ଆର୍ଜେଣ୍ଟିନାରେ ପ୍ରଶିକ୍ଷଣ ନେବେ ସମରାଇ, ସୋନୁ ଓ ସତ୍ୟମ୍‌

କଳିଙ୍ଗ ଫୁଟ୍‌ବଲ୍‌ ଏକାଡେମିର ଆଉ ଏକ ସଫଳତା

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଫୁଟ୍‌ବଲ୍‌ ଏକାଡେମି (କେଏଫ୍‌ଏ) ଆଉ ଏକ ସଫଳତାର ପାହାଚ ଚଢ଼ିଛି। ଏହି ଏକାଡେମିରୁ ଚନ୍ଦନ ନାୟକ ପ୍ରଥମ ଖେଳାଳି ଭାବେ ବିଦେଶରେ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଥିଲା ବେଳେ ଏବେ ଆଉ ତିନି ଜଣ ଏଭଳି ସୁଯୋଗ ପାଇଛନ୍ତି। ଚନ୍ଦନ ପୂର୍ବରୁ ଜର୍ମାନିର ବେୟର୍ନ ମ୍ୟୁନିକ୍‌ କ୍ଲବ୍‌ରେ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇସାରିଥିଲା ବେଳେ ଚଳିତ ବର୍ଷ ସମରାଇ ସୋରେନ୍‌, ସୋନୁ ହାତୀ ଓ ସତ୍ୟମ୍‌ ସିଂହ ଆର୍ଜେଣ୍ଟିନାର ବୋକା ଜୁନିୟର୍‌ ଫୁଟ୍‌ବଲ୍‌ ସ୍କୁଲ୍‌ରେ ୫ ବର୍ଷ ପାଇଁ ପ୍ରଶିକ୍ଷଣ ନେବାକୁ ମନୋନୀତ ହୋଇଛନ୍ତି। କେଏଫ୍‌ଏ ସଭାପତି ଶ୍ରୀନିବାସ ମିଶ୍ରଙ୍କ ଉଦ୍ୟମ ତଥା ଆମନ୍ତ୍ରଣ ଯୋଗୁଁ ବୋକା ଜୁନିୟର୍‌ ସ୍କୁଲ୍‌ ମୁଖ୍ୟ ସୁନନ୍ଦା ଦାସ ଗତ ମାର୍ଚ ୧ ତାରିଖରେ ଭୁବନେଶ୍ୱର ଆସି ଏକାଡେମିର କାର୍ଯ୍ୟକଳାପ ଦେଖିଥିଲେ। ସେହି ଗସ୍ତ ବେଳେ ସେ ଉପରୋକ୍ତ ତିନି ପିଲାଙ୍କୁ ତାଙ୍କ ସ୍କୁଲ୍‌ରେ ପ୍ରଶିକ୍ଷଣ ନେବା ପାଇଁ ବାଛିଥିଲେ। ସମରାଇ, ସୋନୁ ଓ ସତ୍ୟମ୍‌ ୧୧ରୁ ୧୨ ବର୍ଷ ମଧ୍ୟରେ ହୋଇଥିବାରୁ ଆସନ୍ତାବର୍ଷ ସେମାନେ ୧୩ ବର୍ଷରୁ କମ୍‌ ୟୁଥ୍‌ ଆଇଲିଗ୍‌ ଖେଳିବା ଉପରେ ନଜର ରଖିଛନ୍ତି। ଉଭୟ ସମରାଇ ଓ ସତ୍ୟମ ଭୁବନେଶ୍ୱରର ସାଲିଆ ସହି ବାସିନ୍ଦା ହୋଇଥିଲା ବେଳେ ସୋନୁ କଳିଙ୍ଗ ଷ୍ଟାଡିୟମ୍‌ ସମ୍ମୁଖ ନନ୍ଦିନୀ ପାଲି ମୁଣ୍ଡା ଷ୍ଟ୍ରିଟ୍‌ରେ ରୁହନ୍ତି। ସମସ୍ତ ତିନି ବାଳକ ଅତି ଦରିଦ୍ର ପରିବାରରୁ ଆସି ବିଦେଶରେ ପ୍ରଶିକ୍ଷଣ ନେବାର ସୁଯୋଗ ପାଇଥିବାରୁ ବେଶ୍‌ ଖୁସି ଅଛନ୍ତି। ବୋକା ଜୁନିୟର୍‌ ସ୍କୁଲ୍‌ ଦୁଇପ୍ରକାର ପ୍ରଶିକ୍ଷଣ ବ୍ୟବସ୍ଥା ରଖିଛି। ଧନୀ ପରିବାରର ପିଲାମାନଙ୍କୁ ଏଠାରେ ପ୍ରଶିକ୍ଷଣ ନେବାପାଇଁ ବାର୍ଷିକ ୨ ଲକ୍ଷ ଟଙ୍କା ଦେବାକୁ ପଡୁଥିଲା ବେଳେ ଗରୀବ ପରିବାରର ପିଲାମାନଙ୍କୁ ରହିବା, ଖାଦ୍ୟ, ଖେଳ ଉପକରଣ, ଶିକ୍ଷା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ମାଗଣାରେ ଯୋଗାଇ ଦିଆଯାଇଥାଏ। ଫଳରେ ସମରାଇ, ସୋନୁ ଓ ସତ୍ୟମ୍‌ ଏହି ସବୁ ସୁବିଧା ପାଇପାରିବେ ବୋଲଇ ଶ୍ରୀନିବାସ ମିଶ୍ର କହିଛନ୍ତି। ତେବେ କଳିଙ୍ଗ ଷ୍ଟାଡିୟମ୍‌ରେ ଯଦି ଏଭଳି ସୁବିଧାସୁଯୋଗ ଯୋଗାଇ ଦିଆଯାଆନ୍ତା, ତେବେ ରାଜ୍ୟରୁ ପ୍ରତିଭାବାନ ଯୁବ ଖେଳାଳି ବାହାରିପାରନ୍ତେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର