କଳିଙ୍ଗ ଫୁଟ୍‌ବଲ୍‌ ସମର ଆଜି

ଜାମସେଦପୁର ରକ୍ଷଣଭାଗ ବନାମ ବେଙ୍ଗାଲୁରୁ ଆକ୍ରମଣ

ଭୁବନେଶ୍ୱର: ସମର ସଜା ସରିଛି। ଦୁଇ ଦଳର ଯୋଦ୍ଧା ପୂରା ପ୍ରସ୍ତୁତ। ପ୍ରତୀକ୍ଷିତ ଫୁଟବଲ୍‌ ଲଢ଼େଇ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ମୁଖ୍ୟ ପଡ଼ିଆ ବି ନୂଆ ରୁପରେ ସଜେଇ ହୋଇଛି। କେବଳ ଯାହା ରବିବାର ରାତିକୁ ଅପେକ୍ଷା। ଆସନ୍ତାକାଲି ଆଇଏସ୍‌ଏଲ୍‌ର ଓଡ଼ିଶା ପଦାର୍ପଣ ସହ ରାଜ୍ୟ ଫୁଟ୍‌ବଲ୍‌ରେ ଯୋଡ଼ିହେବ ନୂଆ ଅଧ୍ୟାୟ। ଦୁଇ ନବାଗତ ଦଳ ଜାମସେଦପୁର ଏଫ୍‌ସି ଏବଂ ବେଙ୍ଗାଲୁରୁ ଏଫ୍‌ସି ଚର୍ଚିତ ଫୁଟ୍‌ବଲ୍‌ ଲିଗ୍‌ ଆଇଏସ୍‌ଏଲ-୨୦୧୮ର ୮୩ତମ ମ୍ୟାଚ୍‌ରେ ଏଠାରେ ମୁହାଁ ମୁହିଁ ହେବେ। କଳିଙ୍ଗ ଷ୍ଟାଡିୟମକୁ ଘରୋଇ ପଡ଼ିଆ କରିଥିବା ଜାମସେଦପୁର ଶକ୍ତିଶାଳୀ ବେଙ୍ଗାଲୁରୁ ବିପକ୍ଷରେ ଲଗାତାର ଦ୍ୱିତୀୟ ବିଜୟ ପାଇବା ଆଶାରେ ରହିବ। ସେପଟେ ବେଙ୍ଗାଲୁରୁ ନିଜ ଘରୋଇ ପଡ଼ିଆରେ ଜାମସେଦପୁରଠାରୁ ପରାଜିତ ହେବାର ଗ୍ଲାନିକୁ ବିଜୟ ଉଲ୍ଲାସରେ ଦୂର କରିବାକୁ ଚେଷ୍ଟା କରିବ। ଜାମସେଦପୁର ବିଦେଶୀ ଅଧିନାୟକ ତିିରି ଏବଂ ବେଙ୍ଗାଲୁରୁ ଭାରତୀୟ ଫୁଟ୍‌ବଲ୍‌ର ଅନ୍ୟତମ ଶ୍ରେଷ୍ଠ ତାରକା ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ। ରାଜ୍ୟ ଫୁଟ୍‌ବଲ୍‌ ପ୍ରେମୀ କିନ୍ତୁ ପ୍ରଥମ ଥର ପାଇଁ ଆଇଏସ୍‌ଏଲ୍‌କୁ କଳିଙ୍ଗ ଷ୍ଟାଡିୟମ୍‌ ଗ୍ୟାଲେରିରେ ବସି ଦେଖିବାର ସୁଖଦ ଅନୁଭୂତି ସାଉଁଣ୍ଟିବେ।

ଶୀର୍ଷରେ ଥିଲେ ବି ସହଜରେ ଛାଡ଼ିବୁନି: ରୋକା


ଆମେ ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରି ନେଇଛୁ। ପଏଣ୍ଟ୍‌ ତାଲିକାର ଶୀର୍ଷରେ ବି ଅଛୁ। ହେଲେ ତା’ ମାନେ ନୁହେଁ ରବିବାର ମ୍ୟାଚ୍‌କୁ ଆମେ ହାଲ୍‌କା ଭାବେ ନେବୁ। ଏହି ମ୍ୟାଚ୍‌କୁ ମଧ୍ୟ ଆମେ ଜିତିବାକୁ ଚେଷ୍ଟା କରିବୁ। ବିଜୟ ଧାରାକୁ ଆଗେଇ ନେବାକୁ ଖେଳିବୁ। ଶେଷ ଦୁଇ ମ୍ୟାଚ୍‌ରେ ଆମେ ଜବରଦସ୍ତ ଫୁଟବଲ୍‌ ଖେଳି ସେମିକୁ ଯିବା ଲକ୍ଷ୍ୟରେ ରହିବୁ। ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ ପ୍ଲେ ଅଫ୍‌ ମଝିରେ ଆମକୁ ଏଏଫ୍‌ସି ମ୍ୟାଚ୍‌ ଖେଳିବାକୁ ପଡ଼ିବ। ତେଣୁ କୌଣସି ମ୍ୟାଚ୍‌କୁ ଆମେ ଗୁରୁତ୍ୱହୀନ ବୋଲି ଭାବିବା ମୁର୍ଖାମୀ ହେବ। ବେଙ୍ଗାଲୁରୁ ଏଫ୍‌ସିର ସ୍ପେନୀୟ ପ୍ରଶିକ୍ଷକ ଆଲବର୍ଟ ରୋକା ଶନିବାରର ସାମ୍ବଦିକ ସମ୍ମିଳନୀରେ ଏହା କହିଥିଲେ। ତା’ ସହ ଜାମସେଦପୁରକୁ ସେ ପରୋକ୍ଷ ଚେତାବନୀ ଦେଇଥିଲେ। ଏହା କରି ବେଙ୍ଗାଲୁରୁ ରବିବାର ଡିସେମ୍ବର ୨୧ରେ ଜାମସେଦପୁର ବିପକ୍ଷରେ ବରଣ କରିଥିବା ପ୍ରଥମ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ।

ବେଙ୍ଗାଲୁରୁ ୩୧, ଜାମସେଦପୁର ୧୬
ବେଙ୍ଗାଲୁରୁ ୧୬ ମ୍ୟାଚ୍‌ ଖେଳି ୧୧ ବିଜୟ, ଗୋଟିଏ ଡ୍ର’ ଏବଂ ୪ ପରାଜୟ ସହ ମୋଟ ୩୧ ପଏଣ୍ଟରେ ରହିଛି। ଏହି ଦଳ ୩୧ ଗୋଲ୍‌ ଦେଇଥିଲା ବେଳେ ମାତ୍ର ୧୬ ଗୋଲ୍‌ ବରଣ କରିଛି। ଅନ୍ୟ ପକ୍ଷରେ ଜାମସେଦପୁର ସେହି ୧୬ ମ୍ୟାଚ୍‌ ଖେଳି ୭ ବିଜୟ, ୫ ଡ୍ର ଏବଂ ୪ ପରାଜୟ ସହ ୨୬ ପଏଣ୍ଟରେ ରହିଛି। ଜାମସେଦପୁର ୧୬ ଗୋଲ୍‌ ଦେଇଥିଲା ବେଳେ ୧୩ ଗୋଲ୍‌ ବରଣ କରିଛି। ଦୁଇ ଦଳର ପୂର୍ବ ପରିସଂଖ୍ୟାନକୁ ଦେଖିଲେ ବେଙ୍ଗାଲୁରୁ ଆକ୍ରମଣ କରିବାରେ ଓସ୍ତାଦ ଥିଲା ବେଳେ ଜାମସେଦପୁର ରକ୍ଷଣାଭାଗ ତୁଳନାତ୍ମକ ଭାବେ ଶକ୍ତିଶାଳୀ। ସେଥିପାଇଁ ରବିବାରର ମୁକାବିଲା ମୁଖ୍ୟତଃ ଜାମସେଦପୁର ରକ୍ଷଣଭାଗ ଏବଂ ବେଙ୍ଗାଲୁରୁ ଅଗ୍ରଭାଗ ମଧରେ ହେବ ବୋଲି ଫୁଟବଲ୍‌ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି।

ପ୍ରଥମ ଲଢ଼େଇକୁ ଜିିିିତିଥିଲା ଜାମସେଦପୁର

କଳିଙ୍ଗ ଷ୍ଟାଡିୟମ୍‌ରେ ମୁହାଁ ମୁହିଁ ହେବା ପୂର୍ବରୁ ଆଇଏସ୍‌ଏଲ୍‌ର ଦୁଇ ନବାଗତ ଦଳ ଜାମସେଦପୁର ଏବଂ ବେଙ୍ଗାଲୁରୁ ଏଫ୍‌ସି ଗତ ଡିସେମ୍ବର ୨୧ ତାରିଖରେ ପ୍ରଥମ ଥର ବେଙ୍ଗାଲୁରୁରେ ପରସ୍ପରର ମୁକାବିଲା କରିଥିଲେ। ସେହି ମ୍ୟାଚ୍‌କୁ ଜାମସେଦପୁର ଗୋଟିଏ ଗୋଲ୍‌ ବ୍ୟବଧାନରେ ଜିତି ନେଇଥିଲା। ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିମୟରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ତେବେ ତ୍ରିନ୍ଦାଦେ ଗନକ୍ଲାଭ୍ସଙ୍କ ଶେଷ ମିନିଟ୍‌ ଗୋଲ୍‌ ବଳରେ ଜାମସେଦପୁର ଉତ୍କଣ୍ଠପୂର୍ଣ୍ଣ ବିଜୟ ହାସଲ କରିଥିଲା। ଜାମସେଦପୁର ପ୍ରଥମ ଲଢ଼େଇରେ ବେଙ୍ଗାଲୁରୁକୁ ତା’ ଘରୋଇ ପଡ଼ିଆରେ ହରାଇ ଦେଇଥିଲା। ସେଥିପାଇଁ ରବିବାର ବେଙ୍ଗାଲୁରୁ ପାଇଁ ସେହି ପରାଜୟର ପ୍ରତିଶୋଧ ନେବା ସୁଯୋଗ ରହିବ। ଅନ୍ୟ ପକ୍ଷରେ ଜାମସେଦପୁର ଏହି ମ୍ୟାଚ୍‌ରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରି ପାରିବ। ଶକ୍ତିଶାଳୀ ବେଙ୍ଗାଲୁରୁ ବିପକ୍ଷରେ ଲଗାତାର ଦ୍ୱିତୀୟ ବିଜୟ ସହ ପୂରା ୩ ପଏଣ୍ଟ ଅର୍ଜନ କରି ପ୍ଲେ ଅଫ୍‌ ବା ସେମିଫାଇନାଲରେ ଗୋଟିଏ ପାଦ ଥୋଇ ପାରିବ। ଗତ ୪ ମ୍ୟାଚ୍‌ର ମୋଟ ୧୨ରୁ ୧୦ ପଏଣ୍ଟ ଅର୍ଜନ କରିଥିବାରୁ ଜାମସେଦପୁର ରବିବାର ବେଙ୍ଗାଲୁରୁ ଉପରେ ଭାରି ପଡ଼ିବାର ଆଶା ଅଧିକ ରହିଛି।

ଜାମସେଦପୁର: ତିରି (ଅଧିନାୟକ), ସୁବ୍ରତ ପଲ୍‌, ରବିନ ଗୁରୁଙ୍ଗ, ସାଇରତ କିମା, ସୌଭିକ ଘୋଷ, ୟୁମନାମ ରାଜୁ, ବିକାଶ ଜାଇରୁ, ମେମୋ, ମେହତାବ ହୁସେନ, ସୌମିଙ୍ଗ ଦୂତି, ସୌଭିକ ଚକ୍ରବର୍ତୀ, ତ୍ରିନ୍ଦାନ୍ଦେ ଗନକାଲଭିସ୍‌, େଓ୍ଵଲିଂଟନ୍‌ ପ୍ରାୟୋରି, ଅଶ୍ୱିନ ବିଶ୍ୱାସ, ଫାରୁକ ଚୌଧୁରୀ, ଇଜୁ ଅଜୁକା, ଜେରି ମାଓ୍ଵିମିଙ୍ଗଥଙ୍ଗା, ରଫିକ ଅଲ୍ଲୀ, ସଞ୍ଜୀବନ ଘୋଷ୍‌, ସୁବ୍ରତ ପଲ୍‌, ଆନସ୍‌ ଇଦାଥୋଦିକା, ଆନ୍ଦ୍ରେ ବିକି, କରଣ ଅମିନ। ଷ୍ଟିଭ୍‌ ପୋଲେଲ (ମୁଖ୍ୟ ପ୍ରଶିକ୍ଷକ)।

ବେଙ୍ଗାଲୁରୁ: ସୁନୀଲ ଛେତ୍ରୀ (ଅଧିନାୟକ), ଅଭ୍ର ମଣ୍ଡଳ, ଗୁରୁପ୍ରୀତ ସିଂହ, ଲାଲଥୁଆମାଓ୍ଵିଆ ରାଲଟେ, ବୋଇଥାଙ୍ଗ ହାଓପିକ୍‌, କଲିନ୍‌ ଆବ୍ରାଞ୍ଚେସ୍‌, ହରମନଜ୍ୟୋତ ଖବ୍ରା, ଜନ୍‌ ଜନସନ୍‌, ଜୁଆନ୍‌, ନିଶୁ କୁମାର, ରାହୁଲ ଭିକେ, ସୁଭାଶିଷ ବୋଷ୍‌, ଅଲଓ୍ଵିନ୍‌ ଜର୍ଜ, ଟୋନି ଦୋଭାଲେ, ଡାନିଏଲ୍‌ ସେଗୋଭିଆ, ଦିମାସ ଦେଲଗାଡୋ, ଏଡୁ ଗର୍ସିଆ, ଏରିକ୍‌ ପାର୍ତାଲୁ, ଲେନି ରୋଡ୍ରିଗେ୍ଵଜ୍‌, ମାଲସମଜୁଆଲା, ଜୋମିଙ୍ଗଲିଆନା ରାଲଟେ, ଡାନିଏଲ୍‌ ଲାଲହିମପୁଇଆ, ମିକୁ, ସେମ୍ବୋଇ ହାଓକିପ୍‌, ଉଦନ୍ତା ସିଂହ। ଆଲବର୍ଟ ରୋକା (ମୁଖ୍ୟ ପ୍ରଶିକ୍ଷକ)।

ପୂରା ପଏଣ୍ଟ୍‌ ନେବାକୁ ଚେଷ୍ଟା କରିବୁ:କୋପେଲ
ରବିବାର ମ୍ୟାଚ୍‌କୁ ନେଇ ବହୁ ଚର୍ଚା ହେଉଛି। ଏହି ମ୍ୟାଚ୍‌କୁ ଗଣମାଧ୍ୟମ ଆମ ପାଇଁ କର ବା ମର ମ୍ୟାଚ୍‌ର ଆଖ୍ୟା ଦେଇଛି। ହେଲେ ମୁଁ ଏପରି କିଛି ଭାବୁନାହିଁ। ହଁ ଏହି ମୁକାବିଲା ଆମ ପାଇଁ ବହୁତ ବଡ଼ ଏବଂ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ମୁକାବିଲା ବୋଲି କହି ପାରିବି। ଗତ ୫ ମ୍ୟାଚ୍‌ରେ ଆମେ ଏଭଳି ସ୍ଥିତିରେ ରହି ଆସିଛୁ। ଭଲ ପ୍ରଦର୍ଶନ ବି କରିଛୁ। ରବିବାର ମଧ୍ୟ ଭଲ କରିବୁ ବୋଲି ଆଶା ଅଛି। ସତ କହିବାକୁ ଗଲେ ମ୍ୟାଚ୍‌କୁ ଜିତି ପୂରା ୩ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ଆମେ ପଡ଼ିଆକୁ ଓହ୍ଲାଇବୁ। ଦଳରେ ବାରମ୍ବାର ଅଦଳ ବଦଳ କରିବାକୁ ମୁଁ ପସନ୍ଦ କରେ ନାହିଁ। ସେଥିପାଇଁ ରବିବାର ଆମ ପ୍ଲେଇଂ ଇଲେଭେନରେ ବଡ଼ ଧରଣର ପରିବର୍ତନ ହେବ ନାହିଁ। କଳିଙ୍ଗ ଷ୍ଟାଡିୟମ୍‌ ପିଚ୍‌ ବହୁତ ଭଲ ଲାଗୁଛି। ତେବେ ଏହାର ଅସଲ ମାନ ମ୍ୟାଚ୍‌ ବେଳେ ହିଁ ଜଣା ପଡ଼ିବ। ଆମକୁ ମୁଖ୍ୟ ପଡ଼ିଆରେ ଅଭ୍ୟାସ କରିବାର ସୁଯୋଗ ମିଳିନି। ଏଣୁ ଏଠାକାର ପିଚ୍‌କୁ ମୁଁ ଘରୋଇ ପରିବର୍ତେ ନିରପେକ୍ଷ ପଡ଼ିଆର ମାନ୍ୟତା ଦେବି। ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଜାମେସେଦପୁରର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଭ୍‌ କୋପେଲ ଏହା କହିଥିଲେ। କଳିଙ୍ଗ ଷ୍ଟାଡିୟମ୍‌ ଏକ ବହୁମୁଖୀ ଷ୍ଟାଡିୟମ୍‌ ହୋଇଥିବାରୁ ଦର୍ଶକ ମ୍ୟାଚ୍‌ ଫଳାଫଳ ଉପର ବିଶେଷ ପ୍ରଭାବ ପକାଇବେ ନାହିଁ। ତେବେ ସେମାନେ ଆମକୁ ଯେତେ ଉତ୍ସାହିତ କରିବେ ସେତେ ଭଲ ବୋଲି ପୋଲେଲ ଏହି ଅବସରରେ ମତ ରଖିଥିଲେ।

ସମ୍ବନ୍ଧିତ ଖବର