କଳିଙ୍ଗ ସ୍ପୋର୍ଟିଂ-ଜୟଦୁର୍ଗା ଫାଇନାଲ୍‌ ଆଜି

ମଦନପୁର କପ୍‌ ଫୁଟ୍‌ବଲ୍‌: ମହିଳା ଫାଇନାଲ୍‌ ବି ଆଜି

ଭୁବନେଶ୍ୱର: ନବଜ୍ୟୋତି କ୍ଲବ୍‌ ଆନୁକୂଲ୍ୟରେ ମଦନପୁର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ଷଷ୍ଠ ମଦନପୁର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ ଆସନ୍ତାକାଲି ଖେଳାଯିବ। ଭୁବନେଶ୍ୱରର କଳିଙ୍ଗ ସ୍ପୋର୍ଟିଂ ଓ ଖୋର୍ଧାର ଜୟଦୁର୍ଗା କ୍ଲବ୍‌ ଟ୍ରଫି ପାଇଁ ଲଢ଼ିବେ। ସୋମବାର ବଜରଙ୍ଗବାଲୀ ଫୁଟ୍‌ବଲ୍‌ ସଂଘକୁ ପରାସ୍ତ କରି ଜୟଦୁର୍ଗା ପ୍ରଥମ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଥିଲା ବେଳେ ମଙ୍ଗଳବାର ଜଟଣୀର ଗୋଲ୍‌ଡେନ୍‌ କ୍ଲବ୍‌କୁ ଟାଇବ୍ରେକର୍‌ ୭-୫ ଗୋଲ୍‌ରେ ପରାସ୍ତ କରି କଳିଙ୍ଗ ସ୍ପୋର୍ଟିଂ ଫାଇନାଲ୍‌ ପ୍ରବେଶ କରିଛି। ଗୋଲ୍‌ଡେନ୍‌ କ୍ଲବ୍‌ ଓ କଳିଙ୍ଗ ସ୍ପୋର୍ଟି ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍‌ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ନିର୍ଧାରିତ ସମୟ ୨-୨ ଗୋଲ୍‌ରେ ଅମୀମାଂସିତ ରହିବା ପରେ ଟାଇବ୍ରେକର୍‌ରେ ଫଳାଫଳ ମିଳିଥିଲା। ନିର୍ଧାରିତ ସମୟରେ ଉପେନ୍ଦ୍ର ଦେହୁରୀ ଓ ସଞ୍ଜୟ ନାୟକ (ଗୋଲ୍‌ଡେନ୍‌ କ୍ଲବ୍‌) ଏବଂ ଆପୁଲ ଦାସ ଓ ଆକାଶ ବେହେରା (କଳିଙ୍ଗ ସ୍ପୋର୍ଟିଂ) ଗୋଲ୍‌ କରିଥିଲେ। ପୂର୍ବତନ କ୍ରୀଡ଼ାବିତ୍‌ ତଥା ସମାଜସେବୀ ସୁଧୀର କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ସୁଜିତ କୁମାର ପାତ୍ର, ବିଦେଶୀ ନାୟକ, ସୁଶାନ୍ତ ମିଶ୍ର ଓ ଶ୍ରୀକୃଷ୍ଣ ପଟ୍ଟନାୟକ ମ୍ୟାଚ୍‌ ପରିଚାଳନା କରିଥିଲେ।
ସେହିପରି ଆସନ୍ତାକାଲି ମଧ୍ୟ ଏଠାରେ ଆୟୋଜିତ ପ୍ରଥମ ମଦନପୁର କପ୍‌ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହେବ। ବୁଧବାର ଫାଇନାଲ୍‌ରେ ଉର୍ମିଳା ଏକାଡେମି ଓ ନିତା ଅମ୍ବାନୀ କ୍ରୀଡ଼ା ଛାତ୍ରାବାସ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର