ଭୁବନେଶ୍ବର: ଷାଠିଏ ଓ ସତୁରୀ ଦଶକରେ ଦେଶର ଅନ୍ୟତମ ଶ୍ରେଷ୍ଠ ଫୁଟ୍ବଲ୍ ଗୋଲ୍କିପର ବିବେଚିତ ଭାରତୀକୃଷ୍ଣ ମିଶ୍ର ଏବଂ ସଫଳ ହକି ପ୍ରଶିକ୍ଷକ ଅମୂଲ୍ୟ ବେହେରାଙ୍କୁ ପ୍ରଦାନ କରାଯାଇଛି ୨୦୨୩ ବର୍ଷର ସମ୍ମାନଜନକ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର। ସହିଦ ସ୍ପୋର୍ଟିଂ ପକ୍ଷରୁ ମାରୁତି ଇଷ୍ଟେଟ୍ ଇଣ୍ଡିଆ (ପ୍ରା) ଲିମିଟେଡ୍ ପ୍ରାୟୋଜିତ ଏହି ପୁରସ୍କାରରେ ଅମୂଲ୍ୟ ବେହେରା ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଭାରତୀକୃଷ୍ଣ ଜୀବନବ୍ୟାପୀ ସେବା ପୁରସ୍କାର ଲାଭ କରିଛନ୍ତି।
ସହିଦ ସ୍ପୋର୍ଟିଂ କ୍ଲବ୍ର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିରାଡ଼ମ୍ବର ଉତ୍ସବରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି, ଓଡ଼ିଶା କ୍ରିକେଟ୍ ସଂଘ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ଭୁବନେଶ୍ବର ଦୌଡ଼କୁଦ ସଂଘ ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜା, ମାରୁତି ଇଷ୍ଟେଟ୍ର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, ସହିଦ ସ୍ପୋର୍ଟିଂ କ୍ଲବ୍ର କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତି ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସହିଦ ସ୍ପୋର୍ଟିଂର ଶ୍ରେଷ୍ଠ ଯୁବ କ୍ରିକେଟର୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ସଂବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ରଣଜୀ ବିଜେତା ରଶ୍ମିରଂଜନ ପରିଡ଼ା କମଲ ଗାଙ୍ଗୁଲିଙ୍କ ନିସ୍ବାର୍ଥପୁର ପ୍ରଶିକ୍ଷକ ଦିନର ସ୍ମୃତିଚାରଣ କରିଥିବା ବେଳେ ଚୟନ ସମିତି ସଦସ୍ୟ ଶକ୍ତି ପ୍ରସାଦ ନନ୍ଦ ପୁରସ୍କାର ମହତ୍ତ୍ବର ଅବତାରଣ କରିଥିଲେ।
ସୂଚନାଯୋଗ୍ୟ, ୨୦୧୨ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପୂର୍ବରୁ କିଶୋର ମାଣିଆ, ଜୋସ ଜ୍ୟାକବ, ନନ୍ଦ କିଶୋର ପଟ୍ଟନାୟକ, ନୀଳ ମାଧବ ଦେଓ, ଅଶୋକ ମିଶ୍ର, ରଶ୍ମିତା ମହାନ୍ତି, ଶିବପ୍ରସାଦ ଦାସ ଓ ହରିପ୍ରସାଦ ପଟ୍ଟନାୟକ ପାଇଥିଲେ। ସେହିଭଳି ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଜୀବନବ୍ୟାପୀ ସେବା ପୁରସ୍କାରକୁ ମଦନ ମୋହନ ମହାନ୍ତି, ବିଜୟ ଶତପଥୀ, ଅରୂପାନନ୍ଦ ରାଉତରାୟ, ଅଶୋକାନନ୍ଦ ଜେନା, ଅଶୋକ ମହାନ୍ତି ଓ ପିଟର ତିର୍କି ପାଇଥିଲେ।
-ଅଲ୍ରାଉଣ୍ଡର୍ ଭାରତୀକୃଷ୍ଣ
ଭଲିବଲ୍, ଫୁଟ୍ବଲ୍, କ୍ରିକେଟ୍ ଭଳି ତିନିଟି ଲୋକପ୍ରିୟ ଖେଳରେ ଉତ୍କଳ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ଦଳରୁ ଖେଳିବା ଓ ଅଧିନାୟକ ହେବାର ଗୌରବ ରହିଥିଲା ଭାରତୀକୃଷ୍ଣଙ୍କ ନାମରେ। ୬୦ ଦଶକରେ ଭାରତୀୟ ଫୁଟ୍ବଲ୍ ଦୁନିଆରେ ଲିଟିଲ୍ ଥଙ୍ଗରାଜ ଭାବେ ପରିଚିତ ଭାରତୀକୃଷ୍ଣ ମିଶ୍ର ୧୯୬୫ ମସିହାରେ ଟୋକିଓରେ ଅନୁଷ୍ଠିତ ଏସୀୟ ଯୁବ ଫୁଟ୍ବଲ୍ ପ୍ରତିଯୋଗିତାରେ ଖେଳିଥିଲେ ଭାରତୀୟ ଦଳରୁ। ୧୯୬୦ ମସିହାରେ ପ୍ରଥମ ସୁବ୍ରତ କପ୍ରେ ଖେଳିବା ସହ ୧୯୬୭ ମସିହାରେ ସେମିକୁ ଉନ୍ନୀତ ଓଡ଼ିଶା ସନ୍ତୋଷ ଟ୍ରଫି ଦଳରେ ସେ ସାମିଲ ଥିଲେ। ତା’ ପରବର୍ଷ ସନ୍ତୋଷ ଟ୍ରଫିରେ ଅଧିନାୟକ ଥିଲେ। ମିଳିତ କଟକ ଦଳରୁ ସେ ୬୦ ଦଶକରେ ଆଇଏଫ୍ଏ ସିଲ୍ଡ, ଡୁରାଣ୍ଡ ଓ ରୋଭର୍ସ କପ୍ରେ ନିୟମିତ ଖେଳିଥିଲେ। ଭ୍ରମଣକାରୀ ସୋଭିଏତ ସଂଘ ଦଳ ବିପକ୍ଷରେ ତିନିଟି ମ୍ୟାଚ ଖେଳିବା ସହ ଗୋଟିକରେ ନେତୃତ୍ୱ ମଧ୍ୟ ନେଇଛନ୍ତି। ୧୯୮୨ ଏସିଆନ୍ ଗେମ୍ସ ବେଳେ ସେ ଜାତୀୟ ଫୁଟ୍ବଲ୍ ଚୟନକର୍ତ୍ତା ଥିଲେ। ୧୯୮୩ ଓ ୧୯୮୪ର ଜାତୀୟ ସ୍ପଟର୍ ଥିଲେ। ସେଲ୍ ଫୁଟ୍ବଲ୍ ଏକାଡେମି ସ୍ଥାପନ କମିଟିର ସଦସ୍ୟ ସହ ଓଡ଼ିଶା ସନ୍ତୋଷ ଟ୍ରଫି ଦଳର ପ୍ରଶିକ୍ଷକ ଓ ଚୟନକର୍ତ୍ତା ଦାୟିତ୍ୱ ତୁଲାଇଛନ୍ତି।
-ଅନେକ ଅଲିମ୍ପିଆନ୍ଙ୍କ ଗୁରୁ ଅମୂଲ୍ୟ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦଳରୁ ତିନି ବର୍ଷ ହକି ଖେଳିବା ପରେ ଜାତୀୟ କ୍ରୀଡ଼ା ପ୍ରତିଷ୍ଠାନରୁ ପ୍ରଶିକ୍ଷକ ଭାବେ ତାଲିମପ୍ରାପ୍ତ ହୋଇ ୧୯୯୧ରୁ ପ୍ରଶିକ୍ଷକ ଭାବେ ଦାୟିତ୍ୱ ଆରମ୍ଭ କରିଥିଲେ ଅମୂଲ୍ୟ ବେହେରା। ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିବା ଭିତରେ ଭାରତୀୟ ହକି ଦଳ ପାଇଁ ଏକାଧିକ ଗୁଣାତ୍ମକ ଖେଳାଳି ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ଇଗ୍ନେସ ଓ ପ୍ରବୋଧ ତିର୍କି, ୱିଲିୟମ ଖାଲ୍କୋ, ଜ୍ୟୋତି ସୁନୀତା କୁଲୁ, ସୁନୀଲ ଏକ୍କା, ସୁନୀଲ ଜୋଜୋ ଏବଂ ସୁଦୀପ ଚିର୍ମାକୋ ପ୍ରମୁଖ।
‘ସ୍ବପ୍ନ ଦେଖି ଶୋଇଗଲେ ଚଳିବ ନାହିଁ, ପରିଶ୍ରମ କର, ସଫଳତା ଆପେ ମିଳିବ’
ସ୍ବପ୍ନ ଦେଖି ଶୋଇଗଲେ ଚଳିବ ନାହିଁ, ଏହାକୁ ସାକାର କରିବା ଲାଗି ନିୟମିତ କଠିନ ପରିଶ୍ରମ କରିବା ଆବଶ୍ୟକ। ଉପର ସ୍ତରରେ ଖେଳିବାକୁ କେବଳ ସ୍ବପ୍ନ ଦେଖିବା ଆବଶ୍ୟକ କିନ୍ତୁ କୌଣସି ସର୍ଟ କଟ୍ ବାଟ ଦେଇ ନୁହେଁ। ବିନା ପରିଶ୍ରମରେ ଉପରକୁ ଗଲେ ଏହା କ୍ଷଣସ୍ଥାୟୀ ହୋଇଥାଏ। କମଲ ଗାଙ୍ଗୁଲୀ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି ଏହି କଥା କହିବା ପରେ ଦୁଇ ବିଜେତା ଭାରତୀକୃଷ୍ଣ ମିଶ୍ର ଓ ଅମୂଲ୍ୟ ବେହେରା ଏହାକୁ ଦୋହରାଇଥିଲେ। ଗୋଟିଏ ଭୁଲ୍କୁ ନ ଦୋହରାଇ ନୂଆ ଭୁଲ୍ କଲେ ଶିଖି ହେବ ଏବଂ ଆଗକୁ ବଢ଼ିପାରିବେ ବୋଲି ମଧ୍ୟ କହିଥିଲେ ଦେବାଶିଷ।
ବାରବାଟୀ ଷ୍ଟାଡିୟମ୍ର ନବୀକରଣ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯାଉଥିବା ବେଳେ ଓଡ଼ିଶା କ୍ରିକେଟ୍ ସଂଘ୍ (ଓସିଏ) ଉପସଭାପତି ପଙ୍କଜ ଲୋଚନ ମହାନ୍ତି ରବିବାର ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। କମଲ ଗାଙ୍ଗୁଲୀ କ୍ରୀଡ଼ା ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାନ୍ତି କହିଛନ୍ତି ‘‘ସରକାର ନୂଆ କ୍ରିକେଟ୍ ଷ୍ଟାଡିୟମ୍ ପାଇଁ କହୁଥିଲେ, ଆମେ କିନ୍ତୁ ମନାକଲୁ। ବର୍ଷେ ଦୁଇ ବର୍ଷରେ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍ ମିଳୁଛି। ଏଥି ପାଇଁ ନୂଆ ଷ୍ଟାଡିୟମ୍ର ଆବଶ୍ୟକତା ନାହିଁ। ବାରବାଟୀ ଷ୍ଟାଡିୟମ୍ର ନବୀକରଣ ଯଥେଷ୍ଟ ହେବ। ଏହାର ଐତିହ୍ୟ କୀର୍ତ୍ତିରାଜିକୁ କିନ୍ତୁ ଭଙ୍ଗାଯିବ ନାହିଁ। ସରକାରଙ୍କ ସହ ଏ ସମ୍ପର୍କରେ ତୁହାକୁ ତୁହା ଆଲୋଚନା ହେଉଛି। ନିର୍ବାଚନ ପରେ ଏହି ୬୦୦ କୋଟି ଟଙ୍କାର ନବୀକରଣ କାର୍ଯ୍ୟ ଆରମ୍ଭ ହେବ’’।