କଟକ: କଳାହାଣ୍ଡି କପ୍ ଅନ୍ତଃଜିଲ୍ଲା ବରିଷ୍ଠ କ୍ରିକେଟ୍ ପ୍ରତିଯୋଗିତାର ବୁଧବାର ଦ୍ବିତୀୟ ଦିବସରେ ଖେଳା ଯାଇଥିବା ୯ଟି ମ୍ୟାଚ୍ରେ ମୟୂରଭଞ୍ଜ, କୋରାପୁଟ, ଯାଜପୁର, କଟକ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ଭୁବନେଶ୍ବର ଓ ସୁନ୍ଦରଗଡ଼ ବିଜୟୀ ହୋଇଥିବା ବେଳେ ଭୁବନେଶ୍ବର ଖେଳାଳି ସାଇ ଶୁଭମ୍ଙ୍କ ଶତକ (୧୦୨ରନ୍), କଟକ-ଏ’ର ବିଶ୍ବଜିତ ମହାପାତ୍ର, କେନ୍ଦୁଝରର ସ୍ବୟାଂଶୁ ପଟ୍ଟନାୟକ ଓ ଖୋର୍ଦ୍ଧାର ସୁମିତ ମହାରଣା ପ୍ରତ୍ୟେକ ୫ ୱିକେଟ୍ ଅକ୍ତିଆର କରିବା ଉଲ୍ଲେଖନୀୟ ସଫଳତା ରହିଛି।
ମୟୂରଭଞ୍ଜ ୨୪ ରନ୍ରେ ପୂର୍ବତଟ ରେଳବାଇକୁ ପରାସ୍ତ କରିଛି। ମୟୂରଭଞ୍ଜ ୪୭.୩ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୬ରନ୍ ସଂଗ୍ରହ କରିଥିଲା। ମାରୀ ଲୋକନାଥ ସର୍ବାଧିକ ୪୮ ରନ୍ କରିଥିଲେ। ଜବାବରେ ପୂର୍ବତଟ ରେଳବାଇ ୨୭.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୨ ରନ୍ କରି ମ୍ୟାଚ୍କୁ ହାତଛଡା କରିଥିଲା। କୋରାପୁଟ ୨ ୱିକେଟ୍ରେ କନ୍ଧମାଳଠାରୁ ବିଜୟୀ ହୋଇଛି। କନ୍ଧମାଳ ୩୬.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୧ ରନ୍ କରିଥିଲା। ଜବାବରେ କୋରାପୁଟ ୨୮.୨ ଓଭର ଓ ୮ ୱିକେଟ୍ ବିନିମୟରେ ୧୩୪ ରନ୍ କରି ମ୍ୟାଚ୍ଜୁ ଜିତିଥିଲା। ଚିନ୍ମୟ ପଣ୍ଡା ୧୪ ରନ୍ ସହ ୨ଟି ୱିକେଟ୍ ଅକ୍ତିଆର କରିଥିଲେ।
ସାଇ ଶୁଭମ୍ଙ୍କ ଶତକ: ବିଶ୍ବଜିତ, ସ୍ବୟାଂଶୁ, ସୁମିତ, ଅଭିଜିତଙ୍କୁ ୫ୱିକେଟ୍
ଯାଜପୁର ଗୋଟିଏ ୱିକେଟରେ ନବରଙ୍ଗପୁରଠାରୁ ବିଜୟୀ ହୋଇଛି। ନବରଙ୍ଗପୁର ୨୫ ଓଭରରେ ୧୦୭ରନ୍ କରି ଅଲ୍ଆଉଟ୍ ହୋଇଥିଲା। ପପୁ ରାୟ ୪ଟି ଓ ଶେଖ୍ ଆଜାରୁଦ୍ଦିନ୍ ୩ଟି ୱିକେଟ୍ ନେଇଥିଲେ। ଜବାବରେ ଯାଜପୁର ୩୩.୧ ଓଭରରେ ୯ ୱିକେଟ୍ ହରାଇ ମ୍ୟାଚ୍କୁ ଜିତି ନେଇଥିଲେ। କଟକ-ଏ’ ୭୩ ରନ୍ରେ ବୌଦ୍ଧକୁ ପରାସ୍ତ କରିଛି। କଟକ-ଏ’ ୪୫.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୬ରନ୍ କରିଥିଲା। କଟକ ପକ୍ଷରୁ ପ୍ରଦୀପ୍ତ ଦାଶ ୬୫ ରନ୍ ଓ ସମ୍ବିତ ବେଜା ୬୪ ରନ୍ କରିଥିବା ବେଳେ ଅନୁରାଗ ୪ଟି ଓ ଲକ୍ଷ୍ମୀଧର ପ୍ରଧାନ ୩ଟି ୱିକେଟ୍ ନେଇଥିଲେ। ଜବାବରେ ବୌଦ୍ଧ ୪୬.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୩ ରନ୍ କରି ମ୍ୟାଚକୁ ହାତଛଡ଼ା କରିଥିଲା। ବିଶ୍ବଜିତ ମହାପାତ୍ର ସର୍ବାଧିକ ୫ଟି ୱିକେଟ୍ ନେଇ ବୌଦ୍ଧ ବ୍ୟାଟିଂରେ ରୋକ୍ ଲଗାଇଥିଲେ। କେନ୍ଦୁଝର ୭ ୱିକେଟ୍ରେ ଜଗତସିଂହପୁରଠାରୁ ବିଜୟୀ ହୋଇଛି। ଜଗତସିଂହପୁର ୨୬.୨ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୧ ରନ୍ କରିଥିଲା। କିଶାନ ରଥ ୫୯ ରନ୍ କରିଥିବା ବେଳେ କେନ୍ଦୁଝର ଖେଳାଳି ସ୍ବୟାଂଶୁ ପଟ୍ଟନାୟକ ୫ଟି ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ କେନ୍ଦୁଝର ୨୨.୪ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା।
ଖୋର୍ଦ୍ଧା ୭ ୱିକେଟ୍ରେ ନୂଆପଡ଼ାକୁ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ନୂଆପଡ଼ା ୩୧.୧ ଓଭରରେ ୧୨୦ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଖୋର୍ଦ୍ଧା ପକ୍ଷରୁ ସୁମିତ ମହାରଣା ୫ଟି ୱିକେଟ୍ ନେଇଥିଲେ। ଜବାବରେ ଖୋର୍ଦ୍ଧା ୨୦.୧ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଜଟଣୀ ରେଳବାଇ ପଡ଼ିଆରେ ନୟାଗଡ଼ ୪ ରନ୍ରେ ପାରାଦୀପକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ନୟାଗଡ଼ ୪୬.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ନୟାଗଡ଼ ପକ୍ଷରୁ ଦିବ୍ୟଜ୍ୟୋତି ପଟ୍ଟନାୟକ ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ପାରାଦୀପ ୪୫.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୮ରନରେ ସୀମିତ ରହିଯାଇଥିଲା।
ଭୁବନେଶ୍ବର-ବି ୭ ୱିକେଟ୍ରେ କଳାହାଣ୍ଡିକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କଳାହାଣ୍ଡି ୪୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୫ ରନ୍ କରିଥିଲା। କଳାହାଣ୍ଡି ଖେଳାଳି ରୋନକ୍ ବଣୁଆ ସର୍ବାଧିକ ୯୫ ରନ୍ କରିଥିଲେ। ଜବାବରେ ଭୁବନେଶ୍ବର-ବି ଦଳ ୩୨.୩ ଓଭରରେ ଖେଳି ମାତ୍ର ୩ ୱିକେଟ ହରାଇ ମ୍ୟାଚକୁ ଜିତିଥିଲା। ଭୁବନେଶ୍ବର ପକ୍ଷରୁ ସାଇ ଶୁଭମ୍ ୯୭ ବଲ୍ରୁ ଶତକ (୧୦୨ରନ୍) କରିଥିଲେ। ସେହିପରି ସୁନ୍ଦରଗଡ଼ ୭୦ ରନ୍ରେ ଗଜପତିକୁ ପରାସ୍ତ କରିଛି। ସୁନ୍ଦରଗଡ଼ ୩୩.୧ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୬ରନ୍ କରିଥିଲା। ଅଭିଜିତ ପାଣ୍ଡେ ୫ଟି ୱିକେଟ୍ ନେଇଥିଲେ। ଜବାବରେ ଗଜପତି ୨୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୬ ରନ୍ କରିବାକୁ ସମର୍ଥ ହୋଇଥିଲା।