କଳିଙ୍ଗ ଷ୍ଟାଡିୟମ୍‌ ନିରୀକ୍ଷଣ କରିବେ ଫିଫା ପ୍ରତିନିଧି

ଭୁବନେଶ୍ବର: ଆସନ୍ତାବର୍ଷ ନଭେମ୍ବର ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ପୂର୍ବରୁ ବିଭିନ୍ନ ଭେନ୍ୟୁ ନିରୀକ୍ଷଣ କରିବା ପାଇଁ ଫିଫାର ଏକ ପ୍ରତିନିଧି ମଣ୍ଡଳ ଚଳିତ ମାସ ୨୬ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ଓଲିଭର୍‌ ଭଗ୍‌ (ଫିଫା ଟୁର୍ନାମେଣ୍ଟ୍‌ ଓ ଇଭେଣ୍ଟ୍‌ସ ଡିଭିଜନ୍‌)ଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିନିଧିମଣ୍ଡଳ ଭାରତର ୬ଟିଯାକ ଷ୍ଟାଡିୟମ୍‌ ପରିଦର୍ଶନ କରିବା ସାଙ୍ଗକୁ ପ୍ରତ୍ୟେକ ସହରର ଅଭ୍ୟାସ ସ୍ଥଳ ନିରୀକ୍ଷଣ କରିବେ। ଏପରିକି ପ୍ରସ୍ତୁତି କେତେ ଆଗେଇଛି ସେନେଇ ମଧ୍ୟ ପ୍ରତିନିଧିମଣ୍ଡଳ ସମୀକ୍ଷା କରିବେ। ବିଶ୍ବକପ୍‌ ଆୟୋଜିତ ହେବାକୁ ଥିବା ୬ ଷ୍ଟାଡିୟମ୍‌ ମଧ୍ୟରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ ସାମିଲ ରହିଛି। ତେଣୁ ଫିଫା ପ୍ରତିନିଧିମଣ୍ଡଳ ଚଳିତ ମାସ ୨୯ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ ନିରୀକ୍ଷଣ କରିବାକୁ ଆସିବେ ବୋଲି ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର