ହକି ଫୁଟାଇବ ହସ: କଳିଙ୍ଗରେ ଆଜିଠୁ କନିଷ୍ଠ ବିଶ୍ବକପ୍

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍, ବିଶ୍ବ ହକି ସିରିଜ୍ ଫାଇନାଲ୍ସ, ଏସୀୟ ଦୌଡ଼କୁଦ ସହ ଅନେକ ଅନ୍ତର୍ଜାତୀୟ କ୍ରୀଡ଼ା ମହାକୁମ୍ଭର ସଫଳ ଆୟୋଜନ ସହ ସାରା ବିଶ୍ବରୁ ଅଜସ୍ର ପ୍ରଶଂସା ସାଉଣ୍ଟିଥିଲା କଳିଙ୍ଗ ଷ୍ଟାଡିୟମ୍‌। କଳିଙ୍ଗର ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଯେମିତି ସମସ୍ତଙ୍କ ମନ କିଣି ନେଇଥିଲା। ରାଜଧାନୀ ଭୁବନେଶ୍ବର ମଧ୍ୟ ଦେଶର କ୍ରୀଡ଼ା କ୍ୟାପିଟାଲ ପାଲଟି ଯାଇଥିଲା। ହେଲେ କରୋନା କାଳରେ ପୂରା ଖାଁ ଖାଁ ଲାଗୁଥିଲା କଳିଙ୍ଗ। ଏଠାରେ ନା ଥିଲେ ଖେଳାଳି, ନା ସେମାନଙ୍କ ଖେଳକୁ ମନଭରି ଉପଯୋଗ କରୁଥିବା କ୍ରୀଡ଼ା ପ୍ରଶଂସକ। ଭୁବନେଶ୍ବରରେ ଆଉ ରୁଣ୍ଡ ହେଉ ନଥିଲେ ଦେଶୀ ବିଦେଶୀ କ୍ରୀଡ଼ା ତାରକା।

ଏବେ କିନ୍ତୁ ସେହି କଳା ବାଦଲ ଦୂର ହୋଇଛି। କରୋନା ପରବର୍ତ୍ତୀ ସମୟର ପ୍ରଥମ ବଡ଼ ପ୍ରତିଯୋଗିତା ଭାବେ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ବୁଧବାରଠାରୁ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଆୟୋଜିତ ହେବାକୁ ଯାଉଛି। ଏହି ୧୨ ଦିନିଆ ପ୍ରତିଯୋଗିତାରେ ବିଶ୍ବର ବଛାବଛା ୧୬ ଦଳ ଅଂଶଗ୍ରହଣ କରୁଛନ୍ତି। ୪୮ ମ୍ୟାଚ୍ କରୋନା କଟକଣା ଏବଂ କଠିନ ଜୈବ ବଳୟ ଭିତରେ ଅନୁଷ୍ଠିତ ହେବ। ବିଶ୍ବକପ୍ ଧାରାର ବିଡ଼ମ୍ବିତ ସଂସ୍କରଣ ଭାବେ କିନ୍ତୁ ଭୁବନେଶ୍ବର କନିଷ୍ଠ ବିଶ୍ବକପ୍ ବନ୍ଦ ଦ୍ବାର ଭିତରେ ଖେଳାଯିବ। ଅର୍ଥାତ୍ ପୂରା ପ୍ରତିଯୋଗିତା ଖାଲି ଷ୍ଟାଡିୟମ୍‌ରେ ଆୟୋଜିତ ହେବ। ତଥାପି ହକି ପାଗଳ ଓଡ଼ିଶା କ୍ରୀଡ଼ାପ୍ରେମୀ ଟେଲିଭିଜନ୍ ପରଦାରେ ଏହି ବିଶାଳ ପ୍ରତିଯୋଗିତାର ସିଧାପ୍ରସାରଣ ଦେଖିବାକୁ ପାଇବେ। ଆଶା ଏବେକାର କଠୋର ସମୟରେ ହକି ସେମାନଙ୍କ ମୁହଁକୁ ହସ ଫେରାଇ ଆଣିବ। କଳିଙ୍ଗ ଷ୍ଟାଡିୟମ୍ ମଧ୍ୟ ପୁଣି ଥରେ ଚଳଚଞ୍ଚଳ ହେବ।

ଫ୍ରାନ୍ସ ବିପକ୍ଷରେ ଭାରତର ଅଭିଯାନ
କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଲାଗି ସମଗ୍ର ଓଡ଼ିଶା ଉତ୍ସାହିତ। ଷ୍ଟାଡିୟମ୍ ଯାଇ ମ୍ୟାଚ୍ ଦେଖିବାର ସୁଯୋଗ ନଥିଲେ ମଧ୍ୟ ହକି‌ପ୍ରେମୀଙ୍କ ମଧ୍ୟରେ ଏବେ ଏହି ପ୍ରତିଯୋଗିତା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଚିର ସବୁଜ କଳିଙ୍ଗ ବୋହୁ ବେଶରେ ସଜେଇ ହୋଇଛି। ପ୍ରବେଶ ପଥରେ ଖେଳାଳିଙ୍କୁ ସ୍ବାଗତ କରୁଛନ୍ତି ନାନା ରକମର ପୁଷ୍ପର ସମ୍ଭାର। ୧୬ଟି ଯାକ ଦେଶର ପତାକା କଳିଙ୍ଗ ହକି କଂପ୍ଲେକ୍ସ ଉପରେ ସଗର୍ବେ ଉଡ଼ୁଛନ୍ତି। ଖେଳାଳିମାନେ ଘନ ଘନ ପ୍ରସ୍ତୁତି କରି ମହାଲଢ଼େଇ ପୂର୍ବରୁ ନିଜ ପ୍ରତିଭାକୁ ଆହୁରି ଶାଣିତ କରିବାରେ ଲାଗିଛନ୍ତି। ଆକର୍ଷଣର କେନ୍ଦ୍ରବିନ୍ଦୁ କିନ୍ତୁ ଅଛି ଭାରତୀୟ ଦଳ। ୬ ବର୍ଷ ତଳେ ଲକ୍ଷ୍ନୌ‌ରେ ଆୟୋଜିତ କନିଷ୍ଠ ପୁରୁଷ ବିଶ୍ବକପ୍‌ରେ ଭାରତ ବିଜେତା ‌ହୋଇଥିଲା। କଳିଙ୍ଗରେ ସେହି କମାଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଭିନ୍ନ ଗ୍ରୁପ୍‌ରେ ଥିଲେ ମଧ୍ୟ ପ୍ରତିଯୋଗିତାର କୌଣସି ପର୍ଯ୍ୟାୟରେ ଉଭୟ ମୁହାଁମୁହିଁ ହୁଅନ୍ତୁ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ବେଲଜିୟମ, ଆର୍ଜେଣ୍ଟିନା, ଚିଲି, ନେଦରଲାଣ୍ଡ, ଫ୍ରାନ୍ସ, କାନାଡା, ପୋଲାଣ୍ଡ, ସ୍ପେନ୍, ନେଦରଲାଣ୍ଡ୍ସ ଓ ଦକ୍ଷିଣ କୋରିଆ ସହ ପ୍ରତିଯୋଗିତାର ସଫଳତମ ଦଳ ଜର୍ମାନି, କେହି କାହାରିକୁ କମ ନୁହନ୍ତି। ପ୍ରଥମ ଦିନରେ ୫ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ଆଫ୍ରିକା-ବେଲଜିୟମ ମ୍ୟାଚ୍‌ରୁ ବିଶ୍ବକପ୍ ଘଣ୍ଟି ବାଜିବ। ଭାରତ ରାତି ୮ଟାରେ ଫ୍ରାନ୍ସକୁ ଭେଟି ଅଭିଯାନ ଆରମ୍ଭ କରିବ। କେହି ନହେଲେ ମଧ୍ୟ କଳିଙ୍ଗ ଗ୍ୟାଲେରି ତା’ର ପ୍ରିୟ ଦର୍ଶକଙ୍କୁ ଝୁରିବ।

ଭାରତୀୟ ଦଳ: ପ୍ରଶାନ୍ତ କୁମାର ଚୌହାନ, ପବନ (ଗୋଲ୍‌ରକ୍ଷକ), ସଂଜୟ (ଉପଅଧିନାୟକ), ୟଶଦୀପ ସିୱଚ, ଶର୍ଦାନନ୍ଦ ତିୱାରୀ, ସୁନୀଲ ଯୋଯୋ, ଅଭିଷେକ ଲାକ୍ରା (ରକ୍ଷଣଭାଗ), ବିବେକ ସାଗର ପ୍ରସାଦ (ଅଧିନାୟକ), ଗୁରମୁଖ ସିଂହ, ଅଙ୍କିତ ପାଲ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ବିଷ୍ଣୁକାନ୍ତ ସିଂହ (ମଧ୍ୟଭାଗ), ରାହୁଲ କୁମାର ରାଜଭର, ଅର୍ଜିତ ସିଂହ ହୁଣ୍ଡଲ, ସୁଦୀପ ଚିର୍ମାକୋ, ମନିନ୍ଦର ସିଂହ, ଉତ୍ତମ ସିଂହ, ମନ୍‌ଜିତ (ଅଗ୍ରଭାଗ)।

କେମିତି ଦେଖିବେ
ମହାମାରୀ କରୋନା ଯୋଗୁଁ ବୁଧବାରଠୁ ବିନାଦର୍ଶକରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ଏଫ୍‌ଆଇଏଚ୍‌ ହକି କନିଷ୍ଠ ବିଶ୍ବକପ୍‌। ଷ୍ଟାଡିୟମକୁ ଦର୍ଶକଙ୍କୁ ଅନୁମତି ନଥିଲେ ମଧ୍ୟ ହକିପ୍ରେମୀଙ୍କ ପାଇଁ ସିଧାସଳଖ ମ୍ୟାଚ୍‌ ଦେଖିବାର ସବୁ ସୁବିଧା ଅନ୍ତର୍ଜାତୀୟ କରିଛି। ଷ୍ଟାର ସ୍ପୋର୍ଟ୍ସ ନେଟ୍‌ୱାର୍କ ମାଧ୍ୟମରେ ହକିପ୍ରେମୀ ନିଜ ଟିଭିରେ ମ୍ୟାଚ୍‌ର ସିଧାପ୍ରସାରଣ ଦେଖିପାରିବେ। ଏଥିସହ Watch.hockey app ଏବଂ https://watch.hockey/ରେ ମ୍ୟାଚ୍‌ର ମଜା ନେଇପାରିବେ।

ବିଶ୍ବ ଓ ବିଭୂଙ୍କୁ ଗୁରୁଦାୟିତ୍ବ
ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ୩ ଜଣ ଓଡ଼ିଆ ଖେଳାଳିଙ୍କ ସହ ଆଉ ଦୁଇ ଜଣ ଓଡ଼ିଆ ବିଭୂକଲ୍ୟାଣ ନାୟକ ଓ ବିଶ୍ବରଞ୍ଜନ ଷଡ଼ଙ୍ଗୀଙ୍କୁ ଅଧିକାରୀ ଭାବେ ଦେଖିବାକୁ ମିଳିବ। ବିଭୂ ଏହି ପ୍ରତିଯୋଗିତାରେ ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇବେ। ବିଶ୍ବକପ୍‌ ପାଇଁ ବଛା ହୋଇଥିବା ସମଗ୍ର ବିଶ୍ବର ୬ ଜଣ ବୈଷୟିକ ଅଧିକାରୀଙ୍କ ମଧ୍ୟରୁ ବିଶ୍ବରଞ୍ଜନ ହେଉଛନ୍ତି ଅନ୍ୟତମ। ଅନ୍ୟପକ୍ଷରେ ବିଭୂକଲ୍ୟାଣ ବିଶ୍ବକପ୍‌ର ସ୍ବାସ୍ଥ୍ୟ ଅଧିକାରୀ ଭଳି ଗୁରୁଦାୟିତ୍ବରେ ରହିବେ।

ସାଇରୁ ଦିଲୀପଙ୍କ ଶୁଭେଚ୍ଛା

ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପିଲାଙ୍କ ଗହଣରେ ଭାରତୀୟ ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ ତିର୍କି। ମଙ୍ଗଳବାର ସ୍କୁଲ୍ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଛାତ୍ରଛାତ୍ରୀମାନେ ‘ଜୟ ହୋ’ ଗୀତର ତାଳେ ତାଳେ ଦିଲୀପଙ୍କୁ ପାଛୋଟି ନେଇଥିଲେ। ଦିଲୀପ ଏହି ଅବସରରେ ହକି ଖେଳରେ ନିଜକୁ ସାମିଲ କରିବାକୁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସେହିଭଳି ସ୍କୁଲର ବଳିଷ୍ଠ କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏଠାରୁ ଅନେକ ତାରକା ଖେଳାଳି ସୃଷ୍ଟି ହେବେ ବୋଲି ଆଶାପ୍ରକାଶ କରିଥିଲେ। ସ୍କୁଲର ଅଧ୍ୟକ୍ଷା ଶିଳ୍ପା ସାହୁ କ୍ରୀଡ଼ା ଓ ଶିକ୍ଷାର ମିଶ୍ରଣ ଦ୍ବାରା ଶରୀର, ମନ ଓ ଆତ୍ମାର ସାମଗ୍ରିକ ବିକାଶ ହେବ ବୋଲି ମତ ପ୍ରକାଶ କରିଥିଲେ। ପିଲାମାନଙ୍କୁ ଦିଲୀପ ଏହି ଅବସରରେ ହକି ଖେଳର କିଛି କୌଶଳ ଶିଖାଇଥିଲେ। ସମସ୍ତେ ଭାରତୀୟ ଦଳକୁ ମିଳିତ ଭାବେ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ବରିଷ୍ଠ ପ୍ରିନ୍ସପାଲ ନୀଳକଣ୍ଠ ପାଣିଗ୍ରାହୀ ଓ ସେକେଣ୍ଡାରୀ ପ୍ରିନ୍ସପାଲ ପ୍ରକାଶ ସାହୁ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର