କଳିଙ୍ଗରେ କନିଷ୍ଠ ବିଶ୍ବକପ୍‌ ହକିରେ ବିରଳ ଘଟଣା: ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରଥମ ମା’ପୁଅ ଯୋଡ଼ି

ଭୁବନେଶ୍ବର: ଭାରତୀୟ ହକିରେ ଅନେକ ବାପ ପୁଅ ଯୋଡ଼ିଙ୍କ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିଛନ୍ତି। କିନ୍ତୁ ପ୍ରଥମ ମା’ପୁଅ ଯୋଡ଼ି ହେଉଛନ୍ତି ପ୍ରୀତମ ରାଣୀ ସିୱାଚ ଓ ୟଶଦୀପ ସିୱାଚ। ଭୁବନେଶ୍ବରରେ ଖେଳିବାକୁ ଯାଉଥିବା ଭାରତୀୟ ଯୁବ ଦଳରେ ସ୍ଥାନ ପାଇଛନ୍ତି ଯୁବ ଡିଫେଣ୍ଡର୍‌ ୟଶଦୀପ୍‌। ଭାରତୀୟ ହକି ପାଇଁ ଏହା ଏକ ବିରଳ ମୁହୂର୍ତ। ଜଣେ ମହିଳା ଅନ୍ତର୍ଜାତୀୟ ହକି ଖେଳାଳିର ପୁଅ ଭାରତ ପାଇଁ ଖେଳୁଛି। ନବେ ଦଶକରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ପ୍ରୀତମ, ଏହାର ପ୍ରାୟ ୩ ଦଶନ୍ଧି ପରେ ପୁଅ ୟଶଦୀପ। ୨୦୧୮ ଏସୀୟ ଯୁବ ଅଲିମ୍ପିକ୍ସ କ୍ବାଲିଫାୟାର୍ସରେ ଖେଳିଥିବା ୟଶଦୀପ ଏବେ କନିଷ୍ଠ ହକି ଦଳର ସଦସ୍ୟ ହୋଇ ମା’ଙ୍କ ଗୌରବକୁ ଆଗକୁ ନେଇଛନ୍ତି। ପ୍ରୀତମ ଅର୍ଜ୍ଜୁନ ପୁରସ୍କାର ଜିତିବା ସହ ଏବେ ଦ୍ରୋଣାଚାର୍ଯ୍ୟ ବିଜୟିନୀ ହୋଇଛନ୍ତି।

‘ମୁଁ ପିଲାଦିନରୁ ମା’ଙ୍କ ‌‌ଖେଳ‌ ଦେଖି ପ୍ରେରଣା ପାଇଥିଲି ଏବଂ ହକି ଖେଳିବାକୁ ମନସ୍ଥ କରିଥିଲି। ମା’ ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଥିଲେ, ଏଣୁ ମୋ ରକ୍ତରେ ହକି ରହିଛି। ସେ ଅର୍ଜନ କରିଥିବା କୃତିତ୍ବକୁ ଅନୁସରଣ କରୁଛି ଏବଂ ଅତିକ୍ରମ କରିବାକୁ ଚେଷ୍ଟା କରିବି। ମା’ ସହ ପ୍ରଥମ ଥର ହକି ପଡିଆ ଯିବାଦିନଠୁ ଏହି‌ ଖେଳକୁ ଦେଖି ଆସିଛି, ମା’ ହିଁ ମୋ ପ୍ରଥମ ପ୍ରଶିକ୍ଷକ।’ ବୋଲି ୟଶଦୀପ ପ୍ରକାଶ କରିଛନ୍ତି। ଭୁବନେଶ୍ବରରେ ଆମେ ଟ୍ରଫି ବଜାୟ ରଖିବାକୁ ଚେଷ୍ଟା କରିବୁ ବୋଲି ମଧ୍ୟ ଆତ୍ମବିଶ୍ବାସର ସହ କହିଥିଲେ ୟଶଦୀପ। ୨୦୦୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ପ୍ରୀତମ ଗତ ସପ୍ତାହରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିବାବେଳେ ପୁଅର କନିଷ୍ଠ ବିଶ୍ବକପ୍‌ ଅଂଶଗ୍ରହଣ ତାଙ୍କ ଖୁସିକୁ ଦ୍ବିଗୁଣିତ କରିଛି। ୧୯୯୮ରେ ପ୍ରୀତମ ଅର୍ଜୁନ ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର