କଳିଙ୍ଗ ଷ୍ଟାଡିୟମ୍‌ରେ ଜାତୀୟ ହକି ଶିବିର ୧୬ରୁ ଆରମ୍ଭ: ଓଡ଼ିଶାରୁ ଜଣେ ବି ନାହାନ୍ତି

ନୂଆଦିଲ୍ଲୀ: ଏସୀୟ ଚାମ୍ପିଅନ୍ସ ଟ୍ରଫି ଏବଂ ବହୁ ପ୍ରତୀକ୍ଷିତ ହକି ବିଶ୍ୱକପ୍‌ ପ୍ରସ୍ତୁତି ନିମନ୍ତେ ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିୟମରେ ଜାତୀୟ ଶିବିର ଅନୁଷ୍ଠିତ ହେବ। ଶିବିର ଚଳିତ ମାସ ୧୬ରୁ ଆରମ୍ଭ ହୋଇ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଶିବିର ଲାଗି ବୁଧବାର ହକି ଇଣ୍ଡିଆ ଏକ ୨୫ ଜଣିଆ (କୋର୍‌ ଗ୍ରୁପ୍‌) ତାଲିକା ପ୍ରକାଶ ହୋଇଛି। ଏହିି ଖେଳାଳିମାନେ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ରେ ରିପୋଟିଂ କରିବାକୁ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ କଳିଙ୍ଗ ଷ୍ଟାଡିୟମ୍‌ର ନବନିର୍ମିତ ଟର୍ଫରେ ଖେଳିବାର ଲକ୍ଷ୍ୟ ରଖି ଏଠାରେ ଜାତୀୟ ଶିବିର ଆୟୋଜନ କରିବା ନିଷ୍ପତ୍ତି ନିଆଯାଇଥିବା ହକି ଇଣ୍ଡିଆ କହିଛି। ଶିବିର ଅବସରରେ ଆମେ ମଧ୍ୟ ଏସିଆଡ୍‌ର ତ୍ରୁଟିକୁ ବିଶ୍ଲେଷଣ କରିବୁ ବୋଲି ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି। ଚଳିତ ବର୍ଷ ଅକ୍ଟୋବର ୧୮ରୁ ଓମାନ୍‌ର ମସ୍କାଟ୍‌ରେ ହେବାକୁ ଥିବା ଏସୀୟ ଚାମ୍ପିଅନ୍‌ସିପ୍‌ ଏବଂ ନଭେମ୍ବର ୨୮ରୁ ଭୁବନେଶ୍ୱରରେ ଆୟୋଜିତ ବିଶ୍ୱକପ୍‌ ଲାଗି ଏହି ଶିବିରରୁ ଦଳ ଘୋଷିତ ହେବ। ତେବେ ଭୁବନେଶ୍ୱରରେ ବିଶ୍ୱକପ୍‌ ଏବଂ ଜାତୀୟ ଶିବିର ଆୟୋଜିତ ହେଉଥିଲେ ମଧ୍ୟ ବିଡ଼ମ୍ବନାର ବିଷୟ ୨୫ ଜଣିଆ ଶିବରାର୍ଥୀ ତାଲିକାରେ ଜଣେ ହେଲେ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିନି। ସଦ୍ୟ ସମାପ୍ତ ଏସିଆଡ୍‌ରେ ଭାରତୀୟ ଦଳରେ ଓଡ଼ିଶାରୁ ୨ ଜଣ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହି ଦାସ ରହିଥିଲେ। ଏମାନଙ୍କୁ ମଧ୍ୟ ଏହି ଶିବିର ଲାଗି ଡାକରା ମିଳିନି। ବୀରେନ୍ଦ୍ରଙ୍କ ସହ ରମଣଦୀପ ସିଂହ ଆହତ ଥିବାରୁ ଶିବିରରେ ସ୍ଥାନ ମିଳିନି ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏଡି ଦୁଇ ଜଣ ଆସନ୍ତା ୧୬ ତାରିଖରୁ ଥଇଥାନ କେନ୍ଦ୍ରରେ ଚିକିତ୍ସିତ ହେବେ। ୨୫ ସଦସ୍ୟ ବିଶିଷ୍ଠ ଏହି ତାଲିକାରେ ୩ ଜଣ ଗୋଲ୍‌ ରକ୍ଷକ ପିଆର୍‌ ଶ୍ରୀଜେସ୍‌, ସୂରଜ କାର୍କେରା ଓ କୃଷ୍ଣ ପାଠକ ରହିଛନ୍ତି। ଜାକର୍ତା ଏସିଆଡ୍‌ରେ ଖରାପ ପ୍ରଦର୍ଶନ କରି କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିବା ଭାରତୀୟ ଖେଳାଳିମାନେ ଭୁବନେଶ୍ୱରରେ ଏକାଠି ହୋଇ ଆଗକୁ ବଢ଼ିବେ ବୋଲି ପ୍ରଶିକ୍ଷକ କହିଛନ୍ତି। ଆଗକୁ ଥିବା ଏସୀୟ ଚାମ୍ପିଅନ୍‌ସିପ୍‌ ଏବଂ ବିଶ୍ୱକପ୍‌ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ହରେନ୍ଦ୍ର କହିଛନ୍ତି।

ଜାତୀୟ ଶିବିର ତାଲିକା: ପିଆର୍‌ ଶ୍ରୀଜେସ, ସୂରଜ କେର୍କେରା, କୃଷ୍ଣ ବାହାଦୂର ପାଠକ (ଗୋଲ୍‌ ରକ୍ଷକ), ହର୍‌ମନ୍‌ପ୍ରୀତ ସିଂହ, ରୂପୀନ୍ଦର ପାଲ ସିଂହ, ଗୁରିନ୍ଦର ସିଂହ, ବରୁଣ କୁମାର, କୋଠାଲ୍‌ଜିତ ସିଂହ ଖାଡ଼ଙ୍ଗବାମ, ସୁରେନ୍ଦର କୁମାର, ଜର୍ମନପ୍ରୀତ ସିଂହ, ପ୍ରଦୀପ ସିଂହ (ରକ୍ଷଣଭାଗ), ମନପ୍ରୀତ ସିଂହ, ଚିଙ୍ଗ୍ଲେନସାନା ସିଂହ କଙ୍ଗୁଜାମ, ସୁମିତ, ସିମ୍ରନଜିତ ସିଂହ, ନୀଳକଣ୍ଟ ଶର୍ମା, ହାର୍ଦିକ ସିଂହ, ଲଳିତ କୁମାର ଉପାଧ୍ୟାୟ, ବିବେକ ସାଗର ପ୍ରସାଦ (ମଧ୍ୟଭାଗ), ଏସ୍‌ଭି ସୁନୀଲ, ଆକାଶଦୀପ ସିଂହ, ଗୁରଜାଣ୍ଟ ସିଂହ, ମନଦୀପ ସିଂହ, ଦିଲପ୍ରୀତ ସିଂହ, ସୁମିତ କୁମାର (ପୂରଭାଗ)।

ସମ୍ବନ୍ଧିତ ଖବର