କଳାହାଣ୍ଡି କପ୍‌: ଭୁବନେଶ୍ବର, କଟକ, ଇକୋର୍ସା, ଝାରସୁଗୁଡା ବିଜୟୀ

ଭୁବନେଶ୍ବର: କଳାହାଣ୍ଡି କପ୍‌ରେ ରବିବାର ୬ ମ୍ୟାଚ୍‌ ଖେଳାଯାଇଥିଲା। ସେଥିରେ ଭୁବନେଶ୍ବର-ଏ, ଭୁବନେଶ୍ବର-ବି, କଟକ-ଏ, କଟକ-ବି, ଇକୋର୍ସା ଏବଂ ଝାରସୁଗୁଡ଼ା ବିଜୟ ହାସଲ କରିଛନ୍ତି। ସନ୍ଦୀପ ପଟ୍ଟନାୟକ, ପ୍ରଶାନ୍ତ ଦାସ, ରୋହିତ ସାଗରଙ୍କ ଶତକ ଏବଂ ଶିବାଶିଷ ସାହୁଙ୍କ ୬, ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୫ ୱିକେଟ୍‌ ଉଲ୍ଲେଖନୀୟ ଥିଲା। ଭୁବନେଶ୍ବରର ସିଭି ରମଣ କଲେଜ ପଡ଼ିଆରେ ଭୁବନେଶ୍ବର-ଏ ଦଳ ୫୭ ରନ୍‌ରେ ସମ୍ବଲପୁରକୁ ପରାସ୍ତ କରିଛି। ସନ୍ଦୀପ ପଟ୍ଟନାୟକ (୧୧୮)ଙ୍କ ଶତକ ବଳରେ ବିଜୟୀ ଦଳ ୪୫ ଓଭରରେ ୨୭୫/୮ କରିବା ପରେ ଏହାର ବୋଲରମାନେ ସମ୍ବଲପୁର ପାଳିକୁ ୨୧୮/୫ରେ ଅଟକାଇ ଦେଇଥିଲେ। ସମ୍ବଲପୁର ପକ୍ଷରୁ ପ୍ରଶାନ୍ତ ଦାସ (୧୧୨ ରନ୍‌)ଙ୍କ ଶତକ ଏବଂ ଶ୍ରେଷ୍ଠ ସିଂହ (୫୦ ରନ୍‌, ୩ ୱିକେଟ୍‌)ଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବେକାର ଯାଇଥିଲା।

କଟକର ରେଭେନ୍‌ସା କ୍ରିକେଟ୍‌ ପଡ଼ିଆରେ ଭୁବନେଶ୍ବର-ବି ଦଳ ୯୯ ରନ୍‌ରେ ମୟୂରଭଞ୍ଜକୁ ପରାସ୍ତ କରିଥିଲା। ରୋହିତ ସାଗର (୧୧୬ ରନ୍‌)ଙ୍କ ଶତକ ଏବଂ ସତ୍ୟଜିତ ସାବତ (୫୪)ଙ୍କ ଅର୍ଦ୍ଧଶତକ ସହାୟତାରେ ଭୁବନେଶ୍ବର ଦଳ ୫୦ ଓଭରରେ ୩୩୬/୭ କରିଥିଲା। ଜବାବରେ ଅବିନାଶ ଖଣ୍ଡେଲୱାଲା (୫୧), ସୁବ୍ରତ ସିଂହ (୫୧) ଓ ଆଦିତ୍ୟ ବାସା (୬୧)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ମୟୂରଭଞ୍ଜ ୨୩୭/୯ରେ ଅଟକି ଯାଇଥିଲା। ଟୁକୁନା ସାହୁ ବିଜୟୀ ଦଳ ପକ୍ଷରୁ ସଫଳ ବୋଲର ଭାବେ ୪ ୱିକେଟ୍‌ ଦଖଲ କରିଥିଲେ।

ରେଭେନ୍‌ସା କ୍ରିକେଟ୍‌ ପଡ଼ିଆରେ ଅନ୍ୟ ଏକ ମ୍ୟାଚ୍‌ରେ କଟକ-ଏ ଦଳ ୧୫୦ ରନ୍‌ରେ ଯାଜପୁରକୁ ପରାସ୍ତ କରିଥିଲା। ରାମଚନ୍ଦ୍ର ବେହେରା (୮୦) ଓ ରାଜେଶ ଧୂପର (୮୧)ଙ୍କ ଅର୍ଦ୍ଧଶତକ ବଳରେ କଟକ ଦଳ ୫୦ ଓଭରରେ ୩୩୧/୬ କରିଥିଲା। ଜବାବ‌ରେ ଯାଜପୁର ଦଳ ୪୭.୫ ଓଭରରେ ୧୮୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା।
ଭୁବନେଶ୍ବରର ରେଳବାଇ ଷ୍ଟାଡିୟମ୍‌ରେ କଟକ-ବି ଦଳ ୪ ୱିକେଟ୍‌ରେ ସୁନ୍ଦରଗଡ଼କୁ ପରାସ୍ତ କରିଥିଲା। ସୁନ୍ଦରଗଡ଼ର ୩୪ ଓଭରରେ ୧୨୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇବା ପରେ କଟକ ଦଳ ୨୫.୪ ଓଭରରେ ୬ ୱିକେଟ୍‌ ହରାଇ ୧୨୫ ରନ୍‌ର ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ବିଜୟୀ ଦଳ ପକ୍ଷରୁ ଶିବାଶିଷ ସାହୁ ୬ ୱିକେଟ୍‌ ଅକ୍ତିଆର କରିଥିଲେ।

ସନ୍‌ସାଇନ୍‌ କ୍ରିକେଟ୍‌ ପଡ଼ିଆରେ ଇକୋର୍ସା ଦଳ ୧୨୬ ରନ୍‌ରେ ‌ଖୋର୍ଦ୍ଧାକୁ ପରାସ୍ତ କରିଥିଲା। ଗିରିଜା ରାଉତ (୫୨), ସମୀର ମହାନ୍ତି (୭୪) ଓ ଅଙ୍କିତ ଯାଦବ (୫୨*)ଙ୍କ ଅର୍ଦ୍ଧଶତକ ସହାୟତାରେ ଇକୋର୍ସା ୫୦ ଓଭରରେ ୩୧୨/୮ କରିଥିଲା। ଜବାବରେ ଦେବବ୍ରତ ପ୍ରଧାନ (୭୨)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଖୋର୍ଦ୍ଧା ୪୧.୪ ଓଭରରେ ୧୮୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ବିଜୟୀ ଦଳ ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୫ ୱିକେଟ୍‌ ସଫଳତା ପାଇଥିଲେ।

ଖୋର୍ଦ୍ଧା ଷ୍ଟାଡିୟମ୍‌ରେ ଝାରସୁଗୁଡ଼ା ୬ ୱିକେଟ୍‌ରେ ରାଉରକେଲାକୁ ପରାସ୍ତ କରିଥିଲା। ଶୁଭଙ୍କର ବିଶ୍ବାସ (୭୭)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ରାଉରକେଲା ୪୭.୧ ଓଭରରେ ୨୧୪ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଜବାବରେ ଝାରସୁଗୁଡ଼ା ରୋସନ ପ୍ରସାଦ (୫୦) ଓ ମହମ୍ମଦ ଏସ୍‌ ଅର୍ମାନ (୫୨*)ଙ୍କ ଅର୍ଦ୍ଧଶତକ ବଳରେ ୪୮.୧ ଓଭରରେ ୪ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ୨୧୫ରେ ପହଞ୍ଚି ଯାଇଥିଲା।

ସମ୍ବନ୍ଧିତ ଖବର