁ ୭ ଓ୍ଵିକେଟ୍‌

କଟକ: କଳାହାଣ୍ଡି କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସୁପରଲିଗ୍‌ ପର୍ଯ୍ୟାୟ ଶନିବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଦୁଇ କଟକ ଓ ଭୁବନେଶ୍ୱର ଦଳ ବିଜୟୀ ହୋଇଛନ୍ତି। କଟକ-ବି ଦଳର ଅବିନାଶ ନାୟକ (୧୨୦)ଙ୍କ ଶତକ ଓ କଟକ-ବି ଦଳର ସାନୁଜିତ ସାମଲଙ୍କ ୭ ଓ୍ଵିକେଟ୍‌ ଦଖଲ ଉଲ୍ଲେଖନୀୟ ପ୍ରଦର୍ଶନ ଥିଲା। ସେହିପରି କଟକ-ଏ ଦଳର ଶୁଭମ୍‌ ନାୟକ ମଧ୍ୟ ୬ ଓ୍ଵିକେଟ ଅକ୍ତିଆର କରି ଦଳକୁ ଜିତାଇବାରେ ଅନ୍ୟତମ ଭୂମିକା ନେଇଥିଲେ।

ଏସ୍‌ସିବି ମେଡିକାଲ୍‌ ପଡ଼ିଆରେ କଟକ-ବି ୭୫ ରନ୍‌ରେ ଝାରସୁଗୁଡ଼ାକୁ ପରାସ୍ତ କରିଛି। ଅବିନାଶ ନାୟକଙ୍କ ୧୨୦, ଅଧିନାୟକ ବିଭୂଦତ୍ତ ପଣ୍ଡାଙ୍କ ୬୯ ରନ୍‌ ସହାୟତାରେ କଟକ ୪୪ ଓଭରରେ ୨୬୦ ରନ୍‌ କରିଥିଲା। ଜବାବରେ ଝାରସୁଗୁଡ଼ା ୯ ଓ୍ଵିକେଟ ବିନିମୟରେ ୧୮୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବିଜୟୀ ଦଳର ସାନୁଜିତ ସାମଲ ୭ ଓ୍ଵିକେଟ୍‌ ଦଖଲ କରିଥିଲେ।
ନିମପୁର ପଡ଼ିଆରେ ଭୁବନେଶ୍ୱର-ବି ୫ ଓ୍ଵିକେଟ୍‌ରେ ଇକୋର୍ସାକୁ ହରାଇଛି। ଗିରିଜା ରାଉତଙ୍କ ୫୭ ରନ୍‌ ବଳରେ ଇକୋର୍ସା ୧୮୨ ରନ୍‌ କରିଥିଲା। ଭୁବନେଶ୍ୱରର ଟୁକୁନା ସାହୁ ୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ୧୮୩ ରନ୍‌ର ଲକ୍ଷ୍ୟକୁ ଭୁବନେଶ୍ୱର ୪୬.୩ ଓଭରେ ୫ ଓ୍ଵିକେଟ୍‌ ବିନିମୟରେ ହାସଲ କରିନେଇଥିଲା। ବିଶ୍ୱଜିତ ଭୂୟାଁ ଅପରାଜିତ ୮୮ ରନ୍‌ କରିଥିଲେ। ଡ୍ରିମ୍ସ ପଡ଼ିଆରେ ଭୁବନେଶ୍ୱର-ଏ ୭ ଓ୍ଵିକେଟ୍‌ରେ ବରଗଡ଼କୁ ପରାସ୍ତ କରିଛି। ବରଗଡ଼ ମାତ୍ର ୯୪ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ଭୁବନେଶ୍ୱରର ଆଶିଷ ପ୍ରଧାନ, ବସନ୍ତ ମହାନ୍ତି ଓ ମନୋଜ ବାରିକ ତିନିଟି ଲେଖାଏଁ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଜବାବରେ ସହଜ ଲକ୍ଷ୍ୟକୁ ଭୁବନେଶ୍ୱର ୧୯.୪ ଓଭରରେ ହାସଲ କରିଥିଲା। ସନ୍ଦୀପ ପଟ୍ଟନାୟକ ୪୦ ରନ୍‌ର ପାଳି ଖେଳି ଦଳକୁ ଜିତାଇଥିଲେ। ରେଭେନ୍ସା ପଡ଼ିଆରେ କଟକ-ଏ ୧୯୯ ରନ୍‌ରେ ଭଦ୍ରକକୁ ପରାସ୍ତ କରିଛି। ରାଜେଶ ଧୂପରଙ୍କ ୮୯, ଅଭିଷେକ ରାଉତଙ୍କ ୫୦ ଓ ଜ୍ଞାନଜ୍ୟୋତି ରାଏଙ୍କ ୮୨ ରନ୍‌ ସହାୟତାରେ କଟକ ୩୩୦ ରନ୍‌ କରିଥିଲା। ତେବେ ନିମୟିତ ଅନ୍ତରାଳରେ ଓ୍ଵିକେଟ୍‌ ହରାଇ ଭଦ୍ରକ ୧୩୧ ରନ୍‌ କରିପାରିଥିଲା। ଶୁଭମ୍‌ ନାୟକ ୬ ଓ୍ଵିକେଟ ନେଇ ଭଦ୍ରକ ବ୍ୟାଟିଂକ୍ରମକୁ ଭାଙ୍ଗିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର