କଟକ: ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ ଚାଲିଥିବା ଅନ୍ତଃଜିଲ୍ଲା କଳାହାଣ୍ଡି କପ୍‌ ସୁପରଲିଗ୍‌ର ସୋମବାର ଅନୁ‌ଷ୍ଠିତ ଦୁଇଦିନିଆ ଫର୍ମାଟ୍‌ ମ୍ୟାଚ୍‌ରେ ପୂର୍ବତଟ ରେଳବାଇ, ରେଷ୍ଟ ଅଫ୍ ଓଡ଼ିଶା ଡି’ ଓ ଓଡ଼ିଶା ବି’ ବିଜୟୀ ହୋଇଥିବା ବେଳେ ଆଉ ଏକ ମ୍ୟାଚ ଅସମାପ୍ତ ରହିଛି। ସନ୍‌ସାଇନ୍ ପଡିଆରେ ଅନୁ‌ଷ୍ଠିତ ମ୍ୟାଚ୍‌ରେ ପୂର୍ବତଟ ରେଳବାଇ ୮ ୱିକେଟ୍‌ରେ ଓଡ଼ିଶା ସି’କୁ ହରାଇଛି। ଓଡ଼ିଶା ସି’ ଟସ୍ ଜିତି ୩୩.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୭ ରନ୍ କରିଥିଲା। ଜବାବରେ ପୂର୍ବତଟ ରେଳବାଇ ୩୦.୩ ଓଭରରେ ୨ ୱିକେଟ୍‌ ହରାଇ ୧୬୦ ରନ୍ କରିଥିଲା। ଡ୍ରିମ୍‌ସ ପଡିଆରେ ଅନୁ‌ଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ଡି’ ୫ ୱିକେଟ୍‌ରେ ଭୁବନେଶ୍ବର ଏ’ କୁ ହରାଇଛି।

Advertisment

ଭୁବନେଶ୍ବର ଏ’ ଟସ୍ ଜିତି ୨୬.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୬୬ ରନ୍ କରିଥିଲା। ଜବାବରେ ଓଡ଼ିଶା ଡି’ ୨୩.୩ ଓଭରରେ ୫ ୱିକେଟ୍‌ ବିନିମୟରେ ବିଜୟୀ ହୋଇଥିଲା। ଓଡ଼ିଶା ଡି’ ର ଦିଲ୍ଲୀପ ପଣ୍ଡା ୪୦ ରନ୍ ବ୍ୟୟ କରି ୫ ୱିକେଟ୍‌ ହାସଲ କରିଥିଲେ। ରେଭେନ୍‌ସା ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ବି’ ୮ ୱିକେଟ୍‌ରେ ଝାରସୁଗୁଡାକୁ ହରାଇଛି। ଝାରସୁଗୁଡା ଟସ୍ ଜିତି ୨୮ ଓଭରରେ ସମସ୍ତ ୱିକେଟ୍‌ ହରାଇ ୬୮ ରନ୍ କରିଥିଲେ। ଜବାବ‌ରେ ଓଡ଼ିଶା ବି’ ୧୬.୪ ଓଭରରେ ୨ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ବିଜୟୀ ଦଳର ବାଦଲ ବିଶ୍ବାଳ ୯ ଓଭର ବୋଲିଂ କରି ୬ଟି ମେଡେନ୍‌ ସହିତ ୧୦ ରନ୍ ବିନିମୟରେ ୬ ୱିକେଟ୍ ନେଇଥିଲେ। ଏମ୍‌ଜିଏମ୍‌ ‌ସ୍ପୋର୍ଟସ କମ୍ପଲେକ୍ସ୍‌ରେ କଟକ ଏ’- ଓଡ଼ିଶା ଏ’ ମଧ୍ୟରେ ଚାଲିଥିବା ମ୍ୟାଚ୍‌ ଅମୀମାଂସିତ ରହିଛି। ଟସ୍ ଜିତି କଟକ ୭୦.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୨୨ ରନ୍ କରିଥିଲା। ଜବାବ‌ରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଓଡ଼ିଶା ଏ’ ୧୭ ଓଭର ବ୍ୟାଟିଂ କରି ୪୨/୪ ସ୍କୋର କରିଛି।