ଭୁବନେଶ୍ୱର: ଗୁରୁବାର ସୁପର କପ୍ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ଚର୍ଚିଲ ବ୍ରଦର୍ସ ୨-୧ ଗୋଲ୍ରେ ଦିଲ୍ଲୀ ଡାଇନାମସ୍ ଦଳକୁ ପରାସ୍ତ କରିଛି। ଆଜି ମ୍ୟାଚ୍ର ଫଳାଫଳ ୯୦ ମିନିଟ୍ର ନିର୍ଧାରିତ ସମୟ ଏବଂ ୪ ମିନିଟ୍ର ଇଞ୍ଜୁରି ଟାଇମରେ ମିଳି ପାରି ନଥିଲା। ଏହି ସମୟ ମଧ୍ୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇ ୧-୧ରେ ସମାନ ସ୍ତରରେ ରହିଥିଲେ। ଫଳରେ ଅତିରିକ୍ତ ସମୟରେ ହିଁ ଫଇସଲା ହୋଇଥିଲା। ଗୁରବାର ସଂଧ୍ୟାରେ ଦିଲ୍ଲୀ ପ୍ରଥମେ ବଲ୍ ଗଡ଼ାଇବା ପରେ ପଞ୍ଚମ ମିନିଟରେ ହିଁ ଏହି ଦଳର ନାଇଜେରୀୟ ଅଧିନାୟକ କାଲୁ ଉଚେ ଏକ ସୁନ୍ଦର ଗୋଲ୍ ଦେଇ ନିଜ ଦଳକୁ ଆଗୁଆ କରି ଦେଇଥିଲେ। ପାଖାପାଖି ଅଧଘଣ୍ଟାଏ ପରେ ଚର୍ଚିଲ ଏହି ଗୋଲ୍ଟିକୁ ଶୁଝି ପାରିଥିଲା। ଓ୍ଵିଲିସ୍ ପ୍ଲାଜା ୩୪ ମିନିଟ୍ରେ ଏହି ଗୋଲ୍ଟିକୁ ଦେଇଥିଲେ। ପ୍ରଥମାର୍ଧର ବଳକା ୧୧ ମିନିଟ୍ରେ ଉଭୟ ଦଳ ବହୁ ଚେଷ୍ଟା କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ଫଳରେ ପ୍ରଥମାର୍ଧ ୧-୧ରେ ଶେଷ ହୋଇଥିଲା। ଦ୍ୱିତୀୟାର୍ଧରେ ମଧ୍ୟ ଏହି ସ୍ଥିତି ଅପରିବର୍ତିତ ରହିଥିଲା। ଉଭୟ ଦଳ ଆଉ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ସେଥିପାଇଁ ୯୦ ମିନିଟର ଖେଳ ସେହି ୧-୧ରେ ଶେଷ ହୋଇଥିଲା। ସେଥିପାଇଁ ଅତିରିକ୍ତ ସମୟର ସହାୟତା ନିଆଯାଇଥିଲା। ଏହାର ଅଷ୍ଟମ ମିନିଟ୍ରେ ପ୍ଲାଜା ବ୍ୟକ୍ତିଗତ ଭାବେ ଦ୍ୱିତୀୟ ଏବଂ ମ୍ୟାଚ୍ର ତୃତୀୟ ଗୋଲ୍ ଦେଇ ଚର୍ଚିଲ ବ୍ରଦର୍ସକୁ ବିଜୟୀ କରାଇଥିଲେ। ଚର୍ଚିଲ ମଧ୍ୟ ପ୍ରଥମ ଦଳ ଭାବେ ଚଳିତ ମାସ ୩୧ରୁ ଆରମ୍ଭ ହେବାକୁ ଥିବା ମୁଖ୍ୟ ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରି ନେଇଥିଲା।
ନର୍ଥ ଇଷ୍ଟ୍ର ନାକ କାଟିଲା ଗୋକୁଳମ୍
ସୁପର କପ୍ର ଦ୍ୱିତୀୟ ମୁକାବିଲାରେ ନର୍ଥ ଇଷ୍ଟ ୟୁନାଇଟେଡ୍କୁ କେରଳର ଗୋକୁଳମ୍ ଏଫସି ୨-୦ରେ ପରାସ୍ତ କରିଛି। ଫଳରେ ଦ୍ୱିତୀୟ ଦଳ ଭାବେ ଆସନ୍ତା ୩୧ ତାରଖରେ ଖେଳା ଯିବାକୁ ଥିବା ମୁଖ୍ୟ ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିଛି। ଗୁରୁବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍ର ପ୍ରଥମାର୍ଧ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ଗୋକୁଳମ ଦଳ ପ୍ରଥମ ୧୦ ମିନିଟ୍ ପର୍ଯ୍ୟନ୍ତ ନର୍ଥ ଇଷ୍ଟ୍ ଖେଳାଳିଙ୍କ ଗତି ଓ କୌଶଳ ସହ ତାଳ ଦେଇ ପାରି ନଥିଲା। ହେଲେ ପରେ ଲୟକୁ ଫେରି ପ୍ରଥମାର୍ଧର ଏକମାତ୍ର ଗୋଲ୍ ଦେଇ ଆଗୁଆ ରହିଥିଲା। ଏହି ଗୋଲ୍ଟି ଗୋକୁଳମର ଉଗାଣ୍ଡାରୁ ଆସିଥିବା ଖେଳାଳି ହେନରି କିସେକା ଦେଇଥିଲେ। ଚର୍ତୁଦଶ ମିନିଟ୍ରେ ନର୍ଥଇଷ୍ଟ ଗୋଲ୍ ରକ୍ଷକ ରେହେନେଶ ବରମ୍ବାଙ୍କୁ ଚକମା ଦେଇ ଏହି ସଫଳତା ଲାଭ କରିଥିଲେ। ନର୍ଥ ଇଷ୍ଟ ଏହି ଗୋଲ୍ଟିକୁ ଶୁଝାଇବାକୁ ସବୁ ବଳ ଖଟାଇ ଦେଇଥିଲା। ଏପରିକି ୪୫ତମ ମିନିଟ୍ରେ ଗୋଲ୍ ଦେବାର ଦ୍ୱାର ଦେଶରେ ପହଞ୍ଚି ଯାଇଥିଲା। ହେଲେ ଗୋକୁଳମ ଗୋଲ୍ ରକ୍ଷକ ନିଖିଲ ବର୍ଣ୍ଣାଡ ଏହାକୁ ନିଷ୍ଫଳ କରି ଦେଇଥିଲେ। ପ୍ରଥମାର୍ଧର ଅଧିକାଂଶ ସମୟ ବଲ୍ ନର୍ଥଇଷ୍ଟ ନିୟନ୍ତ୍ରଣରେ ରହିଥିଲା। ହେଲେ ଏହି ଦଳ ସୁଯୋଗକୁ ଗୋଲ୍ରେ ରୂପାନ୍ତର କରିବାରେ ବିଫଳ ହୋଇଥିଲା। ଯାହାର ଭରପୁର ଫାଇଦା ଗୋକୁଳମ ଉଠାଇଥିଲା। ଦ୍ୱିତୀୟାର୍ଧରେ ବି ଗୋକୁଳମ୍ ନର୍ଥ ଇଷ୍ଟକୁ କୌଶଳ କ୍ରମେ ଚକମା ଦେବାକୁ ସକ୍ଷମ ହୋଇଥିଲା। ୭୪ ମିନିଟ୍ରେ ଅର୍ଜୁନ ଜୟରାଜଙ୍କଠାରୁ ପାଇଥିବା ପାସ୍କୁ କିସେକା ଚତୁରତାର ସହ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ମ୍ୟାଚ୍ ଏବଂ ବ୍ୟକ୍ତିଗତ ଭାବେ ଦ୍ୱିତୀୟ ଗୋଲ୍ ଦେଇଥିଲେ। ଗୋକୁଳମ୍ ବିଜୟ ସେହିଠାରେ ହିଁ ନିଶ୍ଚିତ ହୋଇ ଯାଇଥିଲା। ବଳକା ୨୬ ମିନିଟ୍ରେ ନର୍ଥଇଷ୍ଟ ବହୁ ଚେଷ୍ଟା କରିଥିଲେ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା। ଫଳରେ ୨-୦ର ଏକତରଫା ବିଜୟ ସହ ଗୋକୁଳମ୍ ମୁଖ୍ୟ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିନେଇଥିଲା।
ସୁପର କପ୍ର ଫିକା ପଦାର୍ପଣ
ଏସୀୟ ଦୌଡ଼କୁଦ ଓ ହକି ବିଶ୍ୱ ଲିଗ୍ ଭଳି ବୃହତ୍ ପ୍ରତିଯୋଗିତା ଆୟୋଜନ କରି ଅଜସ୍ର ପ୍ରଶଂସା ସାଉଣ୍ଟି ଥିଲା ଓଡ଼ିଶା। ଏହି ଦୁଇ ପ୍ରତିଯୋଗିତା ଲାଗି ସ୍ଥାନୀୟ ଦର୍ଶକଙ୍କ ଉତ୍ସାହ ବି ଦେଖିଲା ଭଳି ଥିଲା। ବ୍ୟାପକ ପ୍ରଚାର ପ୍ରସାର ସହ ଆୟୋଜକ ଏବଂ ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ ତଥା ଅନ୍ତର୍ଜାତୀୟ ହକି ମହାସଂଘ ମଧ୍ୟରେ ଉତ୍ତମ ସମନ୍ଵୟ ପାଇଁ ଏହା ହୋଇ ପାରିଥିଲା। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମଧ୍ୟ ଏହି କ୍ଷେତ୍ରରେ ବଳିଷ୍ଠ ଭୂମିକା ତୁଲାଇଥିଲା। ହେଲେ ଗତ ମାସରେ ଆୟୋଜିତ ଆଇଏସ୍ଏଲ୍ ମ୍ୟାଚ୍ ବେଳକୁ ଉଭୟ ଦର୍ଶକ ଓ ଆୟୋଜକଙ୍କ ଉତ୍ସାହ ତୁଳନାତ୍ମକ ଭାବେ କମି ଯାଇଥିଲା। ତଥାପି ଜାମେସଦ୍ପୁର ଏଫ୍ସି ଏବଂ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍ ବେଳେ କଳିଙ୍ଗ ଷ୍ଟାଡିୟମରେ ପାଖାପାଖି ୧୦,୦୦୦ରୁ ଅଧିକ ଦର୍ଶକ ରୁଣ୍ଡ ହୋଇଥିଲେ। ହେଲେ ଗୁରୁବାର ଆରମ୍ଭ ହୋଇଥିବା ସୁପର କପ୍ ଯୋଗ୍ୟତା ପର୍ଯ୍ୟାୟ ବେଳେ କିନ୍ତୁ ଏମିତି କିଛି ଦେଖିବାକୁ ମିଳି ନଥିଲା। ଦର୍ଶକଙ୍କ ମଧ୍ୟରେ ଆପାତତଃ କୌଣସି ଉତ୍ସାହ ନଥିଲା ବେଳେ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଓ ଏଆଇଏଫଏଫ୍ ମଧ୍ୟରେ ଯେମିତି କୌଣସି ସମନ୍ଵୟ ଏବଂ ସଂପର୍କ ନଥିଲା ଭଳି ମନେ ହୋଇ ଥିଲା। କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ମରୁଡ଼ି ପାଇଁ ମାହୋଲ ପୂରା ଖାଁ ଖାଁ ଲାଗୁଥିଲା। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କ ଲାପଟପ୍ରେ ବିଦ୍ୟୁତ ସଂଯୋଗ କରିବା ଲାଗି ପ୍ଲଗ୍ ପଏଣ୍ଟଟିଏ ମଧ୍ୟ ନଥିଲା। ମିଡିଆ ଟ୍ରିବ୍ୟୁନରେ ମାତ୍ର ତିନିଟି ଏକ୍ସଟେନସନ୍ ପ୍ଲଗ୍ ଲଗା ଯାଇଥିଲା। ମୋଟା ମୋଟି ଭାବେ କହିବାକୁ ଗଲେ ଘୋର ଅବ୍ୟବସ୍ଥା ମଧ୍ୟରେ ପ୍ରତିଯୋଗିତାର ଆରମ୍ଭ ହୋଇଥିଲା। ଟିକେଟ ଦର ଅଧିକ ରହିବା ମଧ୍ୟ ଏହାର ଅନ୍ୟତମ କାରଣ ଥିଲା। ତଥାପି ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ସୁପର କପ୍ର ପଦାର୍ପଣ ପାଇଁ ଓଡ଼ିଶା କ୍ରୀଡ଼ାରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଗଲା।
ଦର୍ଶକ ବିହୀନ ମ୍ୟାଚ୍
ଗୁରୁବାର ମ୍ୟାଚ୍ ପାଇଁ ଟିକେଟ ବିକ୍ରି ମାତ୍ର ଦୁଇ ଦିନ ତଳୁ ଆରମ୍ଭ ହୋଇଥିଲା। ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନରେ ଟିକେଟ ବିକ୍ରି ବ୍ୟବସ୍ଥା କରାଯାଇଥିଲା। ହେଲେ ରାଜଧାନୀ କ୍ରୀଡ଼ାପ୍ରେମୀଙ୍କ ପାଖରେ ଏହି ଖବର ପହଞ୍ଚାଇବାରେ ଆୟୋଜକ ବିଫଳ ହୋଇଥିଲେ। ସେଥିପାଇଁ ମ୍ୟାଚ୍ର ମାତ୍ର ଅଢ଼େଇ ଶହରୁ ତିନି ଶହ ଟିକେଟ ବିକ୍ରି ହୋଇଥିଲା ବୋଲି ଟିକେଟ ବିକ୍ରି ଦାୟିତ୍ୱରେ ଥିବା ସଂସ୍ଥାର କର୍ମଚାରୀ ପ୍ରକାଶ କରିଥିଲେ। କିସ୍ରୁ ୧୦୦ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ଛାଡ଼ିଦେଲେ ପୂରା ଗ୍ୟାଲେରି ଏକ ପ୍ରକାର ଖାଲି ପଡ଼ିଥିଲା। ଦର୍ଶକ ମରୁଡ଼ି ପାଇଁ ଉଭୟ ମ୍ୟାଚ୍ ସେମାନଙ୍କ ଆକର୍ଷଣ କରାଇଥିଲା। ପ୍ରଥମ ମ୍ୟାଚ୍ ବେଳେ କିଛି ଦର୍ଶକ ଥିଲେ। ହେଲେ ଦ୍ୱିତୀୟ ମ୍ୟାଚ୍ ବେଳକୁ ଏହି ସଂଖ୍ୟା ଆହୁରି କମି ଯାଇଥିଲା।
କଳିଙ୍ଗରେ ଆଶୀର୍ବାଦ
କଳିଙ୍ଗ ଷ୍ଟାଡିୟମ୍ରେ ଗୁରୁବାର ଓଡ଼ିଶା କ୍ରିକେଟ୍ ସଂଘର ପୂର୍ବତନ ସଂପାଦକ ତଥା ରାଜ୍ୟ କ୍ରୀଡ଼ାର ସର୍ବାଧିକ ଚର୍ଚିତ ସଂଗଠକ ଆଶୀର୍ବାଦ ବେହେରାଙ୍କୁ ଦେଖିବାକୁ ମିଳିଥିଲା। ବିଜେଡି ନେତା ତଥା ଫାଓ ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ବି ଦେଖିବାକୁ ମିଳିଥିଲା। କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ କ୍ରୀଡ଼ା ସଚିବ ବିଶାଲ ଦେବ ବି ଉପସ୍ଥିତ ଥିଲେ। ସେହିଭଳି ରାଜ୍ୟ ଫୁଟ୍ବଲର କିଛି ନାମୀଦାମୀ ବ୍ୟକ୍ତିତ୍ୱ ବି ମ୍ୟାଚ୍ ଦେଖିବାକୁ ଆସିଥିଲେ।