ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଆରମ୍ଭ ହେଉଥିବା ବିଶ୍ୱ ‘ହକି ଲିଗ୍ ଫାଇନାଲ’ରେ ଓଡ଼ିଶା ହକି ପ୍ରେମୀ ଭାରତ ସମେତ ବିଶ୍ୱର ବଛା ବଛା ୮ ଅନ୍ତର୍ଜାତୀୟ ଦଳକୁ ଦେଖିବାକୁ ପାଇବେ। ଏହା ପୂର୍ବରୁ ବି ସେମାନେ ଆଉ ଏକ ଅନ୍ତର୍ଜାତୀୟ ହକି ଦଳର ଖେଳକୁ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଉପଭୋଗ କରି ପାରିବେ। ଦକ୍ଷିଣ କୋରିଆ ପୁରୁଷ ହକି ଦଳ ଚଳିତ ନଭେମ୍ବର ୨୬ ଓ ୩୦ ତାରିଖରେ ଏଠାରେ ଦୁଇଟି ଅଣସ୍ୱୀକୃତ ହକି ଟେଷ୍ଟ ମ୍ୟାଚ୍ ଖେଳିବ। ଏହି ଦଳ ତା’ର ଦୁଇଟି ଯାକ ଅଭ୍ୟାସ ମ୍ୟାଚ୍ ପୂର୍ବତଟ ରେଳବାଇ ବିପକ୍ଷରେ ଖେଳିବ। ପ୍ରଥମ ମ୍ୟାଚ୍ ଆସନ୍ତା ୨୬ ଏବଂ ଦ୍ୱିତୀୟ ମ୍ୟାଚ୍ ୩୦ ତାରିଖରେ ଖେଳାଯିବ। ଉଭୟ ମ୍ୟାଚ୍ ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ୪.୪୦ରେ ଶେଷ ହେବ। ଦୁଇ ଟିକିଆ ଶୃଙ୍ଖଳାରେ କେତେକ ସ୍ଥାନୀୟ ଅମ୍ପାୟାରଙ୍କୁ ମଧ୍ୟ ଅମ୍ପାୟାରିଂ କରିବାର ସୁଯୋଗ ମିଳିବ। ଏ ବିଷୟରେ ହକି ଇଣ୍ଡିଆ ଇମେଲ ଯୋଗେ ପୂର୍ବତଟ ରେଳବାଇକୁ ଜଣାଇଛି। କୋରିଆ ଖେଳାଳିଙ୍କ ରହିବା ଏବଂ ଯିବା ଆସିବାର ବ୍ୟବସ୍ଥା ମଧ୍ୟ ହକି ଇଣ୍ଡିଆ କରି ସାରିଥିବା ଜଣା ପଡ଼ିଛି। ତେବେ ଡିସେମ୍ବର ପହିଲାରୁ ବିଶ୍ୱ ହକି ଲିଗ୍ ଫାଇନାଲ୍ ଖେଳାଯିବାର ଥିବାରୁ କୋରିଆ ଦଳକୁ ଏହାର ଠିକ୍ ପୂର୍ବତନ କେଉଁ ଟର୍ଫରେ ଖେଳିବା ସୁଯୋଗ ମିଳିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।
ଦ୍ୱିତୀୟରେ ପେଲେଟ୍ ଓ ଡେଓ୍ଵର
ଛତିଶଗଡ଼ର ରାୟପୁରଠାରେ ଖେଳା ଯାଇଥିବା ବିଶ୍ୱ ହକି ଲିଗ୍ ଫାଇନାଲର ଦ୍ୱିତୀୟ ସଂସ୍କରଣରେ ଆର୍ଜେଣ୍ଟିନାର ଗୋଞ୍ଜାଲୋ ପେଲେଟ୍ ଏବଂ ଅଷ୍ଟ୍ରେଲିଆର ଜାମି ଡେଓ୍ଵରଙ୍କ ଯାଦୁ ଦେଖିବାକୁ ମିଳିଥିଲା। ହକି ଇଣ୍ଡିଆ ଲିଗ୍ରେ ଓଡ଼ିଶା ଦଳ କଳିଙ୍ଗ ଲାନସର୍ସର ପ୍ରତିନିଧିତ୍ୱ କରିଥିବା ପେଲେଟ୍ ମୋଟ ୮ ଗୋଲ୍ ଦେଇଥିଲେ। ଆର୍ଜେଣ୍ଟିନା କିନ୍ତୁ ଦଳଗତ ଭାବେ ଷଷ୍ଠ ସ୍ଥାନରେ ରହିଥିଲା। ପେଲେଟ୍ ୮ ଗୋଲ୍ ଦେଇଥିଲେ ମଧ୍ୟ ଅଷ୍ଟ୍ରେଲିଆକୁ ବିଜେତା କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା ଡେଓ୍ଵର ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ନେଦରଲାଣ୍ଡର ଜାପ୍ ଷ୍ଟକମ୍ୟାନ୍ ଶ୍ରେଷ୍ଠ ଗୋଲ୍ ରକ୍ଷକ ବିବେଚିତ ହୋଇଥିଲା ବେଳେ ବେଲଜିୟମର ଆର୍ଥର ଭାନ୍ ଡୋରେନ୍ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ। ତୃତୀୟ ସ୍ଥାନ ଅଧିକାର କରିଥିବା ଭାରତ ପକ୍ଷରୁ ଆକାଶଦୀପ ସିଂହ ଦୁଇଟି ଏବଂ ଚିଙ୍ଗଲସେନା ସିଂହ, ଭିଆର ରଘୁନାଥ, ତଲବିନ୍ଦର ସିଂହ, ରମଣଦୀପ ସିଂହ, ରୂପିନ୍ଦର ପାଲ ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।