ଭୁବନେଶ୍ବର: କଳାହାଣ୍ଡି କପ୍‌ ସୁପରଲିଗ୍‌ (ଦୁଇଦିନିଆ) ପର୍ଯ୍ୟାୟ ବୁଧବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ କଟକ ଏ’, ରେଷ୍ଟ ଅଫ୍‌ ଓଡ଼ିଶା ଏ’, ରେଷ୍ଟ ଅଫ୍‌ ଓଡ଼ିଶା ବି’ ବିଜୟୀ ହୋଇଛନ୍ତି। ଡ୍ରିମ୍ସ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କଟକ ଏ’ ୭ ୱିକେଟ୍‌ରେ ଇକୋର୍ସାକୁ ପରାସ୍ତ କରିଛି। ଇକୋର୍ସା ପ୍ରଥମେ ବ୍ୟାଟିଂ କରି ୩୭.୪ ଓଭରରେ ୧୦୦ ରନ୍‌ କରିଥିଲା ବେଳେ ସମସ୍ତ ୱିକେଟ୍‌ ହରାଇଥିଲା। ଜବାବରେ କଟକ ଏ’ ୩ ୱିକେଟ୍‌ ବିନିମୟରେ ୩୮.୨ ଓଭର ବେଳକୁ ମ୍ୟାଚ୍‌ ଜିତିଥିଲା। ବିଜୟୀ ଦଳର ଅବିନାଶ ନାୟକ ୫୦ ରନ୍‌ର ଅପରାଜିତ ପାଳି ଖେଳି ଦଳକୁ ଜିତାଇଥିଲେ।

Advertisment

ରେଭେନ୍ସା ପଡ଼ିଆରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ରେଷ୍ଟ ଅଫ୍‌ ଓଡ଼ିଶା ଏ’ ୮ ୱିକେଟ୍‌ରେ ସମ୍ବଲପୁରକୁ ହରାଇଛି। ବ୍ୟାଟିଂ ଆରମ୍ଭ କରିଥିବା ସମ୍ବଲପୁର ୫୪.୩ ଓଭରରେ ସମସ୍ତ ୱିକେଟ୍‌ ବିନିମୟରେ ୧୩୬ ରନ୍‌ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ବିନୟ ପାଇକରାୟଙ୍କ ୭୮* ରନ୍‌ ସହଯୋଗରେ ଓଡ଼ିଶା ଏ’ ୨ ୱିକେଟ୍‌ ବିନିମୟରେ ୩୬.୪ ଓଭର ସୁଦ୍ଧା ମ୍ୟାଚ୍‌ ଜିତିଥିଲା। ଏମ୍‌ଜିଏମ୍‌ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ରେ ରେଷ୍ଟ ଅଫ୍‌ ଓଡ଼ିଶା ବି’ ୫୦ ରନ୍‌ରେ ଢେଙ୍କାନାଳକୁ ହରାଇଛି। ଓଡ଼ିଶା ବି’ ଟସ୍‌ ଜିତି ବ୍ୟାଟିଂ କରିଥିଲା ବେଳେ ନିର୍ବିଶଙ୍କର ବାରିକଙ୍କ ୫୩ ରନ୍‌ ସହଯୋଗରେ ୨୧୧ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ପ୍ରତିପକ୍ଷର ସୁନିଲ କୁମାର ସାହୁ ୪୭ ରନ୍‌ ବ୍ୟୟ କରି ୫ ୱିକେଟ୍‌ ପାଇଥିଲେ। ବିପର୍ଯ୍ୟୟ ଭରା ଢେଙ୍କାନାଳ ପାଳିରେ କେବଳ ବିକାଶ କୁମାର ରାଉତ ଏକମାତ୍ର ବ୍ୟାଟର ଭାବେ ଅର୍ଦ୍ଧଶତକ (୬୬) ଅର୍ଜନ କରି ସଂଘର୍ଷ କରିଥିଲେ ହେଁ ଦଳକୁ ଜିତାଇବା ପାଇଁ ତାହା ଯଥେଷ୍ଟ ହୋଇନଥିଲା।

ବିଜୟୀ ଦଳର ବାଦଲ ବିଶ୍ବାଳଙ୍କ ୩୮ ରନ ବିନିମୟରେ ୬ ୱିକେଟ୍‌ ଅକ୍ତିଆର କରି ଦଳକୁ ଜିତାଇବା‌ରେ ଅନ୍ୟତମ ପ୍ରମୁଖ ଭୂମିକା ନେଇଥିଲେ। ସନସାଇନ୍‌ ପଡ଼ିଆରେ ଚାଲିଥିବା ମ୍ୟାଚ୍‌ରେ ଝାରସୁଗୁଡ଼ାର ୨୧୧/୧୦ ଜବାବରେ ପ୍ରଥମ ଦିନ ଶେଷ ସୁଦ୍ଧା ଭୁବନେଶ୍ବର ଏ’ ୧ ୱିକେଟ୍ ହରାଇ ୯୬ ରନ୍‌ ସଂଗ୍ରହ କରିଛି। ମାନସ ରଂଜନ ନାୟକ ୬୦* ରନ୍‌ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ ରୋହନ ପ୍ରସାଦଙ୍କ ୭୩ ରନ୍‌ ସହାୟତାରେ ଝାରସୁଗୁଡ଼ା ଦ୍ବିଶତକୀୟ ସ୍କୋର କରିଥିଲା ବେଳେ ରିତେଶ ପ୍ରିୟରଂଜନ (୬/୩୫) ଭୁବନେଶ୍ବର ପାଇଁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ।