ଲଣ୍ଡନ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍ରାଉଣ୍ଡର ଜ୍ୟାକ୍ କାଲିସ୍, ଅଷ୍ଟ୍ରେଲିଆ ମହିଳା ବିଶ୍ବକପ୍ ବିଜେତା ଦଳର ସଦସ୍ୟା ଲିସା ସ୍ଥାଲେକର ଏବଂ ପାକିସ୍ତାନ କିଂବଦନ୍ତି ବ୍ୟାଟ୍ସମ୍ୟାନ୍ ଜାହିର ଆବାସ ଆଇସିସି କ୍ରିକେଟ୍ ହଲ୍ ଅଫ୍ ଫେମ୍ରେ ସଦ୍ୟ ଯୋଡ଼ି ହୋଇଛନ୍ତି। ରବିବାର ଆଇସିସି ପୋର୍ଟାଲରେ ଅନ୍ଲାଇନ୍ ଉତ୍ସବ ଜରିଆରେ ବିଦ୍ଧିବଦ୍ଧ ଭାବେ ଏହି ତିନିଜଣଙ୍କୁ ସାମିଲ କରାଯାଇଛି। ଅନ୍ୟତମ ମହାନ୍ ଅଲ୍ରାଉଣ୍ଡର ଭାବେ ପରିଗଣିତ କାଲିସ୍ ଏକମାତ୍ର କ୍ରିକେଟର୍ ଭାବେ ଉଭୟ ଟେଷ୍ଟ୍ ଏବଂ ଦିନିକିଆ ଆନ୍ତର୍ଜାତିକରେ ୧୦,୦୦୦ ରନ୍ ଏବଂ ୨୦୦ ୱିକେଟ୍ ଦଖଲର 'ଯୁଗଳ' ସଫଳତା ହାସଲ କରିଛନ୍ତି। ମୋଟାମୋଟି ଭାବେ ଆନ୍ତର୍ଜାତିକ କ୍ରିକେଟ୍ରେ ସେ ୨୫,୦୦୦ରୁ ଅଧିକ ରନ୍ ଏବଂ ପାଖାପାଖି ୬୦୦ ୱିକେଟ୍ ଅକ୍ତିଆର କରିଛନ୍ତି। ସେହିପରି ଦିନିକିଆ ଆନ୍ତର୍ଜାତିକରେ ୧୦୦୦ ରନ୍ ଏବଂ ୧୦୦ ୱିକେଟ୍ ଦଖଲର 'ଯୁଗଳ' ସଫଳତା ହାସଲ କରିବାରେ ସ୍ଥାଲେକର ଥିଲେ ପ୍ରଥମ ମହିଳା କ୍ରିକେଟର୍। ଅଷ୍ଟ୍ରେଲିଆ ଦଳ ସହିତ ସେ ଦୁଇଥର ୫୦ ଓଭରି୍ଆ ବିଶ୍ବକପ୍ ଏବଂ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟର ଅନୁଭବ ରଖିଛନ୍ତି।
ଅନ୍ୟପକ୍ଷରେ ପାକିସ୍ତାନ ଏବଂ ଗ୍ଲସେଷ୍ଟରସାୟାର କିଂବଦନ୍ତି ଜାହିର ଆବାସ କ୍ରିକେଟ୍ର ଜଣେ ବିଶାଳ ବ୍ୟକ୍ତିତ୍ବ ଥିଲେ। ତାଙ୍କ ରନ୍ ସ୍କୋର୍ କରିବାର ସାମର୍ଥ୍ୟ ପାଇଁ ସମସ୍ତେ ତାଙ୍କୁ ଶ୍ରଦ୍ଧାରେ 'ଏସୀୟ ବ୍ୟାଡ୍ମ୍ୟାନ୍' ଭାବେ ପରିଗଣିତ କରୁଥିଲେ। ଆବାସ ୧୯୭୧ରେ ପାକିସ୍ତାନ ଦଳର ଇଂଲଣ୍ଡ ଗସ୍ତ ଅବସରରେ ଏଜ୍ବାଷ୍ଟନ ଟେଷ୍ଟ୍ରେ ଦମ୍ଦାର ୨୭୪ ରନ୍ର ପାଳି ଖେଳି ନିଜ ସାମର୍ଥ୍ୟର ପ୍ରମାଣ ଦେଇଥିଲେ। ତା'ପରଠାରୁ ତାଙ୍କ ବ୍ୟାଟ୍ରୁ ରନ୍ ଯେମିତି ଆପେ ଆପେ ଛୁଟି ଆସୁଥିଲା। ଆବାସ ୪୫ ହାରରେ ୫୦୬୨ ଟେଷ୍ଟ ରନ୍ ନିଜ ନାମରେ ରଖିଥିଲା ବେଳେ ସେଥିରେ ୧୨ ଶତକ ସାମିଲ ରହିଛି। ଯେଉଁଥିରୁ ଅଧା ଶତକ କେବଳ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷରେ ହାସଲ କରିଥିଲେ।