କଳିଙ୍ଗ ହକି ଷ୍ଟାଡିୟମ୍‌ ନବୀକରଣର ୨ ବର୍ଷ ପୂର୍ତ୍ତି

ଭୁବନେଶ୍ବର: ଦୁଇ ବର୍ଷ ତଳେ ଠିକ୍ ଆଜିର ଦିନରେ (୧୦ ଅକ୍ଟୋବର ୨୦୧୮) ନବୀକରଣ ସହ କଳିଙ୍ଗ ଷ୍ଟାଡିୟମ୍‌ ଉଦ୍‌ଘାଟିତ ହୋଇଥିଲା। ଭାରତୀୟ ହକି ଦଳର ଦୁଇ କିଂବଦନ୍ତି ଖେଳାଳି ତଥା ପୂର୍ବତନ ଅଧିନାୟକ ଧନରାଜ ପିଲ୍ଲେ ଏବଂ ଦିଲୀପ ତିର୍କିଙ୍କ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ସହିତ ନୂଆ ରୂପରେ କଳିଙ୍ଗ ହକି ଷ୍ଟାଡିୟମ୍‌ ଲୋକାର୍ପିତ ହୋଇଥିଲା। ୨୦୧୮ ପୁରୁଷ ହକି ବିଶ୍ବକପ୍‌ର ଅବ୍ୟବହିତ ପୂର୍ବରୁ ପ୍ରଶଂସକ ପାଇଥିଲେ ନୂଆ ଷ୍ଟାଡିୟମ୍‌। ଉଭୟ ମୁଖ୍ୟ ଓ ଅଭ୍ୟାସ ପଡିଆ ନୂଆ ନୀଳ ଟର୍ଫରେ ଆଛାଦିତ ହୋଇଥିଲା। ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା ୧୫,୦୦୦କୁ ବଢ଼ିଥିଲା ବେଳେ ପୂର୍ବ ଓ ପଶ୍ଚିମ ଷ୍ଟାଣ୍ଡ ସହିତ ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ପ୍ରଥମ ଥର ଯୋଡ଼ି ହୋଇଥିଲା। ଏହା ଛଡ଼ା ଅନ୍ୟାନ୍ୟ ବହୁ ନୂଆ କଥା ମଧ୍ୟ ଷ୍ଟାଡିୟମ୍‌ରେ ସଂଯୋଗ କରାଯାଇଥିଲା। ୧୯୭୧ ମସିହାଠାରୁ ଆରମ୍ଭ କରି ଭାରତର ବିଶ୍ବକପ୍‌ ବିଜେତାମାନଙ୍କୁ ବି ଉଦ୍‌ଘାଟନୀ ଉତ୍ସବରେ ସମ୍ବର୍ଧିତ କରାଯାଇଥିଲା। ବିଶ୍ବକପ୍‌ ପରେ ପରେ ଏଫଆଇଏଚ୍‌ ପୁରୁଷ ସିରିଜ୍‌ ଫାଇନାଲ୍ସ, ଏଫଆଇଏଚ୍‌ ହକି ଅଲିମ୍ପିକ କ୍ବାଲିଫାୟର (ପୁରୁଷ ଓ ମହିଳା) ଏବଂ ଏଫଆଇଏଚ୍‌ ପ୍ରୋ ଲିଗ୍‌ ମଧ୍ୟ ଆୟୋଜନ କରିସାରିଛି। ଏହିଠାରୁ ମଧ୍ୟ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛି ମନପ୍ରୀତ୍ ସିଂହଙ୍କ ଦଳ। ‘‘କଳିଙ୍ଗ ଷ୍ଟାଡିୟମ୍‌ ଆମ ଖେଳାଳି ଓ ପ୍ରଶଂସକଙ୍କୁ ଶ୍ରେଷ୍ଠ ସୁଯୋଗ ଦେଇ ଆସିଛି। ଓଡ଼ିଶା ସରକାରଙ୍କ ନିକଟରେ ଏଥିପାଇଁ ଆମେ କୃତଜ୍ଞ। ସମସ୍ତଙ୍କ ଦ୍ବାରା ଏହା ପ୍ରଶଂସିତ ହୋଇଛି। ଭବିଷ୍ୟତରେ ବହୁ ବଡ଼ ପ୍ରତିଯୋଗିତା ଏଠାରେ ଆୟୋଜନ କରାଯିବ’’ ବୋଲି ହକି ଇଣ୍ଡିଆର କାମଚଳା ସଭାପତି ଜ୍ଞାନେନ୍ଦ୍ର ନିଙ୍ଗମ୍ବମ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର