ଦଲିପ୍‌ ଟ୍ରଫି: କାଲ୍‌ସିଙ୍କ ଶତକ

ଇଣ୍ଡିଆ ରେଡ୍‌ ୨୮୫; ବ୍ଲୁ ୭୪/୩

ଅଲୁର (କର୍ଣ୍ଣାଟକ): ବର୍ଷା ପ୍ରଭାବିତ ଦଲିପ୍‌ ଟ୍ରଫି ଦ୍ବିତୀୟ ମୁକାବିଲାର ଦୁଇ ଦିନରେ ୧୩ ୱିକେଟ୍‌ ପତନ ଘଟିଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ଇଣ୍ଡିଆ ରେଡ୍‌ର ପ୍ରଥମ ପାଳି ସ୍କୋର୍‌ ୨୮୫ ରନ୍‌ ଜବାବରେ ଇଣ୍ଡିଆ ବ୍ଲୁ ୨୪ ଓଭର ଖେଳି ୭୪/୩ କରିଛି। ଏହି ୪ ଦିନିଆ ମ୍ୟାଚ୍‌ର ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ବେଳକୁ ଅଙ୍କିତ ବାୱେଁ ୧୫ ଓ ଅନ୍‌ମୋଲ୍‌ପ୍ରୀତ୍‌ ସିଂହ ୬ ରନ୍‌ରେ ଅପରାଜିତ ରହିଛନ୍ତି। ଏଥି ସହିତ ହାତରେ ୭ ୱିକେଟ୍‌ ଥାଇ ବ୍ଲୁ ଦଳ ପ୍ରଥମ ପାଳିରେ ୨୧୧ ପଛରେ ରହିଛି। ପ୍ରଥମ ଦିବସ ସ୍କୋର୍‌ ୧୬୩/୨ରୁ ଇଣ୍ଡିଆ ରେଡ୍‌ ଦ୍ବିତୀୟ ଦିବସ ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ୍‌ ଅଧିନାୟକ କରୁଣ ନାୟାର ଓ ଅଙ୍କିତ କାଲ୍‌ସି ତୃତୀୟ ୱିକେଟ୍‌ରେ ୧୩୭ ରନ୍ ଯୋଡ଼ି ସ୍ଥିତି ମଜବୁତ୍‌ କରିଥିଲେ। ତେବେ ନାୟାର (୯୯) ୧ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ କାଲ୍‌ସି (୧୦୬) ଶତକ ପୂରଣ କରିଥିଲେ। ଏମାନଙ୍କ ବ୍ୟତୀତ ୱିକେଟ୍‌ରକ୍ଷକ ଈଶାନ୍ କିଶନ୍‌ (୫୦) ଅର୍ଧଶତକ ଜମାଇବାରୁ ଦଳ ୨୮୫ ରନ୍‌ କରିପାରିଥିଲା। ଦିବେଶ ପଠାଣିଆ ୫୫ ରନ୍‌ରେ ୪, ଜଲଜ ସାକ୍ସେନା ୫୭ ରନ୍‌ରେ ୩ ଓ ଅନିକେତ ଚୌଧୁରୀ ୬୯ ରନ୍‌ରେ ୨ ୱିକେଟ୍‌ ନେଇ ସଫଳ ବୋଲର ରହିଥିଲେ। ଅବଶିଷ୍ଟ ୱିକେଟ୍‌ଟି ବାସିଲ ଥାମ୍ପିଙ୍କୁ ମିଳିଥିଲା। ଇଣ୍ଡିଆ ରେଡ୍‌ ଦଳ ୧୨୪ ଓଭରରେ ସମସ୍ତ ୱିକେଟ୍‌ ହରାଇବା ପରେ ଇଣ୍ଡିଆ ବ୍ଲୁ’ର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲା। ବ୍ଲୁ’ର ପ୍ରଥମ ପାଳିରେ ସ୍ନେଲ୍‌ ପଟେଲ ଖାତା ଖୋଲିବାକୁ ସମର୍ଥ ହୋଇନଥିଲା ବେଳେ ଅଧିନାୟକ ଶୁଭମନ୍‌ ଗିଲ୍‌ (୯) ନିରାଶ କରିଥିଲେ। ତେବେ ଋତୁରାଜ ଗାଏକ୍ବାଡ ୩୭ ରନ୍‌ କରି ତୃତୀୟ ଖେଳାଳି ଭାବେ ପାଭିଲିୟନ୍‌ ଫେରିଥିଲେ। ଇଣ୍ଡିଆ ‌େରଡ୍‌ ପକ୍ଷରୁ ଜୟଦେବ ଉନାଦ୍‌କଟ୍‌ ୭-୨-୧୮-୨ ଏବଂ ଅଭେସ ଖାନ୍‌ ୬-୦-୧୭-୧ ବୋଲିଂ ଚିତ୍ର ପା‌ଇଛନ୍ତି।

ସମ୍ବନ୍ଧିତ ଖବର