କଳାହାଣ୍ଡି କପ୍‌ ସୁପର୍‌ଲିଗ୍‌: ଇକୋର୍ସାକୁ ହରାଇଲା ସୁନ୍ଦରଗଡ଼, ରାଜଧାନୀ କ୍ରିକେଟ୍‌ର ଗତି କୁଆଡ଼େ?

ଭୁବନେଶ୍ବର: କଟକର ବିଭିନ୍ନ ପଡ଼ିଆରେ ଚାଲିଥିବା କଳାହାଣ୍ଡି କପ୍ ଅନ୍ତଃଜିଲ୍ଲା କ୍ରିକେଟ୍ ସୁପର୍‌ ଲିଗ୍‌ ପ୍ରତିଯୋଗିତାରେ ରବିବାର ବୃତ୍ତିଗତ ଦଳ ଇକୋର୍ସାକୁ ଆଶ୍ଚର୍ଯ୍ୟଜନକ ଭାବେ ସୁନ୍ଦରଗଡ଼ ୧୩ ରନ୍‌ରେ ହରାଇ ଦେଇଛି। ନିମପୁର ପଡିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ସୁନ୍ଦରଗଡ଼ ମାତ୍ର ୮୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଦଳ ପାଇଁ ଅଧିନାୟକ ଗୋବିନ୍ଦ‌ ପୋଦ୍ଦାର ଏବଂ ସାହିଲ ପ୍ରସାଦ ୧୫ ରନ୍‌ ଲେଖାଏଁ କରିଥିଲେ। ଇକୋର୍ସା ପକ୍ଷରୁ ଜୟନ୍ତ କୁମାର ବେହେରା (୧୦-୪-୧୭-୪), ରାଜେଶ ମହାନ୍ତି (୮.୫-୧-୨୬-୪), ଅଙ୍କିତ ଯାଦବ (୫-୦-୧୨-୨) ୱିକେଟ୍ ବାଣ୍ଟି ନେଇଥିଲେ। ଜବାବରେ ଇକୋର୍ସା କିନ୍ତୁ ୨୧.୧ ଓଭରରେ ମାତ୍ର ୬୮ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଅମିତ କୁମାର ଦାସ (୮-୩-୧୪-୪), ଗୋବିନ୍ଦ ପୋଦ୍ଦାର (୭.୧-୨-୧୪-୪), ସୌଭାଗ୍ୟ ରାଉତ (୩-୦-୧୩-୨) ସୁନ୍ଦରଗଡ଼କୁ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଥିଲେ।

ସନସାଇନ୍ ପଡିଆରେ ଓଡ଼ିଶା ବ୍ଲୁ ୫୭ ରନ୍‌ରେ ଖୋର୍ଦ୍ଧାକୁ ପରାସ୍ତ କରିଥିଲା। ନରେନ୍ଦ୍ର କୁମାର ଦାସ (୬୫), ସୌରଭ କାନୋଜିଆ (୫୫), ସନ୍ଦୀପ ପଟ୍ଟନାୟକ (୫୨), ସୁକେଶ ହିରା (୩୩)ଙ୍କ ବଳରେ ଓଡ଼ିଶା ବ୍ଲୁ ଦଳ ୫୦ ଓଭରରେ ୭ ୱିକେଟ୍ ବିନିମୟରେ ୨୬୮ ରନ୍‌ କରିଥିଲା। ପ୍ରତିପକ୍ଷର ଓମ୍ ନାରାୟଣ ୩ ୱିକେଟ୍ ନେଇଥିଲେ। ଜବାବରେ ଆର୍ଯ୍ୟଶ୍ରୀ ଭଟ୍ଟ (୮୧), ରାକେଶ ପଟ୍ଟନାୟକ (୬୦)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଖୋର୍ଧା ୪୬ ଓଭରରେ ୨୧୧ ରନ୍‌ କରି ସମସ୍ତ ୱିକେଟ୍ ହରାଇଥିଲା। ଶ୍ରେଷ୍ଠ ସିଂହ (୪/୬୨), ରିତେଶ ପ୍ରିୟରଂଜନ (୨/୨୭), ବସନ୍ତ ମହାନ୍ତି (୨/୧୩), ସୌରଭ କାନୋଜିଆ (୧/୪୦) ପ୍ରଭାବୀ ବୋଲିଂ କରିଥିଲେ।

ଏସସିବି ମେଡିକାଲ୍ ପଡିଆରେ ଓଡ଼ିଶା ଗ୍ରିନ୍‌ ୧୫୨ ରନ୍‌ରେ ଓଡ଼ିଶା ୟେଲୋକୁ ପରାସ୍ତ କରିଛି। ପ୍ରୟାସ କେ ସିଂହ (୭୦), ଗୌରବ‌ ଚୌଧୁରୀ (୩୮), ଦେବବ୍ରତ ପ୍ରଧାନ (୩୩)ଙ୍କ ବଳରେ ଗ୍ରିନ୍‌ ୭ ୱିକେଟ୍ ହରାଇ ୨୩୧ ରନ୍‌ କରିଥିଲା। ପ୍ରତିପକ୍ଷର ଅଭିଜିତ୍ ଘନ, ସଞ୍ଜୟ କୁମାର ପାତ୍ର ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ୟେଲୋ ଦଳ ୩୬.୨ ଓଭରରେ ମାତ୍ର ୭୯ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ହର୍ଷିତ ରାଠୋର (୧୦-୬-୫-୪), ପ୍ରୟାସ କେ ସିଂହ (୬-୨-୧୬-୩), ରାଜେଶ ପାତ୍ର (୭-୧-୨୧-୨) ଭଲ ବୋଲିଂ କରି ଏହି ବିପର୍ଯ୍ୟୟ ଘଟାଇଥିଲେ।

‌ରେଭେନ୍‌ସା ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ କଟକ ‘ଏ’ ୭୬ ରନ୍‌ରେ ଝାରସୁଗୁଡାକୁ ପରାସ୍ତ କରିଛି। ଅରବିନ୍ଦ ସିଂହ (୩୫), ଅଭିଷେକ ରାଉତ (୩୩), ପ୍ରତ୍ୟୁଷ ପ୍ରଧାନ (୨୮)ଙ୍କ ବଳରେ କଟକ ‘ଏ’ ୧୮୦ ରନ୍‌ କରିଥିଲା। ତାରଣୀ ସ (୩/୩୫), ମାନସ ମିଶ୍ର (୨/୩୦) ଭଲ ବୋଲିଂ କରିଥିଲେ। ଜବାବରେ ଝାରସୁଗୁଡ଼ା ୪୫.୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୦୪ ରନ୍‌ କରିଥିଲା। ଜାମଲା ଭଞ୍ଜ ମହାପାତ୍ର, ଅଭିଷେକ ରାଉତ, ତାପସ ଦାସ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ।
‌ରେଭେନ୍‌ସା ଗ୍ରାଉଣ୍ଡ୍‌-୨ରେ ଓଡ଼ିଶା ରେଡ୍‌ ୬ ୱିକେଟ୍‌ରେ ରାଉରକେଲାକୁ ପରାସ୍ତ କରିଛି। ଆଶୀର୍ବାଦ ସ୍ବାଇଁ (୪୭), ଗୋବିନ୍ଦ ତାଣ୍ଡିଆ (୨୧)ଙ୍କ ବଦଳରେ ରାଉରକେଲା ୪୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ କରିଥିଲା ୧୧୩ ରନ୍‌। ମିଲନ ସାମଲ (୪/୨୧), ଧୀରାଜ ସିଂହ (୨/୧୯) ଭଲ ବୋଲିଂ କରିଥିଲେ। ଜବାବରେ ଓଡ଼ିଶା ରେଡ୍‌ ୨୯.୧ ଓଭରରେ ୪ ୱିକେଟ୍‌ ହରାଇ ୧୧୪ ରନ୍‌ ସଂଗ୍ରହ କରି ବିଜୟୀ ‌ହୋଇଥିଲା। ଦେବେନ୍ଦ୍ର କୁଅଁର (୫୨*) ଏବଂ ସମ୍ବିତ ବରାଳ (୧୮*) ବିଜୟୀ କରାଇଥିଲେ। ଗୋବିନ୍ଦ ତାଣ୍ଡିଆ (୩/୩୨)ଙ୍କ ପ୍ରଭାବୀ ବୋଲିଂ ନିଷ୍ଫଳ ରହିଥିଲା।

ବିଡ଼ାନାସୀ ପଡିଆରେ ଓଡ଼ିଶା ଭାଓଲେଟ୍‌ ୯ ୱିକେଟ୍‌ରେ ଓଡ଼ିଶା ପିଙ୍କ୍‌କୁ ପରାସ୍ତ କରିଥିଲା। ଅଂଶୁମାନ ସାହୁ (୨୭), ସାମସୁଲ୍‌ ଏ ଖାନ୍‌ (୨୩)ଙ୍କ ବଳରେ ପିଙ୍କ୍‌ ଦଳ ୩୨ ଓଭରରେ ମାତ୍ର ୧୧୭ ରନ୍‌ କରିଥିଲା। ପପୁ ରୟ (୭-୨-୧୬-୪), ଆଶିଷ ରାଏ (୬-୧-୨୦-୨), ସର୍ବେଶ୍ବର ମହାନ୍ତି (୩-୦-୧୯-୨) ପ୍ରଭାବୀ ବୋଲିଂ କରିଥିଲେ। ଜବାବରେ ଅଧିନାୟକ ଶାନ୍ତନୁ ମିଶ୍ର (୬୩*) ଓ ଏମ୍‌ ଟି ମୁଣ୍ଡେ (୩୬*)ଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଓଡ଼ିଶା ଭାଓଲେଟ୍ ଦଳ ୨୫.୩ ଓଭରରେ ୧ ୱିକେଟ୍‌ ହରାଇ ୧୧୮ ରନ୍‌ର ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା।

ରାଜଧାନୀ କ୍ରିକେଟ୍‌ର ଗତି କୁଆଡ଼େ?
ଭୁବନେଶ୍ବର: ରାଜଧାନୀରେ ଅନ୍ୟ କେଉଁ କ୍ରୀଡ଼ାର ସ୍ଥିତି କଥା ନ କହିଲେ ଭଲ, ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟ୍‌ର ଅବସ୍ଥା କିନ୍ତୁ ସଙ୍ଗୀନ। ଏହାର ଗୋଟିଏ ସଦ୍ୟତମ ଉଦାହରଣ ହେଉଛି ଚାଲିଥିବା ଅନ୍ତଃଜିଲ୍ଲା କଳାହାଣ୍ଡି କପ୍‌ରେ ଭୁବନେଶ୍ବର ଦଳର ସାମଗ୍ରିକ ପ୍ରଦର୍ଶନ। ଦୁଇ ଦୁଇ ଜଣ ଟେଷ୍ଟ୍‌ ଖେଳାଳି ସୃଷ୍ଟି କରିସାରିଥିବା ରାଜଧାନୀର ଉଭୟ ‘ଏ’ ଓ ‘ବି’ ଦଳ ପ୍ରାରମ୍ଭିକ ପର୍ଯ୍ୟାୟ ଅତିକ୍ରମ କରିପାରିନାହିଁ। ଅର୍ଥାତ୍‌ ସୁପର୍‌ ଲିଗ୍‌ରେ ଖେଳିବାକୁ ଦୁଇଟିଯାକ ଦଳ ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି। ଯାହାକି ସାମ୍ପ୍ରତିକ ସମୟରେ ଏକ ବଡ଼ ବ୍ୟତିକ୍ରମ। ଏହାକୁ ନେଇ କ୍ରିକେଟ୍‌ପ୍ରେମୀ, ପୂର୍ବତନ କ୍ରିକେଟର୍‌ ଏବଂ କ୍ରିକେଟ୍ ପ୍ରଶାସକମାନେ ଏବେ ଖୁବ ଅସନ୍ତୁଷ୍ଟ। କିନ୍ତୁ ରାଜଧାନୀର କ୍ରିକେଟ୍ ବ୍ୟବସ୍ଥା ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ କିଛି କରାଯିବା ଭଳି ଅବସ୍ଥା ନାହିଁ। କିଛି ପୂର୍ବତନ ଖେଳାଳି ନିଜ ନାମ ଗୋପନ ରଖି ଅଭି‌ଯୋଗ କରିଛନ୍ତି, ‘ଭୁବନେଶ୍ବରରେ ଆଉ କ୍ରିକେଟ୍‌ ଉଧେଇବାର ନାହିଁ। ଓସିଏର ଭିଜନ୍‌ ୨୦୨୪କୁ ଭ୍ରୁକ୍ଷେପ କରାନଯିବା ଫଳରେ ଏଭଳି ଦୟନୀୟ ସ୍ଥିତି ଉପୁଜିଛି। ଛୋଟ ଛୋଟ ଜିଲ୍ଲା ଦଳଠାରୁ ବି ଭୁବନେଶ୍ବର ହାରିବା ଆରମ୍ଭ କଲାଣି। ଭୁବନେଶ୍ବର କ୍ରିକେଟ୍ ଏବେ କ୍ଲବ୍ କୈନ୍ଦ୍ରୀକ ହୋଇଯାଇଛି। ଏବେ ଗୋଟିଏ ନିର୍ଦ୍ଧିଷ୍ଟ କ୍ଲବ୍‌ର ବ୍ୟକ୍ତି ଅନ୍ତଃଜିଲ୍ଲା ପ୍ରତିନିଧିତ୍ବ କରୁଥିବା ଭୁବନେଶ୍ବର ‘ଏ’ ଓ ‘ବି’ ଦଳର ସମସ୍ତ ମୁଖ୍ୟ ପଦ ଯଥା ଚୟନକର୍ତା, ପ୍ରଶିକ୍ଷକ, ଅଧିନାୟକ, ପ୍ରବଂଧକ ପଦରେ ରହୁଥିବା ଦେଖିବାକୁ ମିଳୁଛି। ପ୍ରଦର୍ଶନ କରନ୍ତୁ ନ କରନ୍ତୁ ଚୂଡାନ୍ତ ଏକାଦଶରେ ଅଧା ଖେଳାଳି ଏହି କ୍ଲବ୍‌ର ନିଶ୍ଚିତ ଥିବେ।’ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ଅନ୍ତଃଜିଲ୍ଲା କ୍ରିକେଟ୍‌ ଇତିହାସରେ ଭୁବନେଶ୍ବରର ଏଭଳି ପତନ କେବେ ଆଗରୁ ଦେଖିବାକୁ ମିଳିନଥିଲା।
ଓସିଏର ଭିଜନ୍‌ ୨୦୨୪କୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି ଭୁବନେଶ୍ବରରେ। ଅନ୍ତଃକ୍ଲବ୍‌ର ପ୍ରଦର୍ଶନ ଭିତ୍ତିରେ ଓସିଏ ପ୍ରେରଣ କରିଥିବା ଲିଡର ବୋର୍ଡ (ଅଗ୍ରଣୀ ବ୍ୟାଟ୍ସମ୍ୟାନ୍‌, ଅଗ୍ରଣୀ ବୋଲର, କ୍ଷେତ୍ରରକ୍ଷକ) ୩୦ ଜଣିଆ ତାଲିକା ଭିତରୁ ଭୁବନେଶ୍ବର ଦଳ ଗଠନ କରାଯିବା କଥା। କିନ୍ତୁ ଏହାକୁ ନ ମାନି ୫/୬ ଜଣ ବାହାର ଖେଳାଳିଙ୍କୁ ଜବରଦସ୍ତ ଦଳରେ ନିଆଯାଇଛି। ଜଣେ ପୂର୍ବତନ ରଣଜୀ ଖେଳାଳିଙ୍କ ପୁତ୍ର ଓସିଏର ଉଭୟ ମାନଦଣ୍ଡ (ଅନ୍ତଃକ୍ଲବ୍ ଲିଡରବୋର୍ଡ କିମ୍ବା ରାଜ୍ୟ ଦଳର ପ୍ରଦର୍ଶନ) ଭିତ୍ତିରେ ସୁଯୋଗ ନପାଇବା ପରେ ତାଙ୍କୁ ଚାପରେ ସାମିଲ କରାଯିବାରୁ ବିବାଦର ସୂତ୍ରପାତ ହୋଇଥିଲା। ଏହା ପରେ ଅନ୍ୟ କିଛି କ୍ଲବ୍‌ ସେମାନଙ୍କ ଖେଳାଳିଙ୍କ ସାମିଲ ପାଇଁ ଜିଦ୍‌ ଧରିବାରୁ ସ୍ଥିତି ଭୟଙ୍କର ହୋଇଥିଲା। ଭୁବନେଶ୍ବରରେ ଏତେ ପୂର୍ବତନ କ୍ରିକେଟର୍‌ ଥିବା ସତ୍ତ୍ବେ ଟେନିସ୍‌ ବଲ୍/କର୍କ ବଲ୍ ଖେଳାଳିଙ୍କୁ ପ୍ରଶିକ୍ଷକ କରାଯିବା, ଗୋଟିଏ ଦଳରେ ୩ ୱିକେଟରକ୍ଷକ ଥିବା ବେଳେ ଅନ୍ୟ ଦଳରେ ଜଣେ ରଖାଯିବା, ଚୟନକର୍ତାମାନେ ଖେଳାଳିଙ୍କୁ ଚିହ୍ନିନପାରିବା, ଅଫସ୍ପିନରକୁ କେତେବେଳେ ବାମହାତୀ ସ୍ପିନର ତ କେତେବେଳେ ଲେଗ୍‌ସ୍ପିନର୍ ଦର୍ଶାଇବା ଭଳି ତ୍ରୁଟି ମଧ୍ୟ ଦେଖିବାକୁ ମିଳୁଛି ଏବେ ଭୁବନେଶ୍ବର ଦଳ ଚୟନରେ। ରାଜଧାନୀ କ୍ରିକେଟ୍‌ ରସାତଳକୁ ଯିବା ପୂର୍ବରୁ କେବେ କ୍ରିକେଟ୍ ପ୍ରଶାସକମା‌ନଙ୍କ ଚେତା ପଶିବ କେବଳ ଦେଖିବାକୁ ବାକି ରହିଛି।
ଭୁବନେଶ୍ବରର ଦୁଇ ଦଳ ପାଇଁ ଓସିଏରୁ ଆସିଥିବା ୬୦ ଜଣିଆ ତାଲିକା ବାହାରୁ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେବା ଏବଂ ଷ୍ଟାଣ୍ଡବାଇରେ ରଖାଯିବାକୁ ତୀବ୍ର ବିରୋଧ କରିଛନ୍ତି ପ୍ରଗତି ସ୍ପୋର୍ଟିଂର ଜଣେ ଜଣାଶୁଣା‌ ଖେଳାଳି ସୁକାନ୍ତି ହାତି। ଅନ୍ୟପକ୍ଷରେ ଲିଡରବୋର୍ଡର ଶୀର୍ଷ ୧୦ ଭିତରେ ଥାଇ ଖେଳିବାର ସୁଯୋଗ ନ ପାଇବାରୁ ‌ବହୁ ଖେଳାଳିଙ୍କ କ୍ୟାରିୟର୍‌ ଅକାଳରେ ନଷ୍ଠ ହୋଇଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର