କଳିଙ୍ଗରେ ଯୁଗଳ ଯୁଦ୍ଧ

ହକି ପାଗଳ ପ୍ରବାସୀ କ୍ଲବ୍‌

ଭୁବନେଶ୍ୱର(ଦେବାଶିଷ ସୁନ୍ଦରାୟ): କ୍ରିକେଟ୍‌ ଦେଶର ସବୁଠାରୁ ଲୋକପ୍ରିୟ ଖେଳ। ହକି ମଧ୍ୟ କିଛି କମ୍‌ ନୁହେଁ। କ୍ରିକେଟ୍‌ର ପାଗଳ ପ୍ରଶଂସକଙ୍କ ଭଳି ଏମିତି ବି ହକି ପ୍ରେମୀ ଅଛନ୍ତି ଯିଏ ନିୟମିତ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଇ ଭାରତୀୟ ହକି ଦଳକୁ ଉତ୍ସାହିତ କରନ୍ତି। ବିଶ୍ୱକପ୍‌ ହେଉ କି ହକି ବିଶ୍ୱ ଲିଗ୍‌ ସେମିଫାଇନାଲ୍‌। ଦ୍ୱିପାକ୍ଷିକ ଶୃଙ୍ଖଳା ହେଉ କି ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତା ଭାରତୀୟ ହକି ଦଳ ଜୁଆଡ଼େ ଯାଏ, ସେମାନେ ତା’ ପଛେ ପଛେ ସେଠାରେ ପହଞ୍ଚି ଯାଆନ୍ତି। ଦର୍ଶକ ଗ୍ୟାଲେରିରେ ବସି ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାନ୍ତି। ଇଂଲଣ୍ଡର କ୍ରିକେଟ୍‌ ପ୍ରଶଂସକ କ୍ଲବ୍‌ ‘ବାର୍ମି ଆର୍ମି’ଭଳି ସେମାନେ ଗଢ଼ିଛନ୍ତି ‘ଓ୍ଵାନ୍‌ ଟିମ୍‌ ଓ୍ଵାନ୍‌ ଡି୍ରମ୍‌’ କ୍ଲବ୍‌। ଅଧିକାଂଶ ପ୍ରବାସୀ ଭାରତୀୟ ଥିବା ଏହି କ୍ଲବର ସଦସ୍ୟମାନେ ଏକତ୍ରିତ ଭାବେ ବିଶ୍ୱର କୋଣ ଅନୁକୋଣକୁ ଯାଇ ଗତ ୨୭ ବର୍ଷ ହେବ ଭାରତୀୟ ହକି ଦଳକୁ ଉତ୍ସାହିତ କରି ଆସୁଛନ୍ତି। ଲଣ୍ଡନରେ ରହି ମଧ୍ୟ ସେମାନେ ଭାରତୀୟ ହକିର ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି।

ହକି ଡୋରରେ ବାନ୍ଧି ହୋଇ ଲଣ୍ଡନର ହାଉନ୍ସଲୋରୁ ଭୁବନେଶ୍ୱର ଆସିଥିବା ଭାରତୀୟ ହକି ଦଳର ଦୁଇ ନିଆରା ପ୍ରଶଂସକ ଅବତାର ସିଂହ ଏବଂ ଶରଣ ନେଗିଙ୍କ ପାଇଁ ହକି ହିଁ ସବୁକିଛି। ଜୀବନର ସୟାହ୍ନରେ ପହଞ୍ଚିଥିଲେ ମଧ୍ୟ ଏହି ଦୁଇ ପ୍ରବାସୀ ଭାରତୀୟଙ୍କ ହକି ପ୍ରେମ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଅବତାର ଓ ଶରଣଙ୍କ ସହ ସେମାନଙ୍କ ପ୍ରଶଂସକ କ୍ଲବର ୧୫ ଜଣ ସଦସ୍ୟ ସଂପ୍ରତି ହକି ବିଶ୍ୱ ଲିଗ୍‌ ପାଇଁ ଭୁବନେଶ୍ୱରରେ ଡେରା ପକାଇଛନ୍ତି। କଳିଙ୍ଗ ଷ୍ଟାଡିୟମର ସୁନ୍ଦର ଓ ସୁଶୋଭିତ ନୀଳ ଟର୍ଫ ଏବଂ ଭୁବନେଶ୍ୱରରେ ହକି ବିଶ୍ୱ ଲିଗ୍‌କୁ ନେଇ ଥିବା ଉତ୍ସାହକୁ ଦେଖି ଉଭୟ ଚକିତ ହୋଇ ଯାଇଛନ୍ତି। ଭାରତୀୟ ହକି ଦଳର ସବୁ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବା ଏହି ଦୁଇ ଜଣ ଲଣ୍ଡନର ବ୍ୟସ୍ତ ବହୁଳ ଜୀବନ ଛାଡ଼ି ଓଡ଼ିଶା କେବଳ ହକି ମ୍ୟାଚ୍‌ ଦେଖିବାକୁ ଆସିଛନ୍ତି। ଅବତାର ଲଣ୍ଡନ ନିର୍ମାଣ ଉଦ୍ୟୋଗର ଜଣେ ସଫଳ ବ୍ୟବସାୟୀ ହୋଇଥିଲା ବେଳେ ଶରଣଙ୍କ କଂପ୍ୟୁଟର ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶର ବ୍ୟବସାୟ ରହିଛି। ଉଭୟ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହି ହକି ବିଶ୍ୱ ଲିଗ୍‌ର ସବୁ ମ୍ୟାଚ୍‌ ଉପଯୋଗ କରିବେ।

ପିଲାବେଳେ ହକି ଖେଳୁ ଖେଳୁ ଏହାର ପ୍ରେମରେ ପଡ଼ି ଯାଇଥିବା ସରଣ ଏବଂ ଅବତାର ନବେ ଦଶକରୁ ଭାରତୀୟ ହକି ଦଳକୁ ଅନୁସରଣ କରୁଛନ୍ତି। ହକି ଯେମିତି ଏହି ଦୁଇ ଜଣଙ୍କ ନିଶା ପାଲଟି ଯାଇଛି। କହିବାକୁ ଗଲେ ସେମାନଙ୍କ ରକ୍ତରେ ହକି ସାମିଲ ହୋଇଯାଇଛି। ସେମାନଙ୍କ ‘ଓ୍ଵାନ୍‌ ଟିମ୍‌ ଓ୍ଵାନ୍‌ ଡ୍ରିମ୍‌’ ହକି ପ୍ରଶଂସକ କ୍ଲବରେ ଏବେ ୧୫ ଜଣ ସଦସ୍ୟ ଅଛନ୍ତି। କେବେ କେବେ ଏହି ସଂଖ୍ୟା ୨୫ରେ ବି ପହଞ୍ଚିଯାଏ। ସେମାନେ ଏହି କ୍ଲବର ପାତାକା ତଳେ ବିଭିନ୍ନ ଦେଶକୁ ଭ୍ରମଣକରି ଭାରତୀୟ ହକି ଦଳର ମ୍ୟାଚ୍‌ ଦେଖନ୍ତି। ହାରିବା ଜିତିବା ସେମାନଙ୍କ ପାଇଁ କୌଣସି ଫରକ ହୋଇ ନଥାଏ। ଭାରତୀୟ ହକି ଦଳକୁ ସମର୍ଥନ କରିବା ହିଁ ସେମାନଙ୍କର ମୂଳ ଏବଂ ଏକମାତ୍ର ଲକ୍ଷ୍ୟ ଥାଏ।

ଶୁକ୍ରବାର ଉଦଘାଟନୀ ଦିବସରେ ଖେଳା ଯିବାକୁ ଥିବା ଦୁଇଟି ମ୍ୟାଚ୍‌ରେ ସେମାନେ ନିଜ କ୍ଲବର ସ୍ୱତନ୍ତ୍ର ପୋଷାକ ଏବଂ ବେଶଭୂଷା ସହ ପଡ଼ିଆକୁ ଓହ୍ଲାଇବେ ବୋଲି ‘ସମ୍ବାଦ’କୁ କହିଛନ୍ତି। ୧୫ ଜଣିଆ ଦଳରେ ଲଣ୍ଡନ ସହ ପଂଜାବ ଏବଂ ଦିଲ୍ଲୀର ହକି ପ୍ରଶଂସକମାନେ ମଧ୍ୟ ଅଛନ୍ତି। ସେମାନେ ନିୟମିତ ଭାବେ ବିଭିନ୍ନ ହକତି ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଦଳକୁ ଉତ୍ସାହିତ କରନ୍ତି। ଏପରିକି ଭୁବନେଶ୍ୱରରେ ଆସନ୍ତାବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍‌ ପାଇଁ ଉଭୟ ବିମାନ ଟିକେଟ କାଟିସାରିଥିଲା ବେଳେ ହୋଟେଲ ବୁକିଂ ବି କରି ସାରିଲେଣି। ୧୫ ଜଣିଆ ଦଳରେ ଏମିତି ଜଣେ ସଦସ୍ୟ ଅଛନ୍ତି ଯିଏ ୮ଟି ଅଲିମ୍ପିକ୍ସ ଏବଂ ପାଖାପାଖି ୧୦ ହକି ବିଶ୍ୱକପ୍‌ ଦେଖି ସାରିଛନ୍ତି। ଶରଣ କହିଛନ୍ତି ମୁଁ ଭୁବନେଶ୍ୱର ପ୍ରଥମ ଥର ପାଇଁ ଆସିଛି। ମୋ ଦୋକାନକୁ ଏଥିଲାଗି ୪ ସପ୍ତାହ ବନ୍ଦ କରିଦେଇ ଆସିଛି। କଳିଙ୍ଗ ଷ୍ଟାଡିୟମ ବହୁତ ସୁନ୍ଦର ହୋଇଛି। ଏଠାକୁ ମୁଁ ଏଥର ବାରମ୍ବାର ଆସିବି। ହକି ପାଇଁ ମୁଁ କିଛି ବି କରି ପାରିବି। ଅବତାର ମଧ୍ୟ ତାଙ୍କ ସହ ଏକମତ ହୋଇଛନ୍ତି। ସେ କହିଛନ୍ତି ଆମେ ଏବେବି ହକି ଖେଳୁ। ପିଲାବେଳକୁ ହକି ଖେଳି ବଡ଼ ହୋଇଛି। ୧୯୯୫ରେ ଭାରତୀୟ ହକି ଦଳ ସ୍କଟଲାଣ୍ଡ ଯାଇଥିଲା। ସେହିଠାରୁ ମୁଁ ଭାରତୀୟ ହକି ଦଳର ପ୍ରେମରେ ପଡ଼ି ଯାଇଥିଲି। ବଞ୍ଚିଥିବା ଯାଏ ମୁଁ ଭାରତୀୟ ହକି ଦଳକୁ ଅନୁସରଣ କରିବି। ଭାରତୀୟ ଖେଳାଳିଙ୍କୁ ଭଲ ପାଇବି।

ମନପ୍ରୀତଙ୍କ ଦ୍ୱିଶତକ, ଲାଚଲନଙ୍କ ପଦାର୍ପଣ

ଶୁକ୍ରବାରର ମ୍ୟାଚ୍‌ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହଙ୍କ ପାଇଁ ବ୍ୟକ୍ତିଗତ ଭାବେ ବେଶ୍‌ ଗୁରୁତ୍ୱବହନ କରିବ। ଆସନ୍ତାକାଲିର ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ୨୫ ବର୍ଷୀୟ ମନପ୍ରୀତଙ୍କ ଖେଳ ଜୀବନର ୨୦୦ତମ ମ୍ୟାଚ୍‌ ହେବ। ଏଣୁ କଳିଙ୍ଗ ଷ୍ଟାଡିୟମ ତାଙ୍କ ଜାଜ୍ଜୁଲ୍ୟମାନ ଖେଳ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ। ସେପଟେ ଅଷ୍ଟ୍ରେଲିଆ ଦଳର ୧୯ ବର୍ଷୀୟ ଯୁବ ଖେଳାଳି ସାର୍ପ ଲାଚଲନ ମଧ୍ୟ ନୂଆ ଜୀବନ ଆରମ୍ଭ କରିବେ। କଳିଙ୍ଗ ଷ୍ଟାଡିୟମ୍‌ ନୀଳ ଟର୍ଫରେ ସେ ନିଜ ଜୀବନର ପ୍ରଥମ ଅନ୍ତର୍ଜାତୀୟ ହକି ମ୍ୟାଚ୍‌ ଖେଳିବେ। ଅର୍ଥାତ୍‌ କଳିଙ୍ଗ ଷ୍ଟାଡିୟମରୁ ହିଁ ସେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବେ। ଭାରତ ବିପକ୍ଷରେ ସେ ଖେଳିବେ ବୋଲି ମଧ୍ୟ ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ସ୍ପଷ୍ଟ କରି ଦେଇଛନ୍ତି।

ଭାରତ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ: ନୋଲ୍ସ

ଭୁବନେଶ୍ୱର:ଅଭିଯାନ ଆରମ୍ଭରୁ ଭାରତ ଭଳି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀକୁ ଭେଟିବୁ। ସେମାନେ ସଂପ୍ରତି ବିଶ୍ୱ ହକିର ଅନ୍ୟତମ ଶ୍ରେଷ୍ଠ ଦଳ। ତା’ ଛଡ଼ା ଭାରତର ଶ୍ରେଷ୍ଠ ହକି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଖଚା ଖଚ୍‌ ଭରା କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦର୍ଶକ ମଧ୍ୟ ଭାରତକୁ ପୂର୍ଣ୍ଣ ସମର୍ଥନ କରିବେ। ଏଣୁ ଶୁକ୍ରବାର ସଂଧ୍ୟାର ମୁକାବିଲା ଆମ ପାଇଁ ଏକ ବଡ଼ ଆହ୍ଵାନ ହେବ। ଆମ ଦଳରେ ୫୦ରୁ କମ୍‌ ମ୍ୟାଚ୍‌ ଖେଳିଥିବା ୮ ଜଣ ଖେଳାଳି ଅଛନ୍ତି। ସେମାନେ ସମସ୍ତେ ଗୋଲ୍‌ କରିବାକୁ ବ୍ୟଗ୍ର। ଲିଗ୍‌ ପର୍ଯ୍ୟାୟରେ ଆମେ ଆମ ଶକ୍ତି ପରଖିବୁ। କ୍ୱାର୍ଟର ବେଳକୁ ସବୁକିଛି ଠିକ୍‌ ହୋଇ ଯାଇଥିବ ବୋଲି ଭାବୁଛି। ଭାରତ ବିପକ୍ଷ ଉଦଘାଟନୀ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ମାର୍କ ନୋଲ୍ସ ଏହା କହିଛନ୍ତି। ପ୍ରଶିକ୍ଷକ କଲିନ୍‌ ବ୍ୟାଚ୍‌ ମଧ୍ୟ ନିଜ ଯୁବ ଖେଳାଳିଙ୍କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଲିଗ୍‌ରେ ଭଲ କରି ନପାରିଲେ ଆମ ପାଖରେ କ୍ୱାର୍ଟରରେ ଫେରିବାର ସୁଯୋଗ ଅଛି ବୋଲି ସେ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ ପାଇଁ ହକି ବିଶ୍ୱ ଲିଗ୍‌ ପ୍ରସ୍ତୁତି ପଥ ହେବ ବୋଲି ମଧ୍ୟ ସେ ମତ ରଖିଛନ୍ତି।

ମାସେ ହେଲା ଅପେକ୍ଷା କରିଛୁ: ମାରିନ

ଆମେ ପ୍ରଥମ ମ୍ୟାଚକୁ ନେଇ ବେଶ୍‌ ଉତ୍ସାହିତ। ସତ କହିବାକୁ ଗଲେ ଆମେ ଏହି ମ୍ୟାଚ୍‌କୁ ମାସେ ହେଲା ଅପେକ୍ଷା କରିଥିଲୁ। ଏବେ ପଡ଼ିଆକୁ ଓହ୍ଲାଇ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବାର ବେଳ ପହଞ୍ଚି ଯାଇଛି। ପରିସ୍ଥିତି ଓ ପରିବେଶ ଆମ ସପକ୍ଷରେ ରହିଛି। ବହୁତ ଭଲ ହକି ଖେଳିବୁ ବୋଲି ମୋର ଆଶା ରଖିଛି। ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏଡ୍‌ ମାରିନ୍‌ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଏହା କହିଛନ୍ତି। ଅଧିନାୟକ ମନପ୍ରୀତ ସିଂହ ମଧ୍ୟ ଭାରତ ଭଲ ଖେଳିବ ବୋଲି ଢେର ଆଶାବାଦୀ ଅଛନ୍ତି। ଦୀର୍ଘ ବ୍ୟବଧାନ ପରେ ଫେରିଥିବା ଦୁଇ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ରୂପୀନ୍ଦର ପାଲ ସିଂହ ମଧ୍ୟ ପୂରା ଲୟରେ ଥିବା ସେ ସ୍ପଷ୍ଟ କରି ଦେଇଛନ୍ତି। ଅଷ୍ଟ୍ରେଲିଆ ଗତ ଥରର ବିଜେତା ହୋଇଥିଲେ ମଧ୍ୟ ଭାରତ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ ବୋଲି ସେ କହିଛନ୍ତି।

ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ରେ କୋରିଆ ଜିତିଲା

ପୂର୍ବତଟ ରେଳବାଇ ବିପକ୍ଷ ଦ୍ୱିତୀୟ ବନ୍ଧୁତ୍ୱପୂର୍ଣ୍ଣ ଅଭ୍ୟାସ ମ୍ୟାଚ୍‌ରେ କୋରିଆ ଜିତି ନେଇଛି। ପ୍ରଥମ ମ୍ୟାଚ୍‌କୁ ୩-୩ ଗୋଲ୍‌ରେ ଅମୀମାଂସିତ ରଖିଥିବା ପୂର୍ବତଟ ରେଳବାଇ ଗୁରୁବାର ୦-୭ ଗୋଲ୍‌ରେ ହାରିଯାଇଛି। କୋରିଆର ଜଙ୍ଗ୍‌ ଜାଘୁଂନ୍‌ (୧୨, ୨୮ ମିନିଟ୍‌) ଓ ସିଓ ଇନୁ (୪୦, ୪୪ ମିନିଟ୍‌) ଦୁଇଟି ଲେଖାଏଁ ଏବଂ କିମ୍‌ ୟଙ୍ଗ୍‌ଜିନ୍‌ (୪୬ ମିନିଟ୍‌), ହ୍ଵାଙ୍ଗ୍‌ େଓ୍ଵଙ୍କି (୪୯ ମିନିଟ୍‌) ଓ ସିଓ ଇନଉ (୫୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ମ୍ୟାଚ୍‌କୁ ରାଜିନ୍‌ ଏକ୍କା, କ୍ରିତି ମୁଥାପ୍ପା, ଅହମ୍ମଦ ସକିଲ୍‌ ଏବଂ ନିଶାନ ଜ୍ୟୋତି ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର