ଭୁବନେଶ୍ବର: ଓଡ଼ିଶାର ଅନ୍ୟତମ ଅଗ୍ରଣୀ କ୍ରୀଡ଼ାଅନୁଷ୍ଠାନ ଜେ ଏମ ସ୍ପୋର୍ଟସ ଜିମ୍ନାଷ୍ଟିକ ଏକାଡେମୀ ଓ ଓଡିଶା ଜିମ୍ନାଷ୍ଟିକ ସଂଘ ମିଳିତ ସହଯୋଗରେ ଆୟୋଜିତ ଦ୍ୱିତୀୟ କଳିଙ୍ଗ ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ପଶ୍ଚିମବଙ୍ଗ ବିଜେତା ‌ହୋଇଥିବାବେଳେ ମହାରାଷ୍ଟ୍ର ଉପ ବିଜେତା ଅଖ୍ୟା‌ ଅର୍ଜନ କରିଛି। ଓଡ଼ିଶାକୁ ତୃତୀୟ ସ୍ଥାନ ମିଳିଛି। ଓଡ଼ିଶା ୮ ବର୍ଷରୁ କମ୍‌ ବାଳକ ବର୍ଗରେ ବିଜେତା ହେବା ସହ ମୋଟ ୧୪ଟି ପଦକ ଜିତିଥିଲା।

Advertisment

ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଦିଲ୍ଲୀପ ତିର୍କୀ ଯୋଗଦେଇ ତୃଣମୂଳ ସ୍ତରରେ ଜେ ଏମ ସ୍ପୋର୍ଟସର ଜିମ୍ନାଷ୍ଟିକ ପ୍ରତି ନିଷ୍ଠା ଓ ଉଦ୍ୟମ କୁ ପ୍ରଶଂସା କରିଥିଲେ। ସେହିଭଳି ସରକାରଙ୍କ ଦ୍ୱାରା ନୂତନ ଭାବେ ନିର୍ମାଣ ହୋଇଥିବା ଜିମ୍ନାଷ୍ଟିକର ହାଇ ପରଫର୍ମାନ୍ସ ସେଣ୍ଟରରେ କିପରି ବିଭିନ୍ନ ରାଜ୍ୟର ଦକ୍ଷତା ସମ୍ପର୍ଣ୍ଣ ଖେଳାଳି ସ୍ଥାନ ପାଇବେ ସେଥିପାଇଁ ଉପସ୍ଥିତ ଥିବା ଅଭିଭାବକ ମାନଙ୍କୁ ଡକ୍ଟର ତିର୍କୀ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ଭାବେ ଓଡିଶା ଜିମ୍ନାଷ୍ଟିକ ସଂଘର ସମ୍ପାଦକ ଅଶୋକ ସାହୁ ଉପସ୍ଥିତ ଥିଲେ। ଜେ ଏମ ସ୍ପୋର୍ଟସର ଅତିଶ ରାଉତ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂପାଦକ ଯଶୋବନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଳେ। ଜେ ଏମ ସ୍ପୋର୍ଟସ ଏକାଡେମୀ ଅଧକ୍ଷା ମୀରା ରାଣୀ ଦାସ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ରାଶି ସହିତ ଟ୍ରଫି ଓ ପଦକ ପ୍ରଦାନ କରିଥିଲେ। ଜାତୀୟ ଜିମ୍ନାଷ୍ଟିକ କୁ ପରିଚାଳନା କରିଥିବା ଆନ୍ତର୍ଜାତିୟ ଓ ଜାତୀୟ ଅଫିସିଆଲ ମାନଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରତିଯୋଗିତାକୁ ସଂଘଠନର ମମିନା ବାନୋ, ଜ୍ୟୋର୍ତିମୟୀ ମନ୍ତ୍ରୀ, ଦୀପରିଖା ଦେ, ଦିପ୍ତୀମୟୀ ନାୟକ, କଳ୍ପନା ନାୟକ, ସୁନିତା ସାହୁ, ଅର୍ଣ୍ଣପୂର୍ଣା ମହାନ୍ତି, ସନ୍ଧ୍ୟା ମିଶ୍ର ଓ ମନସ୍ବିନୀ ସାହୁ ପ୍ରମୂଖ ସଫଳ କରାଇଥିଲେ। ଉଦଯାପନୀ ଉତ୍ସବକୁ ଜିମ୍ନାଷ୍ଟ ବିଘ୍ନେଶ ଦାସ ଓ ସୁବ୍ରତ ମହାପାତ୍ର ସଞ୍ଚାଳନା କରିଥିଲେ।