କଳାହାଣ୍ଡି କପ୍‌: ଦେବଗଡ଼, ବରଗଡ଼ର ବଡ଼ ବିଜୟ

ପ୍ରିୟବ୍ରତ, ଅମିତଙ୍କ ଶତକ; ରାହୁଲ, ସ୍ବାଗତ, ପ୍ରଦୀପ, ନିରଂଜନ, ଅବଦୁଲଙ୍କୁ ୫ ଲେଖାଏଁ ୱିକେଟ୍‌

ଭୁବନେଶ୍ବର/କଟକ : କଟକ ଓ ଭୁବନେଶ୍ବରର ବିଭିନ୍ନ ପଡ଼ିଆରେ ଚାଲିଥିବା କଳାହାଣ୍ଡି କପ୍‌ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାରେ ଶୁକ୍ରବାର ସମ୍ବଲପୁର, ଅନୁଗୁଳ, କୋରାପୁଟ, ସୋନପୁର କଷ୍ଟସାଧ୍ୟ ବିଜୟ ହାସଲ କରିଥିବା ବେଳେ ବରଗଡ଼ ଓ ଦେବଗଡ଼ ବୃହତ ବିଜୟ ହାସଲ କରିଛନ୍ତି। ସନସାଇନ୍ ପଡ଼ିଆରେ ବରଗଡ଼ ୭ ୱିକେଟ୍‌ରେ ନବରଙ୍ଗପୁରକୁ ହରାଇଥିଲା। ଅଂଶୁମା ତ୍ରିପାଠୀଙ୍କ ୯୪ ରନ୍ ଓ ମୀର୍ଜା ଟି ବେଗ୍‌ଙ୍କ ୫୧ ରନ୍‌ ବଳରେ ନବରଙ୍ଗପୁର ୨୦୫ ରନ୍‌ କରିଥିଲା। ପ୍ରତିପକ୍ଷର ରାହୁଲ ଚୌଧୁରୀ ୫ ୱିକେଟ୍ ନେଇଥିଲେ। ଜବାବରେ ଦେବେନ୍ଦ୍ର ଏସ୍ (୯୧) ଓ ସୁମିତ କୁମାର ରାୟ (୫୨) ବରଗଡ଼କୁ ୩୪.୧ ଓଭରରେ ୩ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ଦେଇଥିଲେ। ଡ୍ରିମ୍ସ ପଡ଼ିଆରେ ଦେବଗଡ଼ ୧୫୧ ରନ୍‌ରେ କଳାହାଣ୍ଡିକୁ ପରାସ୍ତ କରିଛି।

ପି ପ୍ରିୟବ୍ରତଙ୍କ ଶତକ (୧୨୩), ସୁନିଲ ନାଏକ (୬୬), ଆଶିଷ ପରିଜା (୫୩)ଙ୍କ ଅର୍ଦ୍ଧଶତକ ବଳରେ ଦେବଗଡ଼ ୫୦ ଓଭରରେ ୭ ୱିକେଟ୍ ହରାଇ ୩୨୦ ରନ୍ କରିଥିଲା। ଜବାବରେ ସ୍ବାଗତ ରାଉତରାୟ (୮.୧-୨-୩୧-୫)ଙ୍କୁ ଖେଳିନପାରି କଳାହାଣ୍ଡି ୪୨.୧ ଓଭରରେ ୧୬୯ ରନ୍‌ କରିଥିଲା। ରେଭେନସା ଗ୍ରାଉଣ୍ଡ୍‌ରେ ସମ୍ବଲପୁର ୫ ୱିକେଟ୍‌ରେ ବୌଦ୍ଧକୁ ପରାସ୍ତ କରିଥିଲା। ସମ୍ବଲପୁର ପାଇଁ ଅମିତ ସୁନା (୧୧୪) ଓ ପ୍ରଦୀପ କୁମାର ପ୍ରଧାନ (୧୦-୧-୪୭-୫) ବିଜୟର କର୍ଣ୍ଣଧାର ସାଜିଥିଲେ। ‌ରେଭେନସା ଗ୍ରାଉଣ୍ଡ-୨ରେ ଅନୁଗୁଳ ୩ ୱିକେଟ୍‌ରେ କିଟ୍‌କୁ ପରାସ୍ତ କରିଥିଲା।

ଅଡ଼ଶପୁର ପଡ଼ିଆରେ କୋରାପୁଟ ୪ ୱି‌କେଟ୍‌ରେ ରାୟଗଡ଼ାକୁ ହରାଇଛି। ବୋଲରଙ୍କ ପ୍ରାଧାନ୍ୟ ଭିତରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ କେରାପୁଟର ନିରଂଜନ ଗୌଡ଼ (୯-୧-୩୨-୫) ଏବଂ ରାୟଗଡ଼ାର ଅବଦୁଲ ଏମ ଖାନ୍‌ (୯-୨-୧୦-୫) ଚମତ୍କାର ବୋଲିଂ ଚିତ୍ର ପାଇଥିଲେ। ଏମ୍‌ଜିଏମ୍‌ ଏସଓଏସ୍ ଗ୍ରାଉଣ୍ଡ୍‌ରେ ସୋନପୁର ୩ ୱିକେଟ୍‌ରେ ବଲାଙ୍ଗୀରକୁ ପରାସ୍ତ କରିଛି। ବଲାଙ୍ଗୀର ପାଇଁ କିଶନ ନାଏକ (୯୫) ଶତକରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କ ଦଳ ବିଜୟରୁ ବଞ୍ଚିତ ରହିଥିଲା। ଅଭିଳାଷ ନାୟକ (୫୯)ଙ୍କ ଅର୍ଦ୍ଧଶତକ ସହାୟତାରେ ସୋନପୁର ୪୭.୧ ଓଭରରେ ୭ ୱିକେଟ୍ ବିନିମୟରେ ୨୩୯ ରନ୍ କରି ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର