କଳାହାଣ୍ଡି କପ୍‌ ଜିତିଲା ଭୁବନେଶ୍ୱର-ଏ

ଫାଇନାଲ୍‌ରେ ଭୁବନେଶ୍ୱର-ବି ୪୮ ରନ୍‌ରେ ହାରିଲା

କଟକ: ଭୁବନେଶ୍ୱର-ଏ ଦଳ ଚଳିତ ବର୍ଷର କଳାହାଣ୍ଡି କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଗୁରୁବାର ଖେଳାଯାଇଥିବା ଫାଇନାଲ୍‌ରେ ଏହି ଦଳ ୪୮ ରନ୍‌ରେ ଭୁବନେଶ୍ୱର-ବ ଦଳକୁ ହରାଇଛି। ଟସ୍‌ ଜିତି ଭୁବନେଶ୍ୱର-ବି ପ୍ରତିପକ୍ଷକୁ ବ୍ୟାଟିଂ ପାଇଁ ଆହ୍ଵାନ କରିଥିଲା। ଭୁବନେଶ୍ୱର-ଏ ୬ ଓ୍ଵିକେଟ୍‌ ହରାଇ ୨୦୬ ରନ୍‌ କରିଥିଲା। ଶାନ୍ତନୁ ମିଶ୍ର (୮୯ ରନ୍‌) ଅର୍ଧଶତକ ଜମାଇଥିଲା ବେଳେ ସନ୍ଦୀପ ପଟ୍ଟନାୟକ ୪୦ ଓ ଦେବାଶିଷ ସାମନ୍ତରାୟ ୩୫ ରନ୍‌ର ଅବଦାନ ରଖିଥିଲେ। ଭୁବନେଶ୍ୱର-ବି ଦଳ ପକ୍ଷରୁ ରାଜେଶ ମହାନ୍ତି ୩, କାର୍ତ୍ତିକ ବିଶ୍ୱାଳ ଓ ଟୁକୁନା ସାହୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଭୁବନେଶ୍ୱର-ବି ଦଳ ମଧ୍ୟ ଆରମ୍ଭରୁ ଝଟ୍‌କା ପାଇଥିଲା। ନିର୍ଭରଯୋଗ୍ୟ ବିଶ୍ୱଜିତ ଭୂୟାଁ (୪) ଓ କାର୍ତ୍ତିକ ବିଶ୍ୱାଳ (୭) ସଅଳ ଆଉଟ୍‌ ହୋଇଯାଇଥିଲା ବେଳେ ରଘୁନାଥ ମଲ୍ଲ (୪୫), ସନ୍ତୋଷ ଦେବକାନ୍ତ (୩୦) ଲଢ଼ିଥିଲେ। ହେଲେ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ନିୟମିତ ଭାବେ ଓ୍ଵିକେଟ୍‌ ହରାଇ ଏହି ଦଳ ୧୫୮ ରନ୍‌ରେ ଅଟକି ଯାଇଥିଲା। ବିଜୟୀ ଦଳର ଆଶିଷ କୁମାର ପ୍ରଧାନ, ଶାନ୍ତନୁ ମିଶ୍ର, ମାନସ ମହାପାତ୍ର ଓ ମନୋଜ ବାରିକ ଦୁଇଟି ଲେଖାଏଁ ଓ୍ଵିକେଟ ପାଇଥିଲେ। ଉଦ୍‌ଯାପନୀ ସମାରୋହରେ ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତି ଆବାହକ ଦୁଲାଲ ଚନ୍ଦ୍ର ପ୍ରଧାନ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟୁତ୍‌ କୁମାର ନାୟକ, ସଂଯୋଜକ ଡାନିଏଲ୍‌ ରାଉତ, ଚୟନକର୍ତ୍ତା ସୁଭାଶିଷ ଭୂୟାଁ, ସୂର୍ଯ୍ୟ ମିଶ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅଧିକାରୀ ଅଞ୍ଜନ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର