କଳାହାଣ୍ଡି କପ୍‌: ନିରଂଜନ, ପ୍ରଶାନ୍ତ, ସୁନିଲଙ୍କୁ ୫ ୱିକେଟ୍‌; ଓଡ଼ିଶା ଏ’ ଓ ସି’ ବିଜୟୀ

ଭୁବନେଶ୍ବର : ଓସିଏ ପକ୍ଷରୁ ବିଭିନ୍ନ ପଡ଼ିଆରେ ଚାଲିଥିବା କଳାହାଣ୍ଡି କପ୍‌ ସୁପରଲିଗ୍‌ (ଦୁଇ ଦିନିଆ) ପର୍ଯ୍ୟାୟର ବୁଧବାର ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ରେଷ୍ଟ ଅଫ୍‌ ଓଡ଼ିଶା ଏ’ ଓ ରେଷ୍ଟ ଅଫ୍‌ ଓଡ଼ିଶା ସି’ ବିଜୟୀ ହୋଇଛନ୍ତି। ଏମ୍‌ଜିଏମ୍‌ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ଏ’ ୪ ୱିକେଟ୍‌ରେ ଇକୋର୍ସାକୁ ପରାସ୍ତ କରିଛି। ପ୍ରଥ‌ମେ ବ୍ୟାଟିଂ କରିଥିବା ଇକୋର୍ସା ୩୭.୪ ଓଭରରେ ୯୫ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ବିଜୟ ଲକ୍ଷ୍ୟକୁ ଓଡ଼ିଶା ଏ’ ୨୩.୩ ଓଭରରେ ୬ ୱିକେଟ୍‌ ବିନିମୟରେ ହାସଲ କରିଥିଲା।

ଡ୍ରିମ୍ସ ପଡ଼ିଆରେ ଓଡ଼ିଶା ସି’ ୧ ୱିକେଟ୍‌ରେ ସମ୍ବଲପୁରକୁ ହରାଇଛି। ସମ୍ବଲପୁର ଟସ୍‌ ଜିତି ବ୍ୟାଟିଂ ନେଇଥିଲା ବେଳେ ୧୪୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ନିରଂଜନ ଗୌଡ଼ ୩୦ ରନ୍‌ ବିନିମୟରେ ୫ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ପ୍ରଶାନ୍ତ ଠାକ୍କରଙ୍କ ଭଲ ବୋଲିଂ (୫/୬୬) ସତ୍ତ୍ବେ ଓଡ଼ିଶା ସି’ ୩୯.୫ ଓଭର ସୁଦ୍ଧା ୧ ୱିକେଟ୍‌ ହାତରେ ଥାଇ ମ୍ୟାଚ୍‌ ଜିତିଥିଲା।

ରେଭେନ୍ସା ୧ ନମ୍ବର ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ରେ ରେଷ୍ଟ ଅଫ୍‌ ଓନିଶା ବି’ ବିପକ୍ଷରେ ଭୁବନେଶ୍ବର ଏ’ ୨୯୦ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ବର ପାଇଁ ଦେବାଶିଷ ସାମନ୍ତରାୟ ୮୨, ସତ୍ୟଜିତ ସାବତ ୭୮ ଓ ସନ୍ଦୀପ ସେଠୀ ୬୧ ରନ୍‌ ସଂଗ୍ରହ କରିଥିଲେ। ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଓଡ଼ିଶା ବି’ ୧ ୱିକେଟ୍‌ ବିନିମୟରେ ୩୪ ରନ୍‌ ସଂଗ୍ରହ କରିଛି।
ସନସାଇନ୍‌ ପଡ଼ିଆରେ ଚାଲିଥିବା ମ୍ୟାଚ୍‌ରେ ଢେଙ୍କାନାଳ ବିପକ୍ଷରେ ରେଷ୍ଟ ଅଫ୍‌ ଓଡ଼ିଶା ଡି’ ୨୪୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି। ଆଶିଷ ପରିଜା (୭୮), ଜାମଲା ଭଞ୍ଜନ ମହାପାତ୍ର (୫୨) ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ପ୍ରତିପକ୍ଷର ସୁନିଲ କୁମାର ସାହୁ ୬୭ ରନ୍‌ ବିନିମୟରେ ୫ ଓ ବିକାଶ ରାଉତ ୪ ୱିକେଟ୍‌ ଅକ୍ତିଆର କରିଥିଲେ। ଷ୍ଟମ୍ସ ଅପସାରଣ ବେଳକୁ ଢେଙ୍କାନାଳ ୧ ୱିକେଟ୍‌ କ୍ଷତିରେ ୩୦ ରନ୍‌ ସଂଗ୍ରହ କରିଛି।

ସମ୍ବନ୍ଧିତ ଖବର