କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଅନ୍ତଃଜିଲ୍ଲା ସିନିଅର କଳାହାଣ୍ଡି କପ୍ର ଶୁକ୍ରବାର ମ୍ୟାଚ୍ଗୁଡ଼ିକରେ ଗଂଜାମ, ପାରାଦୀପ ଓ କନ୍ଧମାଳ ଦଳ ବିଜୟୀ ହୋଇଛନ୍ତି। ଡ୍ରିମ୍ସ ଷ୍ଟାଡିୟମରେ ଗଂଜାମ ୪୦ ରନ୍ରେ ମାଲକାନଗିରିକୁ ହରାଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଗଂଜାମ ୩୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ଜବାବରେ ମାଲକାନଗିରି ୨୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୨ ରନ୍ କରିପାରିଥିଲା।
ରେଭେନ୍ସା ପଡିଆ-୧ରେ ପାରାଦୀପ ୧୨୭ ରନ୍ରେ କେନ୍ଦ୍ରାପଡାକୁ ହରାଇଛି। ଟସ୍ ଜିତି କେନ୍ଦ୍ରାପଡା ଫିଲ୍ଡିଂ କରିଥିଲା ବେଳେ ପାରାଦୀପ ୪୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୭୧ ରନ୍ କରିଥିଲା। ଅଶ୍ବିନୀ ଖଟେଇ ୧୦୪ ବଲ୍ରୁ ୧୦୫ ରନ୍ର ଶତକୀୟ ପାଳି ଖେଳିଥିଲେ। ଜବାବରେ କେନ୍ଦ୍ରାପଡା ୨୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୪ ରନ୍ କରିବାକୁ ସମର୍ଥ ହୋଇଥିଲା। ପାରାଦୀପର ଆଶୁତୋଷ ମହାନ୍ତି ୯.୪ ଓଭରରେ ୪୭ ରନ୍ ଦେଇ ୫ଟି ୱିକେଟ୍ ହାସଲ କରିଥିଲେ। ଏମଜିଏମ୍ ସ୍ପୋର୍ଟସ୍ କଂପ୍ଲେକ୍ସ ପଡିଆରେ କନ୍ଧମାଳ ୨ ୱିକେଟ୍ରେ ନୂଆପଡାକୁ ହରାଇଛି। ନୂଆପଡା ୪୧.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୭ ରନ୍ କରିଥିଲା। ଜବାବରେ କନ୍ଧମାଳ ୪୭.୧ ଓଭରରେ ୮ ୱିକେଟ୍ ହରାଇ ୨୧୧ ରନ୍ କରି ମ୍ୟାଚ୍ ଜିତି ନେଇଥିଲା।