କଳିଙ୍ଗ ଓପନ୍ ଜାତୀୟ ଜିମ୍ନାଷ୍ଟିକ୍ସ: ଦୁଇଟି ବର୍ଗରେ ଓଡ଼ିଶା ବିଜେତା

ଭୁବନେଶ୍ବର: ଜେଏମ୍‌ ସ୍ପୋର୍ଟସ ଏକାଡେମି ଦ୍ୱାରା ଆୟୋଜିତ ୩ ଦିନିଆ କଳିଙ୍ଗ ଓପନ୍ ଆମନ୍ତ୍ରଣୀୟ ଜାତୀୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ୮ ରୁ ୧୭ ବୟସ ବର୍ଗର ପାଖାପାଖି ୨୫୦ ପ୍ରତିଯୋଗୀ ଭାଗ ନେଇଥିଲେ। ଉଭୟ ବାଳକ ଓ ବାଳିକା ବିଭାଗରେ ବେଙ୍ଗଲ ଦଳଗତ ବିଜେତା ଆଖ୍ୟା ଅର୍ଜନ କରିଥିବା ବେଳେ ୧୪ ଓ ୧୬ ବର୍ଷରୁ କମ୍‌ ବର୍ଗରେ ଓଡିଶା ବାଳିକା ବର୍ଗ ବିଜେତା ହୋଇଥିଲା। ୧୪ ବର୍ଷରୁ କମ୍‌ରେ ରିତିକା ଦାସ ବିଜୟିନୀ ହୋଇଥିଲା ବେଳେ ୧୬ ବର୍ଷରୁ କମ୍‌ରେ ଲକ୍ଷ୍ମୀପ୍ରିୟା ସୁନ୍ଦରାୟ ବିଜୟିନୀ ହୋଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିଲେ। ଉଦଯାପନ ଦିବସରେ ଭୁବନେଶ୍ୱରର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ସେ ମଧ୍ୟ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ମନୁଶ୍ରୀ ଖୁଣ୍ଟିଆ, ଶିଳ୍ପପତି ସତ୍ୟଜିତ ପଟ୍ଟନାୟକ, ଇତିଶ୍ରୀ ସାମଲ ଓ ଆନ୍ତର୍ଜାତିକ ଆଥଲେଟ ପ୍ରଣତି ମିଶ୍ର ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ଜେ ଏମ୍‌ ସ୍ପୋର୍ଟସର ଏକାଡେମିର ଅଧ୍ୟକ୍ଷା ମୀରାରାଣୀ ଦାସ ଓ ସଂପାଦକ ଯଶୋବନ୍ତ ଦାସ ଙ୍କ ସମେତ ସଂଗଠନର ସଦସ୍ୟ ସ୍ୱାଗତିକା ମୁଦୁଲି, ସୁବ୍ରତ ମହାପାତ୍ର, ପ୍ରଦୀପ ସାହୁ ଓ ଅଶୋକ ସାହୁ ପ୍ରମୁଖ ଭୂମିକା ତୁଲାଇଥିଲେ।

ସମ୍ବନ୍ଧିତ ଖବର