କଳିଙ୍ଗ କୁରମା, କେବଳ ସ୍କୁଲ୍‌ ପିଲା ପ୍ରଶଂସକ

ଭୁବନେଶ୍ବର: ବିଗତ ଦୁଇ ଦିନ ଧରି ବିଶ୍ବକପ୍ ଏବଂ ଏହାକୁ ନେଇ ରାଜଧାନୀରେ ‌ଯେଭଳି ଉତ୍ସାହ ଏବଂ ଉଦ୍ଦୀପନା ଥିଲା ତାହା ଶୁକ୍ରବାରର କଳିଙ୍ଗ ହକି କଂପ୍ଲେକ୍ସ କିମ୍ବା ଏହାର ବାହ୍ୟ ପରିବେଶରେ ପରିଲଖିତ ହୋଇନଥିଲା। ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ ‌ସେଲିବ୍ରିଟିଙ୍କ ଅଂଶଗ୍ରହଣ ଏବଂ ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଖେଳିଥିବାରୁ ପ୍ରଶଂସକଙ୍କ ଉତ୍ସାହ ଅଧିକ ରହିବା ସ୍ବାଭାବିକ ଥିଲା। କିନ୍ତୁ ଶୁକ୍ରବାରର ପୁଲ ‘ଏ’ର ଆର୍ଜେଣ୍ଟିନା-ସ୍ପେନ୍‌ ଏବଂ ନ୍ୟୁଜିଲାଣ୍ଡ-ଫ୍ରାନ୍ସ ମ୍ୟାଚ୍ ବେଳକୁ ଅସଲ ହକିପ୍ରେମୀ ନ ଥିଲେ। ୧୫,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ୍‌ ସଂଧ୍ୟା ପରେ ପ୍ରାୟ ପୂର୍ଣ୍ଣ ହୋଇଯାଇଥିଲା। କିନ୍ତୁ ଏହାର ୭୦ ଭାଗ ଥିଲେ ରାଜଧାନୀର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ। ପ୍ରାୟ ୧୦/୧୨ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ୟୁନିଫର୍ମରେ ଭରି ଯାଇଥିଲେ। ଅବଶ୍ୟ ଭବିଷ୍ୟତରେ ଓଡ଼ିଶା ହକି ଖେଳାଳିଙ୍କୁ ପାଇବା ଏବଂ ଖେଳକୁ ପେସା ଓ ନିଶା କରିବାରେ ସେମାନେ ନିଶ୍ଚିତ ଏହାଦ୍ବାରା ପ୍ରେରିତ ହେବେ ଏଥିରେ ଦ୍ବିମତ ହେବାର ନାହିଁ।

ବଡ଼ ତାରକାଙ୍କ ଆଗମନ ଚର୍ଚ୍ଚା
ଉଦ୍‌ଘାଟନୀ ଉତ୍ସବରେ ଶାହରୁଖ୍‌ ଖାନ୍‌, ମାଧୁରୀ ଦୀକ୍ଷିତ, ଏଆର୍‌ ରହେମାନ ଜଲ୍‌ୱା କରିଥିଲେ। ଦିନକ ପରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ସଲମାନ ଖାନ୍‌ ଏବଂ ଏଆର୍‌ ରହେମାନ୍‌ଙ୍କ ଚମକ ଦେଖିବାକୁ ପ୍ରବଳ ଉତ୍ସୁକତା ମିଳିଥିଲା। ଏବେ ଖାସ୍ ହକି ଚାଲିବା ଆରମ୍ଭ କରିଛି। କିନ୍ତୁ କେବଳ ଖେଳ ନୁହେଁ କଳାପ୍ରେମୀ ଓଡ଼ିଶା ବାସୀଙ୍କ ଭୋକକୁ ମେଣ୍ଟାଇବା ପାଇଁ ଡିସେମ୍ବର ୧୬ ତାରିଖର ଉଦ୍‌ଯାପନୀ ଉତ୍ସବରେ ବି କିଛି ବଡ଼ ତାରକାଙ୍କୁ ଆଣିବାକୁ ପ୍ରୟାସ ହେଉଛି। କିନ୍ତୁ କାହାରି ନାମ ସ୍ପଷ୍ଟ ହୋଇନାହିଁ। ଏହି ତାଲିକାରେ ବିଗ୍‌ ‘ବି’ ଅମିତାଭ ବଚ୍ଚନ, କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ବଲିଉଡ୍ ତାରକା ଅମିର୍ ଖାନ୍‌ଙ୍କ ନାମ ଶୁଣାଯାଉଛି। କିନ୍ତୁ ଏଭଳି କିଛି ସମ୍ଭାବନା ନାହିଁ ବୋଲି ବିଶ୍ବକପ୍ ଗଣମାଧ୍ୟମ ପରିଚାଳନା ସହିତ ଜଡ଼ିତ ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି। ଅଧିକାଂଶ ବଲିଉଡ୍‌ ତାରକା ଅନ୍ୟୁନ ୨ କୋଟିରୁ ଅଧିକ ରାଶି ଦାବି କରୁଥିବା ମଧ୍ୟ ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି।

ନିରପେକ୍ଷ କ୍ରୀଡ଼ାପ୍ରେମୀ

ଶୁକ୍ରବାର ଭାରତର ମ୍ୟାଚ୍‌ ନଥିଲା କି ପୁଲ୍ର-ସି’ର ଅନ୍ୟ କୌଣସି ଦଳ ଖେଳୁନଥିଲେ। କଳିଙ୍ଗ ହକିପ୍ରେମୀଙ୍କୁ ନିରପେକ୍ଷ ପ୍ରଶଂସକ ପାଲଟିବାର ବଡ଼ ସୁଯୋଗ ଥିଲା। ଏହାର ଜ୍ବଳନ୍ତ ଉଦାହରଣ ଦେଖାଇଥିଲେ ଓଡ଼ିଆ ହକି ପ୍ରଶଂସକ। ଉଭୟ ମ୍ୟାଚ୍ ବେଳେ ୪ ଦଳର ଖେଳାଳିଙ୍କୁ ବେଶ ସମାନ ଭାବେ ଉତ୍ସାହିତ କରୁଥିଲେ। ବଲ୍‌ ଗୋଲମୁହାଁ ହେବାବେଳେ ସେମାନଙ୍କୁ କରତାଳି ଓ ଚିତ୍କାରରେ ନିଜ ନିଜର ସମର୍ଥନ ଜଣାଉଥିଲେ। ମ୍ୟାଚ୍ ପରେ ଏହି କାରଣରୁ ସବୁ ଦଳର ଖେଳାଳିମାନେ ପ୍ରତିବଦଳରେ କଳିଙ୍ଗ ପ୍ରଶଂସକଙ୍କୁ ହାତ ହଲାଇ ସାବାସୀ ଦେଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର