କଳିଙ୍ଗ ପ୍ରସ୍ତୁତ, ଆଜିଠୁ ଅଲିମ୍ପିକ୍ସ ଯୋଗ୍ୟତା ଆରମ୍ଭ

ଆକର୍ଷଣରେ ଲିଲିମା-ନମିତା-ଦୀପଗ୍ରେସ୍

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଉଭୟ ଭାରତୀୟ ମହିଳା ଏବଂ ପୁରୁଷ ଦଳ ଅଲିମ୍ପିକ୍ସ ଟିକେଟ ଅର୍ଜନ କରିବାକୁ ଲଢ଼ି‌େବ। ଭରତୀୟ ପୁରୁଷ ଦଳ ରୁଷିଆ ଏବଂ ମହିଳା ଆମେରିକାର ମୁକାବିଲା କରିବେ। ଶୁକ୍ରବାର ଏବଂ ଶନିବାରର ଦୁଇଟି ଲେଖାଏଁ ମ୍ୟାଚ୍ ପରେ ଗୋଲ୍ ବ୍ୟବଧାନରେ ଆଗୁଆ ଥିବା ଦଳ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଲାଭ କରିବ। ଭାରତୀୟ ପୁରୁଷ ଦଳ ୨୦ତମ ଥର ପାଇଁ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବ। ସେପଟେ ମହିଳା ଦଳ ତୃତୀୟ ଥର ପାଇଁ ବିଶ୍ବ କ୍ରୀଡ଼ାର ଏହି ସର୍ବବୃହତ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବା ଆଶାରେ ପଡ଼ିଆକୁ ଓହ୍ଲାଇବ। ବିଶ୍ବମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଭାରତୀୟ ପୁରୁଷ ଦଳ ୨୨ତମ ସ୍ଥାନରେ ଥିବା ରୁଷିଆକୁ ‌ଭେଟିବାକୁ ଥିବାରୁ ଏହାର ପଥ ତୁଳନାତ୍ମକ ଭାବେ ସହଜ ମନେ ହେଉଛି। ମହିଳା ଦଳକୁ କିନ୍ତୁ ଆମେରିକା କଡ଼ା ଟକ୍କର ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶ୍ବ ମାନ୍ୟତାରେ ଅବଶ୍ୟ ଆମେରିକା (ତ୍ରୟୋଦଶ) ଭାରତ (ନବମ)ଠାରୁ ଚାରିଟି ସ୍ଥାନ ତଳେ ରହିଛି। ତେବେ ଅଲିମ୍ପିକ୍ସ ଅଭିଜ୍ଞତା ଦୃଷ୍ଟିରୁ ଆମେରିକା ଭାରତୀୟ ମହିଳା ଦଳଠାରୁ ଢେର ଆଗରେ ରହିଛି। ୧୯୮୦ ମସିହାରେ ମହିଳା ହକି ଅଲିମ୍ପିକ୍ସରେ ସାମିଲ ହେବା ପରଠାରୁ ଆମେରିକା ୬ଥର ଏଥିରେ ଖେଳି ସାରିଛି। ଭାରତ ୧୯୮୦ ମସହାରେ ପ୍ରଥମ ଥର ପାଇଁ ଖେଳିବା ପରେ ୨୦୧୬ରେ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସରେ ପ୍ରତିଦ୍ବନ୍ଦ୍ବିତା କରିଥିଲା। ଦ୍ବିତୀୟ ଥର ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲାଗି ଭାରତୀୟ ମହିଳା ଦଳକୁ ଦୀର୍ଘ ୨୮ ବର୍ଷର ସମୟ ଲାଗି ଯାଇଥିଲା। କଳିଙ୍ଗରେ ଭାରତୀୟ ପୁରୁଷ ଏବଂ ମହିଳା ଦଳ ଯଥାକ୍ରମେ ରୁଷିଆ ଏବଂ ଆମେରିକାକୁ ହରାଇ ପାରିଲେ ଏଠାରେ ହିଁ ନୂଆ ଇତିହାସ ଲେଖାହେବ। ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ଏବଂ ମହିଳା ତୃତୀୟ ଥର ପାଇଁ ମିଳିତ ଯୋଗ୍ୟତା ହାସଲ କରିବେ।

କଳିଙ୍ଗ ପ୍ରସ୍ତୁତ
କଳିଙ୍ଗ ଷ୍ଟାଡିୟମ ପୂର୍ବରୁ ହକି ବିଶ୍ବକପ୍, ବିଶ୍ବ ହକି ଲିଗ୍ ଫାଇନାଲ୍ସ ଏବଂ ହକି ଚାମ୍ପିଅନ୍ସ ଟ୍ରଫି ଭଳି ପ୍ରତିଯୋଗିତା ଆୟୋଜନ କରି ସାରିଛି। ବିଶ୍ବ ହକିର ଅନ୍ୟତମ ଶ୍ରେଷ୍ଠ ତଥା ଲୋକପ୍ରିୟ ଷ୍ଟାଡିୟମ୍ ‘କଳିଙ୍ଗ’ କିନ୍ତୁ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଆୟୋଜନ କରିବ। ସେହିଭଳି ଏଠାରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମହିଳା ହକି ପ୍ରତିଯୋଗିତା ଖେଳାଯିବ। ସେଥିଲାଗି କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ ପୂରା ପ୍ରସ୍ତୁତ। କଂପ୍ଲେକ୍ସକୁ ନବବଧୁ ଭଲି ସଜାଯାଇଥିଲା ବେଳେ ଫ୍ଲଡ୍ ଲାଇଟ୍‌ର ଧବଳ ଆଲୋକରେ ଚକମକ୍ ହେଉଛି ନୀଳ ଟର୍ଫ। ଷ୍ଟାଡିୟମ ଚାରିପଟର ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ ମଧ୍ୟ ଟ୍ରଫିକ୍ ସମସ୍ୟା ଟାଳିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେପଟେ ଭାରତୀୟ ମହିଳା ଦଳରେ ଥିବା ତିନି ଜଣ ଓଡ଼ିଆ ତାରକା ଲିଲିମା ମିଞ୍ଜ, ନମିତା ଟ‌େପ୍ପୋ ଓ ଦୀପଗ୍ରେସ୍ ଏକ୍କା ଘରୋଇ ପରିବେଶରେ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବେ। ପୁରୁଷ ଦଳରେ ଥିବା ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ସବୁଥର ଭଳି ଏଥର ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ।

ଆକର୍ଷଣରେ ଲିଲିମା-ନମିତା-ଦୀପଗ୍ରେସ୍
କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ ମହିଳା ହକି ପ୍ରତିଯୋଗିତା ଆୟୋଜିତ ହେବ। ତା’ ସହ ତିନି ଘରୋଇ ତାରକା ଲିଲିମା ମିଞ୍ଜ, ନମିତା ଟପ୍ପୋ ଏବଂ ଦୀପଗ୍ରେସ୍ ଏକ୍କା ମଧ୍ୟ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ଏଣୁ ଏହି ତିନି ଜଣ ହିଁ ସ୍ଥାନୀୟ ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ଦୀପଗ୍ରେସ୍ ୨୦୦ରୁ ଅଧିକ ଏବଂ ନମିତା ଓ ଲିଲିମା ଦେଢ଼ ଶହରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି। ହେଲେ ଭୁବନେଶ୍ବରରେ ପୂର୍ବରୁ କେବେବି ଭାରତର ପ୍ରତିନିଧିତ୍ବ କରି ନାହାନ୍ତି।

ଭାରତୀୟ ପୁରୁଷ ଦଳ
ମନପ୍ରୀତ ସିଂହ (ଅଧିନାୟକ), କିଶନ ବାହାଦୂର ଥାପ୍ପା, ପିଆର ଶ୍ରୀଜେଶ, ହରମନପ୍ରୀତ ସିଂହ, ଗୁରିନ୍ଦର ସିଂହ, ରୂପିନ୍ଦର ପାଲ ସିଂହ, ଅମିତ ରୋହିଦାସ, ନୀଳକାନ୍ତ ଶର୍ମା, ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଲଲିତ କୁମାର ଉପାଧ୍ୟାୟ, ଏସ୍‌ଭି ସୁନୀଲ, ସୁରେନ୍ଦ୍ର କୁମାର, ମନଦୀପ ସିଂହ, ଆକାଶଦୀପ ସିଂହ, ରମଣଦୀପ ସିଂହ, ସିମରନଜିତ୍ ସିଂହ, ବୀରେନ୍ଦ୍ର ଲାକ୍ରା।

ଭାରତୀୟ ମହିଳା ଦଳ
ରାଣୀ ରାମପାଲ, ସବିତା, ରଜନୀ ଏତିମାର୍ପୁ, ଦୀପଗ୍ରେସ୍ ଏକ୍କା, ଗୁରଜିତ କୌର, ରୀନା ଖୋକର, ସଲିମା ଟେଟେ, ସୁଶୀଳା ଚାନୁ ପୁଖରମବାମ, ନିକି ପ୍ରଧାନ, ମୋନିକା, ନେହା ‌ଗୋୟଲ, ଲିଲିମା ମିଞ୍ଜ, ନମିତା ଟପ୍ପୋ, ବନ୍ଦନା କଟାରିଆ, ନବନୀତ କୌର, ଲାଲରେମସିଆମି, ନଭଜ୍ୟୋତ କୌର, ଶର୍ମିଲା ଦେବୀ।

ଯୋଗଦେବେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରିଜ୍ଜୁ
ଶୁକ୍ରବାରର ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଉଦଘାଟନରେ କେନ୍ଦ୍ରୀୟ କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ ଯୋଗଦେବେ। ଏହି ଅବସରରେ ଶ୍ରୀ ରିଜ୍ଜୁ କଳିଙ୍ଗ ଷ୍ଟାଡିୟମରେ ସ୍ଥାପିତ ହୋଇଥିବା ବିଭିନ୍ନ ହାଇପର୍ଫମାନ୍ସ କେନ୍ଦ୍ର ବୁଲି ଦେଖିବେ। ସେ ମଧ୍ୟ ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟିବେ। ଏଫଆଇଏଚ୍ ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ପ୍ରମୁଖ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ ଯେ ଭୁବନେଶ୍ବର ଦେଶର କ୍ରୀଡ଼ା କ୍ୟାପିଟାଲର ମାନ୍ୟତା ଲାଭ କରି ସାରିଥିଲା ବେଳେ ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ସରକାର ବିଭିନ୍ନ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। କଳିଙ୍ଗ ଷ୍ଟାଡିୟମ ଏବଂ ଓଡ଼ିଶାରେ ଅନ୍ୟୁନ ୧୦ଟି ହାଇପର୍ଫମାନ୍ସ କେନ୍ଦ୍ର ସ୍ଥାପନ କରିବା ଏହାର ଏକ ଅଂଶବିଶେଷ। ନିକଟରେ ରାଜ୍ୟ ସରକାର କ୍ରୀଡ଼ାବିତଙ୍କୁ ମିଳୁଥିବା ଭତ୍ତାକୁ ମଧ୍ୟ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର