ଭୁବନେଶ୍ବର: ଓଡ଼ିଶାର ସର୍ବପୁରାତନ ସର୍ବଭାରତୀୟ ଫୁଟ୍ବଲ୍ ପ୍ରତିଯୋଗିତା ଭାବେ ଅନେକ ଗୌରବ ଅର୍ଜନ କରିଥିବା କଳିଙ୍ଗ କପ୍ ପୁଣି ଫେରିବ ବୋଲି ବୁଧବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। କିନ୍ତୁ ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ୬୩ ବର୍ଷର ଇତିହାସ ରଖିଥିବା ଏହି ପ୍ରତିଯୋଗିତା ଗତବର୍ଷ ଓଡ଼ିଶାରେ ଖେଳାଯାଇଥିଲା। ଏ ଖବର ଓଡ଼ିଶା ସରକାର କି ଏହାର କ୍ରୀଡ଼ା ଓ ଯୁବସେବା ବିଭାଗ ନିକଟରେ ସମ୍ଭବତଃ ନାହିଁ। ପୂର୍ବରୁ ଏଆଇଏଫ୍ଏଫ୍ ଅଧୀନରେ ଖେଳାଯାଉଥିବା ଫେଡେରେସନ୍ କପ୍କୁ ବନ୍ଦ କରି ୨୦୧୮ରେ ମହାସଂଘ ସୁପର୍ କପ୍ ନାମରେ ନାମିତ କରିଥିଲା। ସର୍ବଭାରତୀୟ ଫୁଟ୍ବଲ୍ ସଂଘ (ଏଆଇଏଫ୍ଏଫ୍)କୁ ଓଡ଼ିଶା ସରକାର ସମର୍ଥନ ଦେବା ପରେ ଏହାକୁ ‘କଳିଙ୍ଗ ସୁପର୍ କପ୍’ ନାମରେ ଖେଳାଯାଇଥିଲା। ଏବେ ସମ୍ଭବତଃ ଓଡ଼ିଶା ସରକାର ଓହରିଯାଇଥିବାରୁ ଏଭଳି ଏଆଇଏଫଏଫ ଟାଇଟଲ୍ ପ୍ରାୟୋଜକକୁ କାଟିଦେଇଛି। ସୁପର୍ କପ୍ର ବିଗତ ୪ଟି ସଂସ୍କରଣରୁ ୩ଟି ମଧ୍ୟ ଭୁବନେଶ୍ବରରେ ଖେଳାଯାଇଛି। ଆଉ ଏକ ବଡ଼ କଥା ହେଉଛି ରାଜ୍ୟର ଏକମାତ୍ର ପେସାଦାର ଫୁଟ୍ବଲ୍ ଦଳ ଓଡ଼ିଶା ଏଫ୍ସି ମଧ୍ୟ ୨୦୨୩ରେ ଏହାର ଟାଇଟଲ୍ ଜିତି ଗୌରବ ବଢ଼ାଇଛି। ଏବେ ସରକାର ଯେଉଁ କଳିଙ୍ଗ କପ୍ କଥା କହୁଛନ୍ତି ତାହାର ରୂପରେଖ ସୁପର୍ କପ୍ଠାରୁ ଭିନ୍ନ କି ନୁହେଁ ସ୍ପଷ୍ଟ କରାଯାଇନାହିଁ।
ବିଜୁ ପଟ୍ଟନାୟକଙ୍କ ମାନସପୁତ୍ର ଭାବେ କଳିଙ୍ଗ କପ୍ର ଶୁଭାରମ୍ଭ ହୋଇଥିଲା। ଲଣ୍ଡନ୍ରୁ ବିଜୁ ବାବୁ ଟ୍ରଫି ଆଣିଥିବା ବେଳେ ୧୯୬୨ ମସିହାରୁ ଏହା ରାଜ୍ୟ ଫୁଟ୍ବଲ୍ ସଂଘ (ପୂର୍ବର ଓଫା, ଏବର ‘ଫାଓ’) ଦ୍ବାରା ପରିଚାଳିତ ହେଉଥିଲା। ସର୍ବଭାରତୀୟ ମାନ୍ୟତା ବି ରହିଥିଲା। ବହୁ ବଡ଼ବଡ଼ ଦଳ ଏଥିରେ ଅଂଶଗ୍ରହଣ କରୁଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା ଅନିୟମିତ ରହିଥିଲା। ପୂର୍ବର କଳିଙ୍ଗ କପ୍ ଏବଂ ଏବର କଳିଙ୍ଗ ସୁପର୍ କପ୍ ମଧ୍ୟରେ ଏତିକି ଫରକ ହେଉଛି ଆଉ ପୂର୍ବ ଭଳି କେବଳ କ୍ଲବ୍ ଦଳ ଏଥିରେ ଅଂଶଗ୍ରହଣ କରୁନାହାନ୍ତି। ବହୁ ଓଡ଼ିଶା ଦଳ ବି ସାମିଲ ହୋଇପାରୁନାହାନ୍ତି। ଦୁଇଟି ଡିଭିଜନ୍ରେ ଖେଳାଯାଇଥିବା ଗତବର୍ଷର କଳିଙ୍ଗ ସୁପର୍ କପ୍ରେ ଆଇଏସ୍ଏଲ୍ ଓ ଆଇ ଲିଗ୍ ଦଳ ଅଂଶଗ୍ରହଣ କରିଥିଲେ। ଗତବର୍ଷ ଇଷ୍ଟବେଙ୍ଗଲ୍ ଏହାକୁ ଭୁବନେଶ୍ବରରେ ଜିତିଥିଲା। ସୁପର୍ କପ୍ର ପରବର୍ତ୍ତୀ ସଂସ୍କରଣ ମଧ୍ୟ ୨୦୨୫ ଏପ୍ରିଲ୍ ୨୧ ତାରିଖରୁ ଭୁବନେଶ୍ବରରେ ଖେଳାଯିବ ବୋଲି ଏଆଇଏଫ୍ଏଫ୍ ଘୋଷଣା କରିସାରିଛି। ଏବେ ରାଜ୍ୟ ସରକାର କଳିଙ୍ଗ କପ୍କୁ କିଭଳି ଆରମ୍ଭ କରିବେ ଏବଂ କେଉଁ ଦଳ ଏଥିରେ ଅଂଶଗ୍ରହଣ କରିବେ କିଛି ସ୍ପଷ୍ଟ ଚିତ୍ର ଅବଶ୍ୟ ମିଳିନାହିଁ।
କଳିଙ୍ଗ କପ୍ ଏବଂ କଳିଙ୍ଗ ସୁପର୍ କପ୍ ଭିନ୍ନ ପ୍ରତିଯୋଗିତା ବୋଲି ଜଣାପଡ଼ିଛି। ‘କଳିଙ୍ଗ କପ୍ର ପ୍ରସ୍ତାବ ଆମେ ପାଇଛୁ। ଏଆଇଏଫ୍ଏଫ୍ର କାର୍ଯ୍ୟକାରୀ କମିଟି ଅନୁମୋଦନ ମିଳିଲେ ଏହା ଆସନ୍ତା ଋତୁଠାରୁ ଆରମ୍ଭ କରାଯାଇପାରିବ। କିନ୍ତୁ ଚଳିତ ବର୍ଷର ସୁପର୍ କପ୍ରେ ଆଉ କଳିଙ୍ଗ ଟାଇଟଲ୍ ରହିବ ନାହିଁ’ ବୋଲି ଏଆଇଏଫ୍ଏଫ୍ ସାଧାରଣ ସମ୍ପାଦକ ଅନିଲ କୁମାର ପ୍ରଭାକରନ ‘ସମ୍ବାଦ’କୁ ସ୍ପଷ୍ଟ କରିଛନ୍ତି। ସୁପର୍ କପ୍ ପୁଣି ଥରେ ଫେଡେରେସନ୍ କପ୍ ନାମରେ ବି ଖେଳାଯିବା ଆଲୋଚନା ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି। ‘କଳିଙ୍ଗ ସୁପର୍ କପ୍’ରୁ ‘କଳିଙ୍ଗ’ କଟିଲା ବୋଲି ଏବେ ସ୍ପଷ୍ଟ ହୋଇଥିବାରୁ ଭବିଷ୍ୟତରେ ଏହି ପ୍ରତିଯୋଗିତା ଭିନ୍ନଭିନ୍ନ ହେବ କି ପୁଣି କଳିଙ୍ଗ ଯୋଡ଼ି ହେବ ତାହା ସ୍ପଷ୍ଟ ହୋଇନାହିଁ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ କପ୍ କଥା ଘୋଷଣା କରିବା ପରେ କିନ୍ତୁ ‘ଫାଓ’ ଉତ୍ସାହିତ ରହିଛି। ‘ଫାଓ’ର ସମ୍ପାଦକ ଆଶୀର୍ବାଦ ବେହେରା କଳିଙ୍ଗ କପ୍ ଆରମ୍ଭ ନିଷ୍ପତ୍ତିକୁ ଐତିହାସିକ ଦର୍ଶାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କୃତଜ୍ଞତା ଜଣାଇଛନ୍ତି। ଫୁଟ୍ବଲ୍ର ବିକାଶ ପାଇଁ ସରକାରଙ୍କ ଆଗ୍ରହକୁ ‘ଫାଓ’ ସ୍ବାଗତ କରିଛି। ଏହା ରାଜ୍ୟର କ୍ରୀଡ଼ା ପରମ୍ପରାକୁ ଆଗକୁ ବଢ଼ାଇବ ବୋଲି ଶ୍ରୀ ବେହେରା ଆଶା ପ୍ରକଟ କରିଛନ୍ତି।