କଟକ: ଅନ୍ତଃଜିଲ୍ଲା କଳାହାଣ୍ଡି କପ୍ ସୁପରଲିଗ୍ରେ ଶୁକ୍ରବାର ପୂର୍ବତଟ ରେଳବାଇ, ସମ୍ବଲପୁର, ରେଷ୍ଟ୍ ଅଫ୍ ଓଡ଼ିଶା ବି ଓ ଡି ବିଜୟୀ ହୋଇଛନ୍ତି। ସନ୍ସାଇନ୍ ପଡିଆରେ ପୂର୍ବତଟ ରେଳବାଇ ୧୭୯ ରନ୍ରେ ରେଷ୍ଟ୍ ଅଫ୍ ଓଡ଼ିଶା-ଏ’କୁ ହରାଇଛି। ରେଳବାଇ ଦଳ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୦ ରନ୍ କରିଥିଲା। କାମେଶ୍ବର ବାରିକ ସର୍ବାଧିକ ୯୦ ଏବଂ ଗିରିଜା ରାଉତ ୮୪ ରନ୍ କରିଥିଲେ। ଜବାବରେ ଓଡ଼ିଶା-ଏ ୪୦.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୧ ରନ୍ କରିବାକୁ ସମର୍ଥ ହୋଇଥିଲା। ରେଳବାଇ ଦଳର ଅଭିଷେକ ଯାଦବ ୨୩ ରନ୍ ଦେଇ ୭ ୱିକେଟ୍ ନେଇଥିଲେ। ଏମ୍ଜିଏମ୍ ଗ୍ରାଉଣ୍ଡ୍ରେ ସମ୍ବଲପୁର ୫ ୱିକେଟ୍ରେ ରେଷ୍ଟ୍ ଅଫ୍ ଓଡ଼ିଶା-ସି’କୁ ହରାଇଛି। ଓଡ଼ିଶା-ସି ୨୮ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା। ଜବାବରେ ସମ୍ବଲପୁର ୧୯.୨ ଓଭରରେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୧୦୯ରେ ପହଞ୍ଚି ଯାଇଥିଲା। ସମ୍ବଲପୁରର ପ୍ରଶାନ୍ତ ଠାକ୍କର (୮-୨-୨୬-୫) ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ।
ଡ୍ରିମ୍ସ ଷ୍ଟାଡିୟମରେ ଓଡ଼ିଶା-ବି ୭ ୱିକେଟ୍ରେ ଭୁବନେଶ୍ବର-ଏ’କୁ ହରାଇଛି। ଭୁବନେଶ୍ବର-ଏ ୪୨.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା। ଜବାବରେ ରେଷ୍ଟ୍ ଅଫ୍ ଓଡ଼ିଶା-ବି ୩୮ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୧୯୫ ରନ୍ ହାସଲ କରିଥିଲା। ରେଭେନ୍ସା ପଡିଆ-୧ରେ ରେଷ୍ଟ୍ ଅଫ୍ ଓଡ଼ିଶା-ଡି ୧୭୩ ରନ୍ରେ ଢେଙ୍କାନାଳକୁ ହରାଇଛି। ଓଡ଼ିଶା-ଡି ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୫ ରନ୍ କରିଥିଲା। ବିନାୟକ ସାହୁ ୬୭ ବଲ୍ରୁ ୧୦୭ ରନ୍ କରିଥିଲେ। ଜବାବରେ ଢେଙ୍କାନାଳ ୨୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା।