କିଲିଆନ କମାଲ, ମେସି ଅବସୋସ

୧୧ ମିନିଟ୍‌ରେ ସବୁକିଛି ଶେଷ

କାଜାନ: ଫିଫା ବିଶ୍ୱକପ୍‌ରେ ଆଉ ମେସି ମ୍ୟାଜିକ୍‌ ଦେଖିବାକୁ ମିଳିବ ନାହିଁ। ସାରା ଦୁନିଆରେ ଥିବା କୋଟି କୋଟି ମେସି ପ୍ରେମିଙ୍କ ହୃଦୟକୁ ଫ୍ରାନ୍ସ ଚୁରମାର କରି ଦେଇଛି। ୟୁରୋପୀୟ ଶକ୍ତି ଫ୍ରାନ୍ସ ଶନିବାର ରାତିର ଉତ୍କଣ୍ଠାପୂର୍ଣ୍ଣ ପ୍ରି-କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ମେସିଙ୍କ ଆର୍ଜେଣ୍ଟିନା ଦଳକୁ ୪-୩ ଗୋଲ୍‌ରେ ହରାଇ ବିଦାୟର ରାସ୍ତା ଦେଖାଇ ଦେଇଛି। ଫଳରେ ଆର୍ଜେଣ୍ଟିନାର ଚଳିତ ବିଶ୍ୱକପ୍‌ ଅଭିଯାନ ଅକାଳରେ ଶେଷ ହୋଇ ଯାଇଛି। ତା’ ସହ ମେସିଙ୍କ ବିଶ୍ୱକପ୍‌ ବିଜୟ ସ୍ୱପ୍ନ ମଧ୍ୟ ମଉଳି ଯାଇଛି। ମହାନ ଖେଳାଳି ତାଲିକାର ଶୀର୍ଷରେ ରହି ବିଶ୍ୱକପ୍‌ ଜିତି ପାରି ନଥିବା ହତଭାଗା ଖେଳାଳିଙ୍କ ତାଲିକାରେ ସମ୍ଭବତଃ ସେ ସ୍ଥାନ ପାଇଛନ୍ତି। କାରଣ ମସ୍କୋ ବିଶ୍ୱକପ୍‌ ତାଙ୍କର ଶେଷ ବିଶ୍ୱକପ୍‌ ବୋଲି ସେ ହିଁ ଅନୌପଚାରିକ ଭାବେ ଘୋଷଣା କରି ସାରିଛନ୍ତି। ଶନିବାର ଲଢ଼େଇରେ ଆର୍ଜେଣ୍ଟିନା ଏକଦା ୨-୧ରେ ଆଗୁଆ ଥିଲା। ହେଲେ ୧୧ ମିନିଟ୍‌ ଭିତରେ ସବୁକିଛି ଶେଷ ହୋଇଗଲା। ୫୭ରୁ ୬୮ ମିନିଟ୍‌ ଭିତରେ ତିନିଟି ଗୋଲ୍‌ କରି ଫ୍ରାନ୍ସ ମ୍ୟାଚ୍‌ ଏବଂ କ୍ୱାର୍ଟର ଫାଇନାଲ୍‌ ଟିକେଟ୍‌ କବଜା କରି ନେଇଥିଲା। ଫ୍ରାନ୍ସ ୪-୨ରେ ମ୍ୟାଚ୍‌ ଶେଷ କରିବା ଆଡ଼କୁ ଅଗ୍ରସର ହେଉଥିଲା ବେଳେ ଷ୍ଟପେଜ୍‌ ଟାଇମରେ ସର୍ଗିଓ ଆଗୁରେ ସେଥିରୁ ଗୋଟିଏ ଗୋଲ୍‌ ଶୁଝି ଥିଲେ। ହେଲେ ସେତେବେଳକୁ ଆଉ କିଛି ନଥିଲା। ଗୋଟିଏ ଗୋଲ୍‌ ବ୍ୟବଧାନରେ ପରାଜିତ ହୋଇ ଆର୍ଜେଣ୍ଟିନା ଦୁଃଖଦ ବିଦାୟ ନେଇଥିଲା। ଫ୍ରାନ୍ସ ପକ୍ଷରୁ ଆଣ୍ଟୋନି ଗ୍ରିଜମ୍ୟାନ୍‌ (୧୩), ବେଞ୍ଜାମିନ ପାଭାର୍ଡ (୫୭) ଓ ୧୯ ବର୍ଷୀୟ କିଲିଆନ୍‌ ଏମ୍‌ବାପେ (୬୪, ୬୮) ଗୋଲ୍‌ କରିଥିଲେ। ଆର୍ଜେଣ୍ଟିନା ପାଇଁ ଆଞ୍ଜେଲ ଡି’ ମାରିଆ (୪୧), ଗାବ୍ରିଏଲ୍‌ ମର୍କାଡୋ (୪୮) ଓ ଆଗୁରୋ (୯୦+୩) ଗୋଲ୍‌ କରିଥିଲେ।

ବିଶ୍ୱକପ୍‌ରେ ଆର୍ଜେଣ୍ଟିନା କେବେ ବି ଫ୍ରାନ୍ସଠାରୁ ହାରି ନଥିବାରୁ ଏହି ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଥିଲା। ପ୍ରଥମ ୫୦ ମିନିଟ୍‌ ଖେଳ ମଧ୍ୟ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ରହିଥିଲା। ଗତ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ବିଜୟୀ କରାଇଥିବା ମାର୍କୋସ୍‌ ରୋଜୋ ୧୧ ମିନିଟ୍‌ରେ ହଳଦିଆ କାର୍ଡ ପାଇବା ସତ୍ତ୍ୱେ ଆର୍ଜେଣ୍ଟିନା ପ୍ରଥମାର୍ଧରେ ଫ୍ରାନ୍ସକୁ କଡ଼ା ଟକ୍କର ଦେଇଥିଲା। ତ୍ରୟୋଦଶ ମିନିଟ୍‌ରେ ଆଣ୍ଟୋନି ଗ୍ରିଜମ୍ୟାନ୍‌ ସ୍ପଟ୍‌ କିକ୍‌ରୁ ଫ୍ରାନ୍ସ ପାଇଁ ଗୋଲ୍‌ ଖାତା ଖୋଲିଥିଲେ। ଆଞ୍ଜେଲ ଡି’ ମାରିଆଙ୍କ ମାଧ୍ୟମରେ ଆର୍ଜେଣ୍ଟିନା ପ୍ରଥମାର୍ଧ ଖେଳ ଶେଷ ହେବାର ୪ ମିନିଟ୍‌ ପୂର୍ବରୁ ଏହାକୁ ଶୁଝି ଦେଇଥିଲା। ପ୍ରଥମାର୍ଧ ୧-୧ରେ ଶେଷ ହେବା ପରେ ଦ୍ୱିତୀୟାର୍ଧର ତୃତୀୟ ମିିନିଟ୍‌ରେ ଆର୍ଜେଣ୍ଟିନା ଆଗୁଆ ହୋଇ ଯାଇଥିଲା। ମେସିଙ୍କ ସୁନ୍ଦର ପାସ୍‌କୁ ଗୋଲ୍‌ କରି ଗାବ୍ରିଏଲ୍‌ ମର୍କାଡୋ ନିଜ ଦଳକୁ ଆଗୁଆ କରି ଦେଇଥିଲେ। ହେଲେ ଏହା ପରେ ଯେମିତି ଆର୍ଜେଣ୍ଟିନା ରକ୍ଷଣଭାଗରେ ଘଳିଆ ପଡ଼ି ଯାଇଥିଲା। ରକ୍ଷଣଭାଗର ଦୁର୍ବଳତା ସହ ଗୋଲ୍‌ ରକ୍ଷକଙ୍କ ଦୂରଦୃଷ୍ଟିହୀନତା ପାଇଁ ଏହି ଦକ୍ଷିଣ ଆମେରିକୀୟ ଦଳ ୧୧ ମିନିଟ୍‌ ଭିତରେ ତିିନିଟି ଗୋଲ୍‌ ଖାଇଥିଲା। ଫ୍ରାନ୍ସ ଲଗାତାର ଗୋଲ୍‌ କରୁଥିଲା ବେଳେ ହତାଶ ମେସି କେବଳ ଯାହା ଦେଖଣାହାରୀ ସାଜିଥିଲେ। ୫୭ ମିନିଟ୍‌ରେ ବେଞ୍ଜାମିନ ପାଭାର୍ଡଙ୍କ ଗୋଲ୍‌ ବଳରେ ଫ୍ରାନ୍ସ ସ୍ଥିତି ୨-୨ କରି ନେଇଥିଲା। ଏହା ପରେ କିଲିଆନ୍‌ ଏମ୍‌ବାପେ ନିଜ କମାଲ ଦେଖାଇଥିଲେ। ୬୪ ଏବଂ ୬୮ ମିନିଟ୍‌ରେ ଦୁଇଟି ଗୋଲ୍‌ ଦେଇ ସେ ହିଁ ଫ୍ରାନ୍ସ ବିଜୟକୁ ପକ୍କା କରି ଦେଇଥିଲେ। ଷ୍ଟପେଜ୍‌ ଟାଇମ୍‌ର ତୃତୀୟ ମିନିଟରେ ବଦଳ ଖେଳାଳି ସର୍ଗିଓ ଆଗୁରୋ ସେଥିମଧ୍ୟରୁ ଗୋଟିଏ ଗୋଲ୍‌ ଶୁଝିଥିଲେ। ହେଲେ ସେତେବେଳକୁ ସମ୍ଭବତଃ ବିଳମ୍ବ ହୋଇ ଯାଇଥିଲା। ଶେଷ ମିନିଟ୍‌ରେ ଉଭୟ ଦଳର ଖେଳାଳି ପରସ୍ପରକୁ ପେଲାଠେଲା କରିଥିଲେ। ଶେଷ ୧୦ ସେକେଣ୍ଡରେ ଆର୍ଜେଣ୍ଟିନା ମଧ୍ୟ ଏକ ଭଲ ପ୍ରତି ଆକ୍ରମଣ କରିଥିଲା। ହେଲେ ଏହାକୁ ଗୋଲ୍‌ରେ ରୂପାନ୍ତର କରି ନପାରି ଗୋଟିଏ ଗୋଲ୍‌ ବ୍ୟବଧାନରେ ପରାଜିତ ହୋଇଥିଲା। କ୍ରି-କ୍ୱାର୍ଟରର ପ୍ରଥମ ତଥା ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଉଭୟ ଦଳର ୮ ଜଣ ଖେଳାଳି ହଳଦିଆ କାର୍ଡ ପାଇଥିଲେ। ଆର୍ଜେଣ୍ଟିନା ଖେଳାଳି କାନ୍ଦି କାନ୍ଦି ପଡ଼ିଆ ବାହାରକୁ ଯାଉଥିଲା ବେଳେ ଫ୍ରାନ୍ସ ଖେଳାଳିଙ୍କ ଉତ୍ସବ ପାଳନ ଦେଖିଲା ଭଳି ଥିଲା। ଆର୍ଜେଣ୍ଟିନା-ଫ୍ରାନ୍ସ ମଧ୍ୟରେ ଏହା ଦ୍ୱାଦଶ ମୁକାବିଲା ଥିଲା। ଆର୍ଜେଣ୍ଟିନା ବିପକ୍ଷରେ ୟୁରୋପୀୟ ଶକ୍ତି ଫ୍ରାନ୍ସ ତୃତୀୟ ବିଜୟ ହସଲ କରିଥିଲା। ବିଶ୍ୱକପ୍‌ରେ କିନ୍ତୁ ଆର୍ଜେଣ୍ଟିନା ବିପକ୍ଷରେ ଫ୍ରାନ୍ସର ଏହା ପ୍ରଥମ ବିଜୟ ଥିଲା।

ସମ୍ବନ୍ଧିତ ଖବର