ଆଜିଠୁ କଳାହାଣ୍ଡି କପ୍‌ ସୁପରଲିଗ୍‌: ପ୍ରତିଦ୍ବନ୍ଦ୍ବିତାରେ ୧୨ ଦଳ

ଗ୍ରିନ୍‌ ପକ୍ଷରୁ ଖେଳିବେ ଅଂଶୁମାନ

କଟକ: ଓଡ଼ିଶା କ୍ରିକେଟ ସଂଘ ଆନୁକୂଲ୍ୟରେ ଚାଲିଥିବା କଳାହାଣ୍ଡି କପ୍‌ର ସୁପରଲିଗ୍‌ ପର୍ଯ୍ୟାୟ ଶୁକ୍ରବାରଠୁ ଆରମ୍ଭ ହେବ। ତେବେ ଏଥର ସୁପରଲିଗ୍‌ ଦଳଗୁଡ଼ିକ ମଧ୍ୟରେ କିଛିଟା ପରିବର୍ତ୍ତନ କରାଯାଇଛି। ଲିଗ୍‌ ପର୍ଯ୍ୟାୟରୁ ଯୋଗ୍ୟତା ଅର୍ଜନ କରିଥିବା ୬ ଦଳ ସହିତ ଅବଶିଷ୍ଟ ଓଡ଼ିଶା ‘ଏ’ ଓ ‘ବି’ ନାମରେ ଦୁଇଟି ଦଳ ସୁପରଲିଗ୍‌ରେ ଖେଳିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା। କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ୱାସିମ ଜାଫରଙ୍କ ପରାମର୍ଶକ୍ରମେ ସୁପରଲିଗ୍‌ ଦଳ ସଂଖ୍ୟା ୮ରୁ ୧୨କୁ ବୃଦ୍ଧି କରାଯାଇଛି। ଯାହାଫଳରେ ଯୋଗ୍ୟତା ଅର୍ଜନ କରିଥିବା ୬ ଦଳ ବ୍ୟତୀତ ଅବଶିଷ୍ଟ ଓଡ଼ିଶାର ୬ଟି ଦଳ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହେବେ। ଅବଶିଷ୍ଟ ଓଡ଼ିଶା ଦଳଗୁଡ଼ିକୁ ରେଡ୍‌, ଗ୍ରିନ୍‌, ୟେଲୋ, ବ୍ଲ୍ୟୁ, ଭାଓଲେଟ, ପିଙ୍କ୍‌ ନାମରେ ନାମିତ କରାଯାଇଛି। ଏହି ଦଳଗୁଡ଼ିକୁ ନେଇ ଦୁଇଟି ଗ୍ରୁପ୍‌ କରାଯାଇଛି। ଗ୍ରୁପ୍‌ ‘ଏ’ରେ ଇକୋର୍ସା, ସୁନ୍ଦରଗଡ଼, ଖୋର୍ଦ୍ଧା, ବ୍ଲୁ, ଗ୍ରିନ୍‌, ୟେଲୋ ଏବଂ ଗ୍ରୁପ୍‌ ‘ବି’ରେ ଝାରସୁଗୁଡ଼ା, କଟକ -ଏ, ରାଉରକେଲା, ରେଡ୍‌, ଭାଓଲେଟ୍‌, ପିଙ୍କ୍‌ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାର ସମସ୍ତ ମ୍ୟାଚ୍‌ କଟକର ଡ୍ରିମ୍ସ, ସନସାଇନ୍‌, ଏସ୍‌ସିବି ‌ମେଡିକାଲ, ରେଭେନ୍ସା ୧ ଓ ୨, ବିଡ଼ାନାସୀ, ନିମପୁର ପଡ଼ିଆରେ ଖେଳାଯିବ। ପ୍ରତ୍ୟେକ ଦିନ ୬ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ। ୨୫ ତାରିଖ ପର୍ଯ୍ୟନ୍ତ ସୁପରଲିଗ୍‌ ପର୍ଯ୍ୟାୟ ଚାଲିବ।

ଗ୍ରିନ୍‌ ପକ୍ଷରୁ ଖେଳିବେ ଅଂଶୁମାନ
ହଂକଂ ଦଳର ପୂର୍ବତନ ଅଧିନାୟକ ତଥା ଓଡ଼ିଆ ପୁଅ ଅଂଶୁମାନ ରଥ କଳାହାଣ୍ଡି କପ୍‌ରେ ଖେଳିବେ। ଶୁକ୍ରବାରଠୁ ଆରମ୍ଭ ହେଉଥିବା ସୁପରଲିଗ୍‌ ପର୍ଯ୍ୟାୟରେ ଅଂଶୁମାନ ଅବଶିଷ୍ଟ ଓଡ଼ିଶା ଗ୍ରୀନ୍‌ ଦଳରେ ସ୍ଥାନ ପାଇଛନ୍ତି। ଯଦିଓ ସେ ଲିଗ୍‌ ପର୍ଯ୍ୟାୟରେ ଖେଳିନାହାନ୍ତି, ତଥାପି ଅନ୍ତଃକ୍ଲବ୍‌ ପ୍ରତିଯୋଗିତାର ପ୍ରଦର୍ଶନ ଓ ଆନ୍ତର୍ଜାତିକ ସଂଖ୍ୟାକୁ ଦୃଷ୍ଟିରେ ରଖି ତାଙ୍କୁ ସୁପରଲିଗ୍‌ରେ ଖେଳିବାକୁ ସୁଯୋଗ ଦିଆଯାଇଥିବା ଜଣାପଡ଼ିଛି। ଅନ୍ତଃକ୍ଲବ୍‌ ପ୍ରତିଯୋଗିତାରେ ସେ ଭୁବନେଶ୍ବରର ପ୍ରଗତି ସ୍ପୋର୍ଟିଂ ପକ୍ଷରୁ ୪ଟି ମ୍ୟାଚ୍‌ ଖେଳିଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ ମହାରାଜା କ୍ରିକେଟ ସଂଘ ବିପକ୍ଷରେ ୧୩୮, ଜୟଦେବ ବିପକ୍ଷରେ ୯୬, କିଶୋର ସ୍ପୋର୍ଟିଂ ବିପକ୍ଷରେ ୧୫୨ ରନ୍‌ ସଂଗ୍ରହ କରିଥିଲା ବେଳେ ରାମେଶ୍ବର ସ୍ପୋର୍ଟିଂ ବିପକ୍ଷରେ ଖାତା ଖୋଲିପାରିନଥିଲେ। ତଥାପି ତାଙ୍କ ପ୍ରଦର୍ଶନକୁ ଆଧାରକରି ତାଙ୍କୁ ‘ଓସିଏ’ର ସ୍ବତନ୍ତ୍ର ଶିବିରରେ ଅଭ୍ୟାସ କରିବାକୁ ସୁଯୋଗ ଦିଆଯାଇଥିଲା। କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ୱାସିମ ଜାଫର ଏହି ଶିବିରର ସମସ୍ତ ଖେଳାଳିଙ୍କୁ କଳାହାଣ୍ଡି କପ୍‌ରେ ଖେଳିବା ପାଇଁ ପରାମର୍ଶ ଦେଇଥିବାରୁ ଅଂଶୁମାନଙ୍କୁ ଗ୍ରୀନ୍‌ ଦଳରେ ସାମିଲ କରାଯାଇଛି।

ଭୁବନେଶ୍ବର ସତ୍ୟନଗର ବାସିନ୍ଦା ଅଂଶୁମାନଙ୍କ ଜନ୍ମ ହଂକଂରେ ହୋଇଥିଲା। ତାଙ୍କ ପରିବାର ୯୦ ଦଶକର ଶେଷ ଭାଗ ଆଡ଼କୁ ହଂକଂ ଚାଲିଯାଇଥିଲା ବେଳେ ସେଠାରେ ୧୯୯୭ରେ ଅଂଶୁମାନଙ୍କ ଜନ୍ମ ହୋଇଥିଲା। ହଂକଂ ପାଇଁ ୨୦୧୪ ମସିହାରେ ଅଷ୍ଟ୍ରେଲିଆରେ ପପୁଆ ନିଉ ଗିନିଆ ବିପକ୍ଷରେ ସେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ୨୦୧୭ରେ ବିଶ୍ବ କ୍ରିକେଟ ଲିଗ୍‌ରେ ନେଦରଲାଣ୍ଡ ବିପକ୍ଷରେ ସେ ପ୍ରଥମ ଲିଷ୍ଟ ଏ’ ଶତକ ଅର୍ଜନ କରିଥିଲେ। ସେହି ବର୍ଷ ଡିସେମ୍ବରରେ ପପୁଆ ନିଉ ଗିନିଆ ବିପକ୍ଷରେ ସେ ପ୍ରଥମ ଆନ୍ତର୍ଜାତିକ ଦିନିକିଆ ଶତକ (୧୪୩*) ମାରିଥିଲେ। ଏହା ଆନ୍ତର୍ଜାତିକ ଦିନିକିଆରେ ଯେକୌଣସି ହଂକଂ ବ୍ୟାଟ୍ସମ୍ୟାନଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା। ଏହି ସ୍କୋର ସହିତ ବିଶ୍ବ କ୍ରିକେଟ ଲିଗ୍‌ରେ ‌ମୋଟ ୧୦ ମ୍ୟାଚ୍‌ରୁ ସର୍ବାଧିକ ୬୭୮ ରନ୍‌ ସଂଗ୍ରହ କରିଥିଲେ। ୨୦୧୮ରେ ତାଙ୍କୁ ଏସିଆ କପ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଥିଲା। ଏହି ସମୟରେ ଦଳର ନିୟମିତ ଅଧିନାୟକ ବାବର ହାୟତ ନେତୃତ୍ବରୁ ଓହରିଯିବାରୁ ଅଂଶୁମାନଙ୍କୁ ଅଧିନାୟକ ଦାୟିତ୍ବ ନେବାର ସୁଯୋଗ ମିଳିଥିଲା। ଏସିଆ କପ୍‌ ପାଇଁ ଦଳ ଯୋଗ୍ୟତା ଅର୍ଜନ କରିବା ପରେ ତାଙ୍କୁ ଦଳର ନିୟମିତ ଅଧିନାୟକ ଭାବେ ଘୋଷଣା କରାଯାଇଥିଲା। ଏସିଆ କପ୍‌ରେ ଭାରତ ବିପକ୍ଷରେ ସେ ୭୩ ରନ୍‌ର ପାଳି ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସେ ଆନ୍ତର୍ଜାତିକ କ୍ରିକେଟରେ ମୋଟ ୧୮ ଦିନିକିଆରୁ ୧ ଶତକ ସହ ୮୨୮ ରନ୍‌ ଓ ୨୦‌ ଟ୍ବେଣ୍ଟି-୨୦ରୁ ୩୨୧ ରନ୍‌ ସଂଗ୍ରହ କରିଛନ୍ତି। ତେବେ ଭାରତରେ ଆଇପିଏଲ୍‌ ଖେଳିବାକୁ ତାଙ୍କର ଆଗ୍ରହ ରହିଥିବାରୁ ଏବଂ ଭାରତକୁ ପ୍ରତିନିଧିତ୍ବ କରିବାକୁ ଇଚ୍ଛା ଥିବାରୁ ସେ ୨୦୧୯ ସେପ୍ଟେମ୍ବରରେ ହଂକଂ ଛାଡ଼ି ଭାରତ ଫେରିଆସିଥିଲେ। ଭାରତରେ ବିଦର୍ଭ ପକ୍ଷରୁ ଖେଳିବା ପାଇଁ ଯୋଗାଯୋଗ ହୋଇଥିଲେ ବି ସେଠାକାର କ୍ରିକେଟ ନୀତି ଓ କନିଷ୍ଠ କ୍ରିକେଟରଙ୍କୁ ସୁଯୋଗ ଦିଆଯିବା ବ୍ୟବସ୍ଥା ଯୋଗୁଁ ଅଂଶୁମାନ ଦ୍ବିତୀୟ ରାଜ୍ୟ ସନ୍ଧାନରେ ଥିଲେ। ଓସିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଇପିଏଲ୍‌ରେ ତାଙ୍କୁ ଖେଳିବାକୁ ହେଲେ ରାଜ୍ୟ ଦଳ କିମ୍ବା ଘରୋଇ ଲିଗ୍‌ରେ ଭଲ ପ୍ରଦର୍ଶନ କରିବାକୁ କୁହାଯାଇଛି। ଏଥିପାଇଁ ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସୁପାରିସକ୍ରମେ ଅଂଶୁମାନଙ୍କୁ ଓଡ଼ିଶା ଘରୋଇ ପ୍ରତିଯୋଗିତାରେ ଖେଳାଇବା ପାଇଁ ସୁଯୋଗ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର