ଭୁବନେଶ୍ବର: ସୋମବାର ଯୁଗଳ ପରାଜୟ ବରଣ କରିଥିବା ଭାରତୀୟ ହକି ମଙ୍ଗଳବାର ଯୁଗଳ ବିଜୟରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଭୁବନେଶ୍ବର ଚରଣକୁ ଚମତ୍କାର ଢଙ୍ଗରେ ଶେଷ କରିଛି। ହର୍ମନପ୍ରୀତ୍ ସିଂହଙ୍କ ପୁରୁଷ ଦଳ ୨-୧ରେ ଇଂଲଣ୍ଡକୁ ପରାସ୍ତ କରିଛି। ସଂଧ୍ୟା ମୁକାବିଲାରେ ଭାରତୀୟ ମହିଳା ଦଳ ସୁଟ୍ ଆଉଟ୍ରେ ୪ ଥର ବିଜେତା ନେଦରଲାଣ୍ଡ୍ସକୁ ପରାସ୍ତ କରି ଡ୍ର’ ମ୍ୟାଚ୍ରୁ ଅତିରିକ୍ତ ଗୋଟିଏ ପକେଟସ୍ଥ କରି ନେଇଛି। ପୁରୁଷ ଦଳ ଏଥି ସହ ୮ରୁ ୫ ବିଜୟ ୧୫ ପଏଣ୍ଟ୍ ପାଇ ତୃତୀୟ ସ୍ଥାନକୁ ଲମ୍ଫ ମାରିଛି। ଇଂଲଣ୍ଡ କିନ୍ତୁ ୪ ବିଜୟ ଓ ୨ ଡ୍ର’ ବିଜୟରୁ ୧୬ ପଏଣ୍ଟ ପାଇ ଶୀର୍ଷରେ ଅଭିଯାନ ଶେଷ କରିଛି। ଅଲିମ୍ପିକ୍ କାଂସ୍ୟ ବିଜେତା ଭାରତୀୟ ଦଳ ପ୍ରୋ ଲିଗ୍ର ଶେଷ ଚରଣକୁ ଅନ୍ତ୍ବର୍ପରେ ଜୁନ୍ ମାସରେ ଖେଳିବ।
ଇଂଲଣ୍ଡକୁ ପୁରୁଷ, ନେଦରଲାଣ୍ଡ୍ସକୁ ମହିଳା ହରାଇଲେ
ଭାରତୀୟ ଦଳ ମଙ୍ଗଳବାର ପ୍ରଥମ କ୍ବାର୍ଟର୍ରେ ପ୍ରଭାବହୀନ ରହିଥିଲେ ମଧ୍ୟ କ୍ରମେ ଲୟକୁ ଫେରିଥିଲା। ପ୍ରଥମ କ୍ବାର୍ଟରଟି ଗୋଲ୍ଶୂନ୍ୟ ବିତିଥିଲା। ବିଶେଷ ଗୋଲ୍ ସୁଯୋଗ ବି ସୃଷ୍ଟି କରିପାରି ନଥିଲା। ଦ୍ବିତୀୟ କ୍ବାର୍ଟର୍ ପ୍ରଥମରୁ ଯୁଗରାଜ ସିଂହ ହଳଦିଆ କାର୍ଡ ପାଇ ବାହାରକୁ ଯିବା ସତ୍ତ୍ବେ ଅଧିନାୟକ ହର୍ମନପ୍ରୀତ୍ ସିଂହଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍ ଭାରତକୁ ଆଗୁଆ କରିଦେବା ସହ ମହିଳା ଦଳର ବିଜୟପରଠାରୁ ଉଲ୍ଲସିତ ଥିବା ପ୍ରଶଂସକଙ୍କୁ ଉନ୍ମାଦନାରେ ଭରି ଦେଇଥିଲେ। ଇଂଲଣ୍ଡ କିନ୍ତୁ ଏହାକୁ ରିଭ୍ୟୁ ଜରିଆରେ ପାଇଥିବା ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ଶୁଝି ଦେଇଥିଲା। ସ୍ପଟ୍ ଷ୍ଟ୍ରୋକ୍କୁ ଗୋଲ୍ରେ ପରିଣତ କରିବାରେ କନୋର ୱିଲିୟମ୍ସନ୍ କୌଣସି ତ୍ରୁଟି କରି ନଥିଲେ। ପ୍ରଥମାର୍ଦ୍ଧ ୧-୧ ଗୋଲ୍ରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟରରେ ମଧ୍ୟ ଭାରତୀୟ ଖେଳାଳି ଦମ୍ ଲଗାଇ ଦେଇଥିଲେ। ଫଳରେ ଦଳକୁ ମିଳିଥିବା କ୍ରମାଗତ ପେନାଲ୍ଟି କର୍ଣ୍ଣରରୁ ହର୍ମନପ୍ରୀତ୍ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଦେଇ ଭାରତକୁ ପୁଣି ଥରେ ଆଗୁଆ କରିଥିଲେ। ଶେଷ କିଛି କ୍ଷଣ ଇଂଲଣ୍ଡ ସବୁ ପ୍ରୟାସ କରିଥିଲେ ମଧ୍ୟ ଭାରତର ଡିଫେଣ୍ଡର୍ ସବୁଗୁଡ଼ିକୁ ପଣ୍ଡ କରି ଦେଇଥିଲେ। ଶେଷ ହ୍ବିସିଲ୍ ବାଜିବା ପୂର୍ବରୁ କିନ୍ତୁ କଳିଙ୍ଗ ଷ୍ଟାଡିୟମ୍ ପ୍ରାୟ ୫ ମିନିଟ୍ ଧରି ଆତଶବାଜିରେ କମ୍ପି ଉଠିଥିଲା।
ଏପରିକି ଶେଷ ରିଭ୍ୟୁ ଫଳାଫଳ ପୂର୍ବରୁ କଳିଙ୍ଗରେ ବିଜୟ ଉତ୍ସବରେ ପ୍ରଶଂସକମାନେ ନାଚି ଉଠିଥିଲେ। ଚମତ୍କାର ଖେଳିଥିବା ହାର୍ଦ୍ଦିକ ସିଂହ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବିବେକ ପ୍ରସାଦ ସାଗର ଓ ସୁଶୀଳା ଚାନୁ ମ୍ୟାଚ୍ ପରେ ନିଜ ଜନ୍ମଦିନକୁ ପାଳନ କରିବା ଏହାକୁ ଅଧିକ ସ୍ମରଣୀୟ କରି ଦେଇଥିଲା। ମ୍ୟାଚ୍ ପୂର୍ବରୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବାଂଶୀ ସୂରଜ ଅତିଥି ଭାବେ ଯୋଗ ଦେଇ ଉଭୟ ଦଳକୁ ଉତ୍ସାହିତ କରିଥିଲେ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଏବଂ ସମ୍ପାଦକ ଭୋଳାନାଥ ସିଂହ ପ୍ରତିଯୋଗିତାର ସଫଳ ସମାପନ ପାଇଁ ସମସ୍ତଙ୍କୁ ଶ୍ରେୟ ଦେଇଥିଲେ। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଜର୍ମାନୀ ପୁରୁଷ ଦଳ ୪-୨ରେ ଆୟର୍ଲାଣ୍ଡ୍କୁ ପରାସ୍ତ କରିଥିଲା। ଫଳରେ ଆୟର୍ଲାଣ୍ଡ୍ ବିପକ୍ଷରେ ଜର୍ମାନୀ ଡବଲ୍ ବିଜୟ ସହ ଅଭିଯାନ ଶେଷ କରିଥିଲା। ଜର୍ମାନୀ ମଧ୍ୟ ଭୁବନେଶ୍ବରରେ ଖେଳିଥିବା ୮ ମ୍ୟାଚ୍ରୁ ୪ ବିଜୟ ସହ ୧୩ ପଏଣ୍ଟ ପାଇ ବିଦାୟ ନେଇଛି।
ଚାମ୍ପିଅନ୍କୁ ଚକ୍ମା
/sambad/media/media_files/2025/02/26/iLmOvlGmeqJKc9U5UlIn.jpg)
ଭାରତୀୟ ମହିଳା ଦଳ ସୋମବାର ଗତ ସଂସ୍କରଣ ବିଜେତା ନେଦରଲାଣ୍ଡ୍ସ୍ଠାରୁ ୨-୪ରେ ହାରିଥିଲେ ମଧ୍ୟ ମଙ୍ଗଳବାର ସେହି ଦଳ ବିପକ୍ଷରେ ୪-୩ (୨-୨) ବିଜୟ ସହ ମଧୁର ପ୍ରତିଶୋଧ ନେଇଛି। ଅବଶ୍ୟ ସୁଟ୍ ଆଉଟ୍ରେ ଭେଟେରାନ୍ ଗୋଲି ସବିତାଙ୍କ ସାହସିକ ପ୍ରଦର୍ଶନ ବଳରେ ଭାରତ ଏହି ବିଜୟ ପାଇଛି। ନିୟମିତ ସମୟରେ ଉଭୟ ଦଳ ୨-୨ ଗୋଲ୍ରେ ଅମୀମାଂସିତ ରହିବା ପରେ ସୁଟ୍ ଆଉଟ୍ ବେଳକୁ ସଲିମା ଟେଟେଙ୍କ ଦଳ ବାଜିମାରି ନେଇଛି। ଦ୍ବିତୀୟାର୍ଦ୍ଧରେ ଚମତ୍କାର ପ୍ରତ୍ୟାବର୍ତ୍ତନ କାରଣରୁ ଭାରତ ଅଷ୍ଟମ ମ୍ୟାଚ୍ରୁ ଦ୍ବିତୀୟ ଡ୍ର’ ଅର୍ଜନ କରିପାରିଥିଲା। ୨ ସିଧାସଳଖ ବିଜୟ, ଦୁଇ ଡ୍ର'ରୁ ଗୋଟିଏ ସୁଟ୍ ଆଉଟ୍ ବିଜୟ ଏବଂ ୪ ପରାଜୟ କାରଣରୁ ଭାରତ ୯ ପଏଣ୍ଟ୍ ସହ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି। ଅନ୍ତିମ ଚରଣକୁ ଭାରତୀୟ ମହିଳା ଦଳ ଜୁନ୍ ମାସରେ ଲଣ୍ଡନ୍ରେ ଖେଳିବ।
ମଙ୍ଗଳବାର ଭାରତୀୟ ମହିଳା ଦଳ ଅପେକ୍ଷାକୃତ ଉନ୍ନତ ତାଳମେଳରେ ଖେଳିଥିଲା।
ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ରେ ଆଗୁଆ ରହିଥିବା ନେଦରଲାଣ୍ଡ୍ସକୁ ପରବର୍ତ୍ତୀ ଦୁଇ କ୍ବାର୍ଟରରେ ଗୋଲ୍ ଦେବାକୁ ସୁଯୋଗ ଦେଇନଥିଲା। କେବଳ ତୃତୀୟ କ୍ବାର୍ଟରରେ ଭାରତ ୨ ଗୋଲ୍ ଲଦି ସ୍ଥିତି ବରାବର କରିଦେଇଥିଲା। ୩୫ତମ ମିନିଟ୍ରେ ଦଳର ଅଭିଜ୍ଞ ଫରୱାର୍ଡ ଦୀପିକା ମଝି ପଡ଼ିଆରୁ ଏକା ଏକ ବଲ୍ ନେଇ ଗୋଲ୍ ଦେବା ଭାରତୀୟ ଦଳର ମନୋବଳକୁ ଉଚ୍ଚା କରି ଦେଇଥିଲା। ୪୩ତମ ମିନିଟ୍ରେ ଶର୍ମିଳା ଦେବୀଙ୍କଠାରୁ ପାଇଥିବା ଏକ ସୁନ୍ଦର ପାସ୍କୁ ବଲ୍ଜିତ୍ କୌର୍ ଗୋଲରେ ପରିଣତ କରି ଭାରତକୁ ବରାବର ସ୍ତରକୁ ଆଣିଥିଲେ। ମ୍ୟାଚ୍ ବେଳେ ଖରିବାମ ବିଚୁ ଦେବୀ ଗୋଲରକ୍ଷଣ କରିଥିଲେ। କିନ୍ତୁ ସୁଟ୍ ଆଉଟ୍ରେ ପ୍ରଥମରୁ ସବିତାଙ୍କ ଚମତ୍କାର ବଞ୍ଚାଓ ଭାରତକୁ ଆଗରେ ରଖିଥିଲା। ନେଦରଲାଣ୍ଡ୍ସ ୫ଟି ସୁଟ୍ରୁ ୪ଟିକୁ ସବିତା ରୋକିଦେଇଥିଲେ। ଭାରତ ପକ୍ଷରୁ ଦୀପିକା ଓ ମମତାଜ ଖାନ୍ ଗୋଲ୍ ଦେବାରେ ସଫଳ ହୋଇଥିଲେ ମଧ୍ୟ ବିଉଟି ଡୁଙ୍ଗ୍ଡୁଙ୍ଗ୍ ବିଫଳ ହୋଇଥିଲେ। ସବିତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/26/ZupaDKUev9VnAxlDQrCS.jpg)