କଳାହାଣ୍ଡି କପ୍‌: ସେମିରେ କଟକ ‘ଏ’-ଭୁବନେଶ୍ୱର ‘ବି’, କେନ୍ଦୁଝର-ଭୁବନେଶ୍ୱର ‘ଏ’

କଟକ: କଳାହାଣ୍ଡି କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମି ଫାଇନାଲ୍‌ ୧୩ ତାରିଖରେ ଅନୁଷ୍ଠିତ ହେବ। ରେଭେନ୍ସା ବିଶ୍ୱବିଦ୍ୟାଳୟ ୧ ନମ୍ବର ପଡ଼ିଆରେ କଟକ ଏ’ ଓ ଭୁବନେଶ୍ୱର ବି ଏବଂ ଡ୍ରିମ୍ସ ପଡ଼ିଆରେ ଭୁବନେଶ୍ୱର ଏ’ ଓ କେନ୍ଦୁଝର ମଧ୍ୟରେ ମୁକାବିଲା ହେବ। ରବିବାର ଭୁବନେଶ୍ୱର ବି’ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ସୋମବାର କଟକ ଏ’, ଭୁବନେଶ୍ୱର ଏ’ ଓ କେନ୍ଦୁଝର ଏହି ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି।
ସୋମବାର ମ୍ୟାଚଗୁଡ଼ିକ ମଧ୍ୟରେ ରେଭେନ୍ସା ୧ ନମ୍ବର ପଡ଼ିଆରେ କେନ୍ଦୁଝର ୧ ରନ୍‌ରେ କଟକ ବି’କୁ ହରାଇଛି। ଶୁଭ୍ରାଂଶୁ ସେନାପତିଙ୍କ ଶତକ (୧୦୨) ରନ୍‌ ସହାୟତାରେ କେନ୍ଦୁଝର ୧୬୦ ରନ୍‌ କରିଥିଲା। ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରି କଟକ ବି’ ୧୫୯ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ବିଜୟୀ ଦଳ ପାଇଁ ଗୌତମ ଦାସ ଓ ଶୁଭ୍ରାଂଶୁ ସେନାପତି ତିନୋଟି ଲେଖାଏଁ ଓ୍ଵିକେଟ ପାଇଥିଲେ। ଏସ୍‌ସିବି ମେଡିକାଲ୍‌ ପଡ଼ିଆରେ ଭୁବନେଶ୍ୱର ଏ’ ୧୦୩ ରନ୍‌ରେ ରାଉରକେଲାକୁ ପରାସ୍ତ କରିଛି। ଭୁବନେଶ୍ୱର ଏ’ ୨୧୬ ରନ୍‌ ସଂଗ୍ରହ କରିଥିଲା। ଦେବାଶିଷ ସାମନ୍ତରାୟ ୬୫, ଶାନ୍ତନୁ ମିଶ୍ର ୭୮ ରନ୍‌ କରିଥିଲାବେଳେ ରାଉରକେଲାର ଅମିତ ଦାସ ୫ ଓ୍ଵିକେଟ ଅକ୍ତିଆର କରିଥିଲେ। ହେଲେ ରାଉରକେଲା ନିୟମିତ ଭାବେ ଓ୍ଵିକେଟ ହରାଇ ୧୧୩ ରନ୍‌ରେ ଆଉଟ ହୋଇଯାଇଥିଲା। ଡ୍ରିମ୍ସରେ ଇକୋର୍ସା ୯୬ ରନ୍‌ରେ ଖୋର୍ଧାକୁ ହରାଇଛି। ଇକୋର୍ସା ୨୪୯ ରନ୍‌ ସଂଗ୍ରହ କରିଥିଲାବେଳେ ସନ୍ଦୀପ ମୂଳିଆ ୫୧, ଗିରିଜା ଶଙ୍କର ରାଉତ ୬୦ ଓ ସମୀର ମହାନ୍ତି ୬୫ ରନ୍‌ କରିଥିଲେ। ତେବେ ଖୋର୍ଧା ୧୫୩ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ନିମପୁର ପଡ଼ିଆରେ କଟକ ଏ’ ୧୪୨ ରନ୍‌ରେ ବାଲେଶ୍ୱରକୁ ପରାସ୍ତ କରିଛି। ରାଜେଶ ଧୂପର ୧୧୨, ଅରବିନ୍ଦ ସିଂହ ୮୧ ରନ୍‌ ସହାୟତାରେ କଟକ ଏ’ ୨୯୩ ରନ୍‌ ସଂଗ୍ରହ କରିଥିଲା। ଏହା ଜବାବରେ ବାଲେଶ୍ୱର ୧୫୧ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛି। ଦଳ ପକ୍ଷରୁ ନିର୍ବିଶଙ୍କର ବାରିକ ସର୍ବାଧିକ ୫୧ ରନ୍‌ କରିଥିଲାବେଳେ ବିଜୟୀ ଦଳର ବିପ୍ଳବ ସାମନ୍ତରାୟ ସର୍ବାଧିକ ୬ ଓ୍ଵିକେଟ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର