କାଳୁ ଚରଣ, ଶିବପ୍ରସାଦ ଓ ଅମିତ ପାଇବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର: ଓଡ଼ିଶା ହକି ବିକାଶ ଯାତ୍ରାର ଅନ୍ୟତମ ପୁରୋଧା ତଥା ଅଭିଜ୍ଞ ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀ, ବିଶ୍ବର ଏକ ନମ୍ବର ପାରାବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ ପ୍ରଶିକ୍ଷକ ଶିବ ପ୍ରସାଦ ଦାସ ଏବଂ ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ସୁଦୃଢ଼ ପ୍ରାଚୀର ତଥା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ରକ୍ଷଣଭାଗ ହକି ଖେଳାଳି ଅମିତ ରୋହିଦାସ ବିଜୁ ପଟ୍ଟନାୟକ କ୍ରୀଡ଼ା‌ ପୁରସ୍କାର-୨୦୨୦ ପାଇଁ ମନୋନୀତ ହୋଇଛନ୍ତି। କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ ତଥା କ୍ରୀଡ଼ା‌ ବିଶେଷଜ୍ଞଙ୍କୁ ନେଇ ଗଠିତ ଚୟନସମିତିର ଭର୍ଚୁଆଲ ବୈଠକରେ ଏହି ତିନି ଜଣଙ୍କ ନାଁ ଉପରେ ମୋହର ମରାଯାଇଥିବା ଜଣାପଡ଼ିଛି। ଦୀର୍ଘ ପ୍ରଶିକ୍ଷଣ ଜୀବନରେ ଓଡ଼ିଶାରୁ ୫୨ଜଣ ଅନ୍ତର୍ଜାତୀୟ ହକି ଖେଳାଳି ସୃଷ୍ଟି କରିବାର ଗୌରବ ଅର୍ଜନ କରିଥିବା କାଳୁ ଚରଣ ଚୌଧୁରୀ ଜୀବନବ୍ୟାପୀ ସେବା ସମ୍ମାନ ପାଇଁ ମନୋନୀତ ହୋଇଥିଲା ବେଳେ ଶିବ ପ୍ରସାଦ ଶ୍ରେଷ୍ଠ ପ୍ରଶିକ୍ଷକ ବର୍ଗରେ ପୁରସ୍କୃତ ହେବେ। ଅମିତ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ଲାଭ କରିବେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା‌ ଅନୁସାରେ ଗତକିଛି ବର୍ଷ ଭଳି ଏବର୍ଷ ମଧ୍ୟ କାହାରିକୁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ପୁରସ୍କାର କିମ୍ବା କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯିବ ନାହିଁ। ଆସନ୍ତା ଅଗଷ୍ଟ ୨୯ ତାରିଖର ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏମାନଙ୍କ ସହ ସେହିଦିନ ବିଜୁ ପଟ୍ଟନାୟକ ସାହସିକ ପୁରସ୍କାର ବି ପ୍ରଦାନ କରାଯିବ। ଅମିତ, କାଳୁ ଚୌଧୁରୀ ଏବଂ ଶିବ ପ୍ରସାଦଙ୍କ ନାଁ ବଛା ଯାଇସାରିଥିଲେ ମଧ୍ୟ ଏଥିନେଇ କ୍ରୀଡ଼ା ବିଭାଗ ତରଫରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ଅମିତ ଓ କାଳୁ ଚୌଧୁରୀ ଏହି ପୁରସ୍କାର ପାଇଲେ ପ୍ରଶିକ୍ଷକ ଓ ଛାତ୍ର ଗୋଟିଏ ଦିନରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବାର ନିଆରା ସଂଯୋଗ ହେବ। ସେପଟେ ପ୍ରମୋଦ ପାରାଲିମ୍ପିକ୍ସ ଖେଳିବାକୁ ୨୭ ତାରିଖରେ ଟୋକିଓ ଯାତ୍ରା କରୁଥିଲା ବେଳେ ତାର ଦୁଇ ଦିନ ପରେ ଶିବ ବିଜୁ ପଟ୍ଟନାୟକ ପୁରସ୍କାର ପାଇବା ତାଙ୍କ ପାଇଁ ଯୁଗଳ ଖୁସି ହେବ। ଏଥିନେଇ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ଚୌଧୁରୀ କହିଛନ୍ତି ଯେ ଅବସରର କିଛି ମାସ ପୂର୍ବରୁ ମୋତେ ଦୁଇଟି ବଡ଼ ଉପହାର ମିଳିଛି। ଅମିତ ଅଲିମ୍ପିକ୍ସ ପଦକ ଜିତି ‌‌ମୋ ଜୀବନ ସାର୍ଥକ କରିଛି। ସେହିଭଳି ରାଜ୍ୟ ସରକାର ମୋତେ ସମ୍ମାନଜନକ ବିଜୁ ପଟ୍ଟନାୟକ ପୁରସ୍କାର ପାଇଁ ବାଛିଛନ୍ତି। ସେହି ଦୃଷ୍ଟିରୁ ୨୦୨୧ ବର୍ଷ ମୋ ପାଇଁ ସ୍ବତନ୍ତ୍ର ଓ ସ୍ମରଣୀୟ ରହିବ। ହକି ପ୍ରତି ସାରା ଜୀବନ ଉତ୍ସର୍ଗ କରିବାର ଫଳ ମୋତେ ମିଳିଛି। ଏଥିଲାଗି ମୁଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛି। ଅନ୍ୟପକ୍ଷରେ ଶିବ ପ୍ରସାଦ କହିଛନ୍ତି ଯେ ମୋର ସମସ୍ତ ଧ୍ୟାନ ଏବେ ଟୋକିଓ ପାରାଲିମ୍ପିକ୍ସ ଉପରେ ରହିଛି। ବିଜୁ ପଟ୍ଟନାୟକ କ୍ରୀଡ଼ା‌ ପୁରସ୍କାର ପାଇବା ମୋ ପାଇଁ ସମ୍ମାନ ଓ ଗୌରବର ବିଷୟ।

ସମ୍ବନ୍ଧିତ ଖବର