କଳିଙ୍ଗ ଷ୍ଟାଡିୟମ ଘାସ ନଷ୍ଟ 

ଭୁବନେଶ୍ୱର: ଆଉ ମାତ୍ର ଦୁଇ ଦିନ ପରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା। ଏହା ପୂର୍ବରୁ କଳିଙ୍ଗ ଷ୍ଟାଡିୟମ ଫୁଟ୍‌ବଲ୍‌ ପଡ଼ିଆରେ ଲାଗି ଥିବା ଘାସ ଅନେକ ସ୍ଥାନରେ ନଷ୍ଟ ହୋଇଯାଇଥିବା ଦେଖାଗଲାଣି। ଆଇଏସ୍‌ଏଲ୍‌ର ସଫଳ ଆୟୋଜନ ପରେ ଓଡ଼ିଶାକୁ ପୁରସ୍କାର ରୂପେ ସୁପର କପ୍‌ ଆୟୋଜନ ଅଧିକାର ମିଳିଥିଲା। ଏପରିକି ଦେଶର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ୍‌ ଷ୍ଟାଡିୟମ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଗଣା ହୋଇଥିଲା। ଏତେ ସବୁ ପ୍ରଶଂସା ସାଉଣ୍ଟିବା ପରେ କଳିଙ୍ଗ ପଡ଼ିଆରେ ଲାଗିଥିବା ଘାସର ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। ପଡ଼ିଆର ଅନେକ ସ୍ଥାନରେ ଘାସ ମରି ପୂରା ହଳଦିଆ ପଡ଼ିଯାଇଛି। ଫଳରେ ସୁପର କପ୍‌ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ଦେଖାଦେଇଛି। ପଡ଼ିଆରେ ଲାଇନ୍‌ ପକାଇବା ଲାଗି ଓଡ଼ିଶା ଫୁଟ୍‌ବଲ୍‌ ସଂଘ (ଫାଓ) ଠିକାଦାର ନିଯୁକ୍ତ କରିଥିଲା। ଏହି ସଂସ୍ଥା ନିମ୍ନ ମାନର ଓ କମ୍‌ ଦାମର ରଙ୍ଗ ବ୍ୟବହାର କରିଥିବାରୁୁ ଏହାର ପ୍ରଭାବରେ ଲାଇନ୍‌ ତଳ ଏବଂ ଏହାର ଆଖପାଖ ଘାସ ସବୁ ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି। ଏଥିରେ ସୁଧାର ଆଣିବାକୁ ଆମେ ଚେଷ୍ଟା ଚଲାଇଛୁ ବୋଲି କ୍ରୀଡ଼ା ସଚିବ ବିଶାଲ କୁମାର ଦେବ କହିଛନ୍ତି। ବିଭିନ୍ନ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ସାର ପକାଉଛୁ। ପ୍ରତିଦିନ ବୈଜ୍ଞାନିକ ଦଳ ଏହାର ତଦାରଖ କରୁଛନ୍ତି। ଫଳରେ ଖୁବ୍‌ ଶୀଘ୍ର ପଡ଼ିଆକୁ ମ୍ୟାଚ୍‌ ଉପଯୋଗୀ କରିପାରିବୁ ବୋଲି ପଡ଼ିଆ ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ଦିଲ୍ଲୀର ଏଲ୍‌ଆର୍‌ ବ୍ରଦର୍ସର ଜଣେ କର୍ମଚାରୀ କହିଛନ୍ତି। ମୁଁ ଦୁଇ ଦଶନ୍ଧି ଧରି ପଡ଼ିଆ କାମ କରି ଆସୁଛି। କିନ୍ତୁ ଫୁଟ୍‌ବଲ୍‌ ପଡ଼ିଆରେ ଘାସ ଏପରି ନଷ୍ଟ ହେବା କେବେ ଦେଖିନଥିଲି। ଲାଇନ୍‌ରେ ପଡ଼ିଥିବା ମାରାତ୍ମକ ରଙ୍ଗ ପାଇଁ ଏପରି ହୋଇଥିବା ଅନୁମାନ କରୁଛୁ। ଯେପରି ହୋଇଛି ଏଥିରେ ସବୁଜ ଘାସ ଆଣିବାକୁ ୧୦ ଦିନରୁ ଅଧିକ ସମୟ ଲାଗିଯିବ। ପଡ଼ିଆକୁ ପୂର୍ବ ପରି ସବୁଜ କରିବାକୁ ଆମର ସବୁ ଅଭିଜ୍ଞତା ଲଗାଇ କାମ ଜାରି ରଖିଛୁ ବୋଲି ପଡ଼ିଆ ଦାୟିତ୍ୱରେ ଥିବା ଜଣେ କର୍ମଚାରୀ କହିଛନ୍ତି। ଅନ୍ୟ ପକ୍ଷରେ ଫାଓ ଯୁଗ୍ମ ସଂପାଦକ ଅଭିଜିତ ପାଲ ଆମେ ଏହି ବିଷୟରେ କିଛି ଜାଣି ନଥବା କହିଛନ୍ତି।

ସମ୍ବନ୍ଧିତ ଖବର