କଳିଙ୍ଗରେ ଫିଫା ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌: ମାର୍ଚରେ ଭାରତ-କାତାର ମୁହାଁମୁହିଁ

ଭୁବନେଶ୍ବର: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ଆସନ୍ତା ବର୍ଷ ମାର୍ଚ‌ ମାସରେ ଭୁବନେଶ୍ବରସ୍ଥିତ କଳିଙ୍ଗ ‌ଷ୍ଟିଡିୟମରେ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ମ୍ୟାଚ୍‌ ଆୟୋଜନ କରିବା ଲାଗି ସ୍ଥିର କରିଛି। ଆୟୋଜକ ଭାରତ ତା’ର ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ଚରଣ ମ୍ୟାଚ୍‌ରେ ଏସୀୟ ବିଜେତା କାତାରକୁ ଭେଟିବ। ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ଭାରତ ଗୌହାଟୀରେ ଓମାନ ବିପକ୍ଷରେ ଖେଳିଥିଲା ବେଳେ କୋଲ୍‌କାତାରେ ବାଂଲାଦେଶ ସହ ଅକ୍ଟୋବର ୧୫ ତାରିଖରେ ଖେଳିବ। ହେଲେ ଏହି ପ୍ରତିଯୋଗିତାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘରୋଇ ମ୍ୟାଚ୍‌ କ‌ାତାର ବିପକ୍ଷ ଲାଗି ଏଆଇଏଫ୍‌ଏଫ୍‌ ଓଡ଼ିଶା ସହ ଚୁକ୍ତି କରିବା ଲାଗି ଆଗେଇଛି। ଓଡ଼ିଶା ସରକାର ଏହି ମ୍ୟାଚ୍‌ ଆୟୋଜନ କରିବାକୁ ନିଜର ଆଗ୍ରହ ଦେଖାଇଛନ୍ତି। କଳିଙ୍ଗ ମଧ୍ୟ ଭଲ ଷ୍ଟାଡିୟମ। ଏଥିପାଇଁ ସେମାନଙ୍କ ଅନୁରୋଧକୁ ଖାରଜ କରିବା ଲାଗି ଆମ ପାଖରେ ବାଟ ନାହିଁ ବୋଲି ଏଆଇଏଫଏଫ୍‌ର ଜଣେ ବରିଷ୍ଠ ଅଧିକାର କହିଛନ୍ତି। କଳିଙ୍ଗ ‌ଷ୍ଟାଡିୟମ ନୂଆ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ୍‌ ଓଡ଼ିଶ‌ା ଏଫ୍‌ସିର ‌ଘରୋଇ ପଡ଼ିଆ। ଦିଲ୍ଲୀ ଡାଇନାମୋସ ଏଫ୍‌ସି ବଦଳରେ ଓଡ଼ିଶା ଏଫ୍‌ସି ଆଇଏସ୍‌ଏଲ୍‌ରେ ଅଂଶଗ୍ରହଣ କରିବାକୁ ଯାଉଛି। ଏହି ଦଳକୁ ୨୦୨୦ ମାର୍ଚ ୨୬ ପୂର୍ବରୁ ନିଜର ସମସ୍ତ ଘରୋଇ ମ୍ୟାଚ୍‌‌ ଶେଷ କରିବା ଲାଗି କୁହାଯାଇଛି। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ବକପ୍‌ ଲାଗି କଳିଙ୍ଗ ଷ୍ଟାଡିୟମ ପ୍ରଥମ ଦଫାରେ ହିଁ ସ୍ବୀକୃତି ପାଇଯାଇଥିଲା।

ସମ୍ବନ୍ଧିତ ଖବର