ଭୁବନେଶ୍ବର: ଘରୋଇ ଫୁଟବଲ୍‌ର ଅନ୍ୟତମ ଚର୍ଚ୍ଚିତ ତଥ‌ା ଲୋକପ୍ରିୟ ଫୁଟବଲ୍ ପ୍ରତିଯୋଗିତା ‘କଳିଙ୍ଗ ସୁପର କପ୍’ର ପଞ୍ଚମ ସଂସ୍କରଣ ରବିବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ ଆଥଲେଟିକ୍ସ ପଡ଼ିଆରେ ଆରମ୍ଭ ହେବ। ବିଜେତା ହୋଇ ଟ୍ରଫି ଜିତିବା ସହ ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍-୨ ଲାଗି ଯୋଗ୍ୟତା ଅର୍ଜନ ପାଇଁ ୧୫ଟି ଦଳ ଲଢ଼ାଲଢ଼ି ହେବେ। ଗତ ଦୁଇ ସଂସ୍କରଣର ବିପରିତ ଫର୍ମାଟ୍‌କୁ ଆପଣାଇ ଏହା ଚଳିତ ଥର ସିଧାସଳଖ ନକ୍‌ଆଉଟ୍ ପଦ୍ଧତିରେ ଖେଳାଯିବ। ଗ୍ରୁପ୍ ପର୍ଯ୍ୟାୟ ନଥିବାରୁ ପ୍ରତ୍ୟେକ ମ୍ୟାଚ୍‌ ଏହି ଦଳଗୁଡ଼ିକ ଲାଗି କର ବା ମର ସଦୃଶ ହେବ। ଶେଷ ଥର ପାଇଁ କଳିଙ୍ଗ ସୁପର କପ୍ ୨୦୧୮ ଓ ୨୦୧୯ରେ ଏଭଳି ଭାବେ ଖେଳାଯାଇଥିଲା। ପ୍ରତିଯୋଗିତାର ଗତ ଚାରିଟିରୁ ତିନିଟି ସଂସ୍କରଣ ଭୁବନେଶ୍ବରରେ ଖେଳାଯାଇଛି। ଏଣୁ ଭୁବନେଶ୍ବର ସହ ଏହାର ସ୍ବତନ୍ତ୍ର ଭାବାବେଗ ସଂପର୍କ ରହିଛି। ଚତୁର୍ଥ ଥର ପାଇଁ ଭୁବନେଶ୍ବର ‘କଳିଙ୍ଗ ସୁପର କପ୍‌’ର ଆୟୋଜନ କରିବାକୁ ଯାଉଛି। ସେଥିପାଇଁ ଘରୋଇ ଦଳ ଓଡ଼ିଶା ଏଫ୍‌ସି ଏଥରର ପ୍ରତିଯୋଗିତାକୁ ଜିତି ଏହାକୁ ଆହୁରି ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି। ୨୦୨୩ ମସିହାରେ ଓଡ଼ିଶା ଏଫ୍‌ସି କୋଝିକୋଡ଼ଠାରେ ଶେଷ ଥର ପାଇଁ ଏହି ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଗତଥର କିନ୍ତୁ ଘରୋଇ ପରିବେଶରେ ଇଷ୍ଟ୍‌ ବେଙ୍ଗଲଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଏଥର ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଟ୍ରଫି ଜିତିବା ଆଶାରେ ଅଛି। 

Advertisment

ମେ’ ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କଳିଙ୍ଗ ସୁପର କପ୍‌ର ପ୍ରଥମ ମ୍ୟାଚ୍‌ରେ ଆଇଲିଗ୍ ଏବଂ ଆଇଏସ୍‌ଏଲ୍‌ର ବଛାବଛା ଦଳ ଅଂଶଗ୍ରହଣ କରିବେ। ପୂର୍ବରୁ ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିବାର ଥିଲା। ଚର୍ଚ୍ଚିଲ ବ୍ରଦର୍ସ ଓହରିଯିବା ପରେ ଏବେ ଏହି ସଂଖ୍ୟା ୧୫କୁ କମିଛି। ଫଳରେ ଏହି ଦଳ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବାକୁ ଥିବା ମୋହନ ବାଗାନ ସୁପର ଜାଏଣ୍ଟସ୍‌ ସିଧାସଳଖ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ପ୍ରଥମ ଦିନର ଡବଲ୍‌ ହେଡର ଏକକ ମ୍ୟାଚ୍‌କୁ କମିବା ସହ କେରଳା ବ୍ଲାଷ୍ଟର୍ସ ଏବଂ ଗତଥର ବିଜେତା  ଇଷ୍ଟ ବେଙ୍ଗଲ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ରାତି ୮ଟାରୁ ଖେଳାଯିବ। ଓଡ଼ିଶା ଏଫ୍‌ସି ପରଦିନ ଅର୍ଥାତ୍ ସୋମବାର ପଞ୍ଜାବ ଏଫ୍‌ସି ବିପକ୍ଷରେ ଖେଳି ନିଜ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ରାତି ୮ଟାରୁ ଖେଳାଯିବ। ଏହା ପୂର୍ବରୁ ଏଫ୍‌ସି ଗୋଆ ଏବଂ ଗୋକୁଳମ କେରଳା ମ୍ୟାଚ୍ ଅପରାହ୍ଣ ୪ଟା ୩୦ରୁ ଖେଳାଯିବ। ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ ପର୍ଯ୍ୟାୟ ଚଳିତ ଏପ୍ରିଲ ୨୬ ଓ ୨୭ ତାରିଖରେ ଖେଳାଯିବ। ଦୁଇଟି ଯାକ ସେମିଫାଇନାଲ୍ ୩୦ରେ ଆୟୋଜିତ ହେବ। ଷ୍ଟାର୍ ସ୍ପୋର୍ଟସ ଏବଂ ଜିଓ ହଟଷ୍ଟାର୍‌ରେ ଏହାର ପ୍ରସାରଣ କରାଯିବ।