ଅଘଟଣର ପୂର୍ବଭାସ ମିଳିଯାଇଥିଲା ! ଏଭେରେଷ୍ଟ୍ ଯିବା ପୂର୍ବରୁ ଫେରିବେନି ବୋଲି କହିଥିଲେ କଳ୍ପନା

ଭୁବନେଶ୍ବର: କଳ୍ପନା ଜାଣିଥିଲେ ଏହା ତାଙ୍କ ଶେଷ ଯାତ୍ରା। ବୟସ, ଶାରୀରିକ ସ୍ଥିତି ଏବଂ ଏଭେରେଷ୍ଟ୍‌ର ଆହ୍ବାନ ସବୁ କଷ୍ଟସାଧ୍ୟ ଥିଲା। ଏଥର ଏଭେରେଷ୍ଟ୍ ଅଭିଯାନ ପରେ ନିଶ୍ଚିତ କିଛି ଅଘଟଣ ଘଟିବ ବୋଲି କଳ୍ପନାଙ୍କୁ ପୂର୍ବଭାସ ମିଳିଯାଇଥିଲା। ଓଡ଼ିଶା ଛାଡ଼ିବା ପୂର୍ବରୁ ଭୁବନେଶ୍ବର ବିମାନବନ୍ଦରରେ ତାଙ୍କୁ ଏଭଳି ବ୍ୟୟବହୁଳ ଯାତ୍ରା ସମ୍ପର୍କରେ ପ୍ରଶ୍ନ ହେବାରୁ ସେ କହି ଯାଇଥିଲେ ମୁଁ ଆଉ ଫେରି ନପାରେ। ଏଭେରେଷ୍ଟ୍‌ ଯାତ୍ରାରେ କାହାର ହାତ, ଗୋଡ଼, ଆଖି ନଷ୍ଟ ହେବାର ଉଦାହରଣ ବି ଦେଇଥିଲେ। ଜୀବନ ଚାଲିଯିବାର ଆଶଙ୍କା କଥା ବି ଜାଣିଥିଲେ। କିନ୍ତୁ ଲକ୍ଷ୍ୟଚ୍ୟୁତ ହୋଇନଥିଲେ। ନିଆରା କୀର୍ତିମାନ କରିବାର ଈଚ୍ଛାଶକ୍ତି ତାଙ୍କୁ ପୁଣି ଏଭେରେଷ୍ଟ୍ ଶିଖରକୁ ଟାଣି ନେଇଥିଲା। ଶାଢ଼ୀ ପରିଧାନ କରି ଶିଖର ଛୁଇଁବାର ସ୍ବପ୍ନ ତାଙ୍କର ସାକାର ହୋଇଥିଲା ସତ କିନ୍ତୁ ସେ ଆଉ ଫେରି ନପାରିବା ମୋତେ ବିଶ୍ବାସ ବାହାରେ ଥିଲା ବୋଲି କୋହଭରା ସ୍ବରରେ କହିଥ‌ିଲେ କଳ୍ପନାଙ୍କ ପ୍ରା‌ୟୋଜନରେ ପ୍ରମୂଖ ଭୂମିକା ତୁଲାଇଥିବା ରଂଜିତ କର୍ମି।

 

ବେହୋସ ହୋଇଗଲେ ମା’
କଳିଙ୍ଗ ଷ୍ଟାଡିୟମ୍‌ରେ କଳ୍ପନାଙ୍କ ମର ଶରୀରକୁ ‌ଦେଖିବା ମାତ୍ରେ ବେହୋସ ହୋଇପଡ଼ିଥିଲେ ତାଙ୍କ ମା’ ଶୈଳବାଳା। ବୃଦ୍ଧା ମା’ ଆଗରେ ସାନ ଝିଅ ପ୍ରାଣ ତ୍ୟାଗ କଲେ ଏଭଳି ଭାବବିହ୍ବଳ ପରିବେଶ ‌ଦେଖିବା କିଛି ନୂଆ ନୁହେଁ। ଶୈଳବାଳାଙ୍କୁ ତୁରନ୍ତ ତାଙ୍କ ପୁଅ, ନାତି ଏବଂ ଅନ୍ୟମାନେ କ୍ୟାପିଟାଲ୍ ହସପିଟାଲ୍ ନେଇଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତାଙ୍କର ପିହୁଳା (ଏକପ୍ରକାର ବାତ) ଥିବା କଥା ପରେ ଜଣାପଡ଼ିଥିଲା।

ସୁଖ ଦେଖି ପାରିଲାନି: ଭାଇ
କଳ୍ପନା ଚାଲିଯାଇଥିଲେ ବି ମୋ ପାଖରେ ରହିଛି। ରାଜ୍ୟ ଓ ଦେଶ ପାଇଁ ସେ ଯେଉଁ ଗୌରବମୟ ଉଦାହରଣ ଛାଡ଼ିଯାଇଛି ତା’ର ସୁଖ ନିଜେ ଦେଖିପାରିଲାନି। ତା’ ମନରେ ସବୁବେଳେ କିଛି ନିଆରା କରିବାର ସାହସିକତା ଥିଲା। ତା’ର ସ୍ଥୁଳ ଶରୀର ନଥିଲେ ବି ସେ ଆମ ପାଖେ ପାଖେ ଅଛି ବୋଲି କହିଥିଲେ ମ୍ରିୟମାଣ ଭାଇ ପ୍ରଦୀପ। ୨୦୦୪ ମସିହାଠାରୁ ଆରମ୍ଭ କରିଥିବା ଦୁଃସାହସିକ ଯାତ୍ରା ଶେଷ ହୋଇଛି। ନିଜେ ବିବାହ କରିନଥିଲେ ମଧ୍ୟ ପରିବାର ପାଇଁ ତା’ ଅବଦାନ ଅତୁଳନୀୟ। ସରକାରଙ୍କ ଅବଦାନ ପାଇଁ କଳ୍ପନାର ଶରୀର ନିଜ ମାଟିକୁ ଫେରିପାରିଛି। ୨୦୦୪ ମସିହାଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ କଳ୍ପନା ସହିତ ଗଣମାଧ୍ୟମ ଥିବାରୁ ପ୍ରଦୀପ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ସରକାର ସ୍ଥାୟୀ ବ୍ୟବସ୍ଥା କରନ୍ତୁ: ଯୋଗବ୍ୟାସ
ଦ୍ବିତୀୟ ଥର ସଫଳତାର ସହ ଏଭେରେଷ୍ଟ୍ ଆରୋହଣ କରିବା ପରେ କଳ୍ପନାଙ୍କ ଦେହାନ୍ତ ଆମକୁ ଦୁଃଖ ଓ ଶୋକରେ ବୁଡ଼ାଇ ଦେଇଛି। ସାରା ଦେଶ, ରାଜ୍ୟ ଏବଂ ଆମ ଏଭେରେଷ୍ଟର୍ ପରିବାର ପାଇଁ ଏହା ଦୁଃଖଦ ଖବର। ତାଙ୍କ ପରିବାର ଓ ଆତ୍ମୀୟ ସ୍ବଜନଙ୍କ ପ୍ରତି ପ୍ରତି ସମବେଦନା ଜଣାଉଛି। ସରକାରଙ୍କୁ କିନ୍ତୁ ଏହି ଅବସରରେ ମୁଁ ଅନୁରୋଧ କରୁଛି ରାଜ୍ୟର ସୀମିତ ଏଭେରେଷ୍ଟ୍‌ରଙ୍କ ପାଇଁ କିଛି ସ୍ଥାୟୀ ବ୍ୟବସ୍ଥା ହେଉ। ଗତବର୍ଷ ଯୁବ ପର୍ବତାରୋହୀ ଲାଲୁ ପ୍ରସାଦ ଭୋଇ ପ୍ରାଣ ହରାଇଥିଲେ। ପର୍ବତାରୋହୀମାନଙ୍କୁ ସରକାରୀ ସମ୍ମାନ ମିଳିଲେ ଯଥେଷ୍ଟ ହେବ ବୋଲି କହିଥିଲେ ଅନ୍ୟତମ ଏଭେ‌ରେଷ୍ଟ୍ ବିଜେତା ଯୋଗବ୍ୟାସ ଭୋଇ। କଳ୍ପନାଙ୍କ ଦେହାନ୍ତ ପରପିଢ଼ିକୁ ନିରୁତ୍ସାହିତ କରିବ ନାହିଁ ବୋଲି ଯୋଗାବ୍ୟାସ କହିଛନ୍ତି। ପରିବାରବର୍ଗ ଆଶଙ୍କା ଜାତ କରିବେ ସତ କିନ୍ତୁ ଦେଶ ପାଇଁ ବହୁ ସୈନିକ ପ୍ରାଣବଳି ଦେବା ପରେ ମଧ୍ୟ ଅନେକଙ୍କୁ ପୁଣି ସୈନିକ ହେବାକୁ ପ୍ରେରଣା ଯୋଗାଇଥାନ୍ତି ବୋଲି କହିଥିଲେ ଯୋଗବ୍ୟାସ।

ସମ୍ବନ୍ଧିତ ଖବର