ଓଡ଼ିଶା ବନ୍ଧୁକଚାଳକଙ୍କ ଅଭିଯୋଗ : କଳିଙ୍ଗ ଷ୍ଟାଡିୟମ୍‌ ସୁଟିଂ ରେଞ୍ଜ୍‌ କାହା ସ୍ୱାର୍ଥରେ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ୍‌ ସୁଟିଂ ରେଞ୍ଜ୍‌ରେ ଆମକୁ ଅଭ୍ୟାସ କରିବାକୁ ସୁଯୋଗ ଦିଆଯାଉନି। ପ୍ରାୟ ଦେଢ଼ବର୍ଷ ହୋଇଗଲା ଏହି ସୁଟିଂ ରେଞ୍ଜ୍‌କୁ ବନ୍ଦ କରିଦିଆଯାଇଛି। ଅଭ୍ୟାସ ଅଭାବରୁ ଏବେ ଆମେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାରୁ ବଞ୍ଚିତ ହେଉଛୁ। ଏନେଇ ବାରମ୍ବାର ଓଡ଼ିଶା ରାଇଫଲ୍‌ ସଂଘଠାରୁ ଆରମ୍ଭ କରି କ୍ରୀଡ଼ା ବିଭାଗ ଓ ବିଭାଗୀୟ ମନ୍ତ୍ରୀଙ୍କ ଦପ୍ତରକୁ ଦୌଡୁଥିଲେ ମଧ୍ୟ କିଛି ଫଳ ମିଳୁନି। ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଉନାହିଁ। ଯାହାକି ସମସ୍ତେ ଆମମାନଙ୍କ ଖେଳ ଜୀବନ ସହ ଖେଳୁଛନ୍ତି। ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଗୁରୁତର ଓ କ୍ଷୋଭଭରା ଅଭିଯୋଗ ବାଢ଼ିଛନ୍ତି ଓଡ଼ିଶା ରାଇଫଲ ସଂଘର ପାଖାପାଖି ୬୦ ବନ୍ଧୁକଚାଳକ। ଏପରିକି କଳିଙ୍ଗ ଷ୍ଟାଡିୟମ୍‌ର ସୁଟିଂ ରେଞ୍ଜ୍‌ କାହା ସ୍ବାର୍ଥରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏଥି ସହିତ ରାଜ୍ୟର ବୃହତର ସ୍ବାର୍ଥ ପାଇଁ ବନ୍ଧୁକଚାଳକମାନଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ ସୁଟିଂ ରେଞ୍ଜ୍‌ରେ ଅଭ୍ୟାସ ପାଇଁ ସୁଯୋଗ ଦେବାକୁ ଦାବି କରିଛନ୍ତି। ଏପରିକି ଆମମାନଙ୍କ ସମସ୍ୟା ପାଇଁ କିଏ ଦାୟୀ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

କଳିଙ୍ଗ ଷ୍ଟାଡିୟମ୍‌ ସୁଟିଂ ରେଞ୍ଜ୍‌କୁ ନେଇ ଓଡ଼ିଶା ବନ୍ଧୁକଚାଳକମାନେ ସେତେବେଳେ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ। ଓଡ଼ିଶା ରାଇଫଲ ସଂଘ ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମଧ୍ୟରେ ସୁଟିଂ ରେଞ୍ଜ୍‌ରେ ବନ୍ଧୁକଚାଳକଙ୍କ ଅଭ୍ୟାସ ପାଇଁ ଏକ ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ଅବଶ୍ୟ ଏହି ବୁଝାମଣା ୨୦୧୫ ନଭେମ୍ବରରୁ ୨୦୧୮ ପର୍ଯ୍ୟନ୍ତ ହୋଇଥିଲା। ଯାହାଫଳରେ ବନ୍ଧୁକଚାଳକମାନେ ସେଠାରେ ନିଜ ନିଜ ଖର୍ଚ୍ଚରେ ନିୟମିତ ଭାବେ ଅଭ୍ୟାସ କରୁଥିଲେ। ଅଭ୍ୟାସ ବଳରେ ବିଭିନ୍ନ ପ୍ରତଯୋଗିତାରେ ମଧ୍ୟ ଭାଗ ନେଉଥିଲେ। ହେଲେ ସେହି ସୁଟିଂ ରେଞ୍ଜ୍‌ ହାଇପର୍ଫମାନ୍‌ସ ସେଣ୍ଟର ହୋଇଯିବା ପରେ ଯେମିତି ସବୁକିଛି ବିଗିଡ଼ିଯାଇଛି। ୨୦୧୮ରୁ ଆଉ ବୁଝାମଣାପତ୍ରର ନବୀକରଣ ହେଲାନାହିଁ। ସୁଟିଂ ରେଞ୍ଜ୍‌କୁ ମଧ୍ୟ ସେବେଠାରୁ ବନ୍ଦ କରି ଦିଆଯାଇଛି। ବନ୍ଧୁକଚାଳକମାନେ ଅଭ୍ୟାସରୁ ବଞ୍ଚିତ ହୋଇଛନ୍ତି। ଯେଉଁଥିପାଇଁ ଜାତୀୟ ପ୍ରତିଯୋଗିତା, ଜାତୀୟସ୍ତରର ପ୍ରତିଯୋଗିତା ସାଙ୍ଗକୁ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି। ବିନା ଅଭ୍ୟାସରେ ଏହିସବୁ ପ୍ରତିଯୋଗିତାରେ ଭାଗ ନେବା ଆଦୌ ସମ୍ଭବ ନୁହେଁ ବୋଲି କହିଛନ୍ତି। ଏହାଦ୍ବାରା ବନ୍ଧୁକଚାଳକଙ୍କ ବହୁତ କ୍ଷତି ଘଟୁଛି। ଆମେ ଏବେ କେଉଁଠି ଅଭ୍ୟାସ କରିବୁ ବୋଲି ପଚାରିଥିବା ବନ୍ଧୁକଚାଳକମାନେ ମାନସିକ ଭାବେ ଭାଙ୍ଗି ପଡ଼ିଲେଣି ବୋଲି କହିଥିଲେ।

ଏଭଳି ଅଭିଯୋଗ ନେଇ ପ୍ରଥମେ ରାଜ୍ୟ ସଂଘ ନିକଟରେ ଫେରାଦ ହୋଇଥିଲୁ। ହେଲେ କ୍ରୀଡ଼ା ବିଭାଗକୁ ବହୁବାର ପତ୍ର ଲେଖିଛୁ, ଉତ୍ତର ମିଳୁନି ବୋଲି ସଂଘ କେବଳ କହି ବସିପଡ଼ିଛି। ପୁଣି କ୍ରୀଡ଼ା ବିଭାଗ ନିକଟରେ ମଧ୍ୟ ଅଭିଯୋଗ କରିଥିଲୁ। ହେଲେ କେବଳ ମୌଖିକ ପ୍ରତିଶୃତି ବ୍ୟତୀତ ଅନ୍ୟ କିଛି ମିଳୁନି। ଏହା ବ୍ୟତୀତ ପୂର୍ବତନ ଓ ଏବର କ୍ରୀଡ଼ାମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲୁ। ମାତ୍ର କେହି ଆମର ଅସୁବିଧା ବୁଝୁ ନାହାନ୍ତି। କଳିଙ୍ଗ ଷ୍ଟାଡିୟମ୍‌ ସୁଟିଂ ରେଞ୍ଜ୍‌ ନହେଲେ ନାହିଁ ଆମକୁ କିଛି ଯାଗା ଯୋଗାଇଦେଲେ ଆମେ ଆବଶ୍ୟକ ମୁତାବକ ରେଞ୍ଜ୍‌ ତିଆରି କରି ଅଭ୍ୟାସ କରିପାରନ୍ତୁ ବୋଲି ଅନୁରୋଧ କରିଥିଲୁ। ତାହା ମଧ୍ୟ ଫଳପ୍ରଦ ହେଉନାହିଁ। ବରଂ କ୍ରୀଡ଼ା ବିଭାଗ କୋଟି କୋଟି ଟଙ୍କା ଅଯଥା ବ୍ୟୟ କରି ବେସରକାରୀ ସଂସ୍ଥାକୁ ଏକର ଏକର ଜମି ହସ୍ତାନ୍ତର କରୁଥିଲା ବେଳେ ଓଡ଼ିଶା ବନ୍ଧୁକଚାଳକଙ୍କ ଆଶା, ଆକାଂକ୍ଷା, ଅର୍ଥ ବ୍ୟୟ ଓ ଶ୍ରମକୁ ମାରିଦେବାକୁ ଚାହୁଁଛି ବୋଲି ସେମାନେ କ୍ଷୋଭର ସହ କହିଛନ୍ତି। ଆମମାନଙ୍କ କ୍ଷତିର ଭରଣା କିଏ କରିବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

ପୁଣି ଓଡ଼ିଶାରେ ବହୁ ବନ୍ଧୁକଚାଳକ ପ୍ରଶିକ୍ଷକ ରହିଥିଲେ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍‌ ସୁଟିଂ ରେଞ୍ଜ୍‌ରେ ବାହାରୁ ପ୍ରଶିକ୍ଷକଙ୍କୁ ଆଣିବା ରାଜ୍ୟ ପାଇଁ ନିନ୍ଦନୀୟ ବୋଲି କହିଛନ୍ତି। ରାଜ୍ୟ ସରକାରଙ୍କ ଉଦାସୀନତା ମଧ୍ୟ ଖୁବ୍‌ ବାଧୁଛି। ଏସବୁ ସମସ୍ୟା ଚରମସୀମାରେ ପହଞ୍ଚିଲାଣି ଏବଂ ଏହାକୁ ଗଣମାଧ୍ୟମ ଜରିଆରେ ଆମେ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛୁ ବୋଲି କହିଥିଲେ। ବିଶେଷକରି କଳିଙ୍ଗ ଷ୍ଟାଡିୟମ୍‌ ସୁଟିଂ ରେଞ୍ଜ୍‌ ଖୋଲିବା, ଅଭ୍ୟାସ ପାଇଁ ସୁଯୋଗ ଦେବା, ବେସରକାରୀ ସଂସ୍ଥାକୁ ଦାୟିତ୍ବରୁ ହଟାଇବା ଆଦି ଦାବି ରଖିଛନ୍ତି। ଏପରିକି ଯଥାଶୀଘ୍ର କିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାନଗଲେ ଅଦାଲତ ଯିବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଆଚାର୍ଯ୍ୟ ଚିନ୍ମୟ ମିଶ୍ର, ସ୍ଥିତପ୍ରଜ୍ଞା ରାୟ, ଜ୍ୟୋତିରଞ୍ଜନ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ପ୍ରିୟା ପ୍ରତିଶୃତି ବେଉରା, ସାଗରିକା ମିଶ୍ର, ତାରଣୀସେନ୍‌ ଭାରୁଆ, ସତ୍ୟବ୍ରତ ବେଉରା, ଅରବିନ୍ଦ ସାହୁ, ଅମିୟ ଖଟୋଇ, ରାଧାନାଥ ମହାପାତ୍ର ଓ ଆଶିଷ ନାୟକ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର