ଭୁବନେଶ୍ବର: ପୁରୁଷ ହକି ଇଣ୍ଡିଆ ଲିଗ୍ର ଗୁରୁବାର ମ୍ୟାଚ୍ରେ ଓଡ଼ିଶା ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବୃହତ୍ ବିଜୟ ହାସଲ କରିଛି। ଦିଲ୍ଲୀ ପାଇପର୍ସକୁ ୫-୧ ଗୋଲ୍ରେ ହରାଇ ସପ୍ତମ ମ୍ୟାଚ୍ରୁ ତୃତୀୟ ବିଜୟ ସହ ପଏଣ୍ଟ୍ ତାଲିକାର ତୃତୀୟକୁ ଉଠିଛି। ଆଜିର ଏହି ଏକତରଫା ମୁକାବିଲାରେ କଳିଙ୍ଗ ଲାନ୍ସର୍ସ ପ୍ରଥମ କ୍ବାର୍ଟର୍ରୁ ହିଁ ଆଧିପତ୍ୟ ବିସ୍ତାର କରିଥିଲା। ଏକାଦଶ ମିନିଟ୍ରେ ନିକୋଲାସ୍ ବନ୍ଦୁରାକ ଏକ ଚମତ୍କାର ଗୋଲ୍ ଦେଇ ଦଳକୁ ଆଗୁଆ କରିବା ପରେ ଦ୍ବିତୀୟ କ୍ବାର୍ଟର୍ ଗୋଲ୍ଶୂନ୍ୟ ରହିଥିଲା। ତେବେ ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଆର୍ଥର ଭାନ୍ ଡୋରେନ୍ (୩୬ ମିନିଟ୍), ଥିଏରି ବ୍ରିଙ୍କମ୍ୟାନ୍ (୩୮, ୪୩ ମିନିଟ୍) ଓ ଗୁରଶିବଜିତ ସିଂହ (୪୫ ମିନିଟ୍) ଚାରିଟି ଗୋଲ୍ ଦେଇ ଦିଲ୍ଲୀକୁ ଘାଇଲା କରିଥିଲେ। କୋରି ୱେୟର (୪୬ ମିନିଟ୍)ଙ୍କ ମାଧ୍ୟମରେ ଦିଲ୍ଲୀ ପାଇପର୍ସ ସେଥିରୁ ମାତ୍ର ଗୋଟିଏ ଗୋଲ୍ ଶୁଝିବାକୁ ସକ୍ଷମ ହୋଇଥିଲା। ହେଲେ ପ୍ରଥମ ବିଜୟ ସନ୍ଧାନରେ ଥିବା ଦିଲ୍ଲୀ ପାଇପର୍ସ ଚତୁର୍ଥ ପରାଜୟ ବରଣ କରିଥିଲା।
ଭୁବନେଶ୍ବର: ଚଳିତ ମହିଳା ହକି ଇଣ୍ଡିଆ ଲିଗ୍ରେ ଓଡ଼ିଶା ୱାରିୟର୍ସ ୩-୨ (୧-୧) ପେନାଲ୍ଟି ସୁଟ୍ଆଉଟ୍ରେ ଶ୍ରାଚୀ ରାର୍ ବେଙ୍ଗଲ ଟାଇଗର୍ସକୁ ପରାସ୍ତ କରିଛି। ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା। ଓଡ଼ିଶା ୱାରିୟର୍ସ ପକ୍ଷରୁ ବଲଜିତ କୌର (୮ ମିନିଟ୍) ଓ ବେଙ୍ଗଲ ଟାଇଗର୍ସ ପକ୍ଷରୁ ବିଉଟି ଡୁଙ୍ଗଡୁଙ୍ଗ (୧୬ ମିନିଟ୍) ଗୋଲ୍ ଦେଇଥିଲେ। ମ୍ୟାଚ୍ର ତୃତୀୟ ମିନିଟ୍ରେ ବେଙ୍ଗଲ ଟାଇଗର୍ସ ଆସ୍ଲେ ହୋଫ୍ମାନଙ୍କ ଏକ ପାସ୍ ଓଡ଼ିଶାର ଗୋଲ୍ ପୋଷ୍ଟ୍ର ନିକଟତର ଥିଲା। ହେଲେ ଲାଲରେମସିଆମି ଓ ହାନ୍ନା କୋଟର ଏହାକୁ ହାତଛଡ଼ା କରିବାରୁ ବେଙ୍ଗଲ୍ ଟାଇଗର୍ସ ଅଗ୍ରଣୀ ନେବାର ସୁଯୋଗ ହାତଛଡ଼ା କରିଥିଲା। ତେବେ ଅଷ୍ଟମ ମିନିଟ୍ରେ ଭିକ୍ଟୋରିଆ ସୌଜେଙ୍କ ଏକ ସୁନ୍ଦର ପାସ୍କୁ ବଲଜିତ କୌଣସି ଭୁଲ୍ ନକରି ବେଙ୍ଗଲ୍ ଟାଇଗର୍ସ ଗୋଲ୍ ପୋଷ୍ଟ୍କୁ ବଲ୍ ପଠାଇ ଓଡ଼ିଶାକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଦ୍ବିତୀୟ କ୍ବାର୍ଟର ଆରମ୍ଭରୁ ବେଙ୍ଗଲ ଟାଇଗର୍ସର ବିଉଟି ଗୋଲ୍ ଦେଇ ସ୍ଥିତି ସମାନ କରିଥିଲେ। ଶେଷାର୍ଦ୍ଧ ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ପେନାଲ୍ଟି ସୁଟ୍ଆଉଟ୍ରେ ଓଡ଼ିଶାର ଫ୍ରିକେ ମୋଏଜ୍, ସୋନିକା ଓ କାଟ୍ଲିନ୍ ନୋବ୍ସ ଏବଂ ବେଙ୍ଗଲ ଟାଇଗର୍ସର ଫ୍ଲୋନା କ୍ରାକ୍ଲେସ୍ ଓ ଗ୍ରେସ୍ ଷ୍ଟିୱାର୍ଟ ଗୋଲ୍ କରିବାରେ ସଫଳ ହୋଇଥିଲେ।