ମହିଳା ଡିସ୍‌କସ୍‌ ଫାଇନାଲ୍‌ରେ କମଲପ୍ରୀତ୍‌: ସିନ୍ଧୁ, ପୂଜା, ଅମିତ, ଅତନୁଙ୍କ ପରାଜୟ ଦିନ

ମୁଷ୍ଟିଯୁଦ୍ଧ: କ୍ବାର୍ଟରରେ ଅଟକିଲେ ପୂଜା, ଅମିତ ବି ଆଗକୁ ବଢ଼ିଲେନି, କ୍ଷମା ମାଗିନେଲେ ଅତନୁ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ଶନିବାର ନବମ ଦିବସ‌ରେ ଭାରତ ପାଇଁ ଖୁସି ଖବର ଆଣିଛନ୍ତି ଡିସ୍‌କସ୍‌ ଫିଙ୍ଗାଳି କମଲପ୍ରୀତ କୌର। ତାଙ୍କ ଛଡ଼ା ମହିଳା ହକି ଦଳ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ଆଉ ଏକ ଐତିହାସିକ ମୁହୂର୍ତ୍ତ ହୋଇଥିଲା। ତେବେ ସ୍ବର୍ଣ୍ଣ ପଦକ ଆଶା ନେଇ ଟୋକିଓ ଯାଇଥିବା ପିଭି ସିନ୍ଧୁ ନିରାଶ କରିଛନ୍ତି। ଶନିବାର ସେମିଫାଇନାଲ୍‌ରେ ସେ ହାରିଯିବାରୁ ସ୍ବର୍ଣ୍ଣ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଏବେ ସେ କାଂସ୍ୟ ପାଇଁ ‌ଲଢ଼ିବେ। ଭାରତର ଏକ ନମ୍ବର ମୁଷ୍ଟିଯୋଦ୍ଧା ଅମିତ ପଙ୍ଗଲ ଏବଂ ତୀରନ୍ଦାଜ ଅତନୁ ଦାସ ନିଜ ନିଜ ମ୍ୟାଚ୍‌ ହାରି କ୍ବାର୍ଟର ଫାଇନାଲ୍‌ ପୂର୍ବରୁ ବିଦାୟ ନେଇଛନ୍ତି। ପଦକଠୁ ମାତ୍ର ଗୋଟିଏ ପାଦ ଦୂରରେ ଥିବା ମହିଳା ମୁଷ୍ଟିଯୋଦ୍ଧା ପୂଜା ରାଣୀ ମଧ୍ୟ ବିଫଳ ହୋଇ ବିଦାୟ ନେଇଛନ୍ତି। ସବୁଠୁ ଅଧିକ ପଦକ ଆଶା ଥିବା ବନ୍ଧୁକଚାଳନାରେ ମଧ୍ୟ ବିଫଳତା ଜାରି ରହିଛି। ୯ ଦିନ ହେଲା ଏହି ଇଭେଣ୍ଟରେ ଭାରତ ଖାତା ଖୋଲିବାରେ ସଫଳ ହୋଇଛି।

ଅନ୍ୟ ପକ୍ଷରେ ନବମ ଦିନରେ ପଦକ ଶୂନ୍ୟ ରହି ମୋଟ ଗୋଟିଏ ପଦକ (ଭାରୋତ୍ତୋଳକ ମୀରାବାଇ ଚାନୁଙ୍କ ରୌପ୍ୟ) ସହ ଟେବୁଲର ୫୪ତମ ସ୍ଥାନକୁ ଖସିଛି ଭାରତ। ଚୀନ୍‌ ୪୬ (୨୧ ସ୍ବର୍ଣ୍ଣ, ୧୩ ରୌପ୍ୟ, ୧୨ କାଂସ୍ୟ) ପଦକ ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଆୟୋଜକ ଜାପାନ (୩୦ ପଦକ, ୧୭ ସ୍ବର୍ଣ୍ଣ, ୫ ରୌପ୍ୟ, ୮ କାଂସ୍ୟ) ଏବଂ ଆମେରିକା (୪୬ ପଦକ, ୧୬ ସ୍ବର୍ଣ୍ଣ, ୧୭ ରୌପ୍ୟ, ୧୩ କାଂସ୍ୟ) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ମୁଷ୍ଟିଯୁଦ୍ଧ: କ୍ବାର୍ଟରରେ ଅଟକିଲେ ପୂଜା, ଅମିତ ବି ଆଗକୁ ବଢ଼ିଲେନି
ଶନିବାର ଭାରତୀୟ ମୁଷ୍ଟିଯୋଦ୍ଧାଙ୍କ ପାଇଁ ନିରାଶର ଦିନଥିଲା। କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ପଦକଠୁ ଗୋଟିଏ ପାଦ ଦୂରରେ ଥିବା ପୂଜା ରାଣୀ ଏବଂ ପ୍ରଥମ ରାଉଣ୍ଡ ବାଇ ପାଇ ସିଧାସଳଖ ପ୍ରିକ୍ବାର୍ଟର ଫାଇନାଲ୍‌ ଖେଳିଥିବା ଅମିତ ପଙ୍ଘଲ (୫୨‌ କେଜି) ନିଜ ନିଜ ମ୍ୟାଚ୍‌ ହାରି ଟୋକିଓ ଅଭିଯାନ ଶେଷ କରିଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ପୂଜା ୦-୫ରେ ଚୀନ୍‌ର ଲି କ୍ବାନ୍‌ଙ୍କଠୁ ପରାଜିତ ହୋଇଥିଲେ। କ୍ବାର୍ଟର ଫାଇନାଲ୍‌ରେ ପୂର୍ବତନ ବିଶ୍ବ ଏବଂ ରିଓ କାଂସ୍ୟ ବିଜୟିନୀ କ୍ବାନ୍‌ ଅଲିମ୍ପିକ୍ସ ପଦାର୍ପଣ କରିଥିବା ପୂଜାଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଏହି ବିଶ୍ବସ୍ତରୀୟ ଚୀନ୍‌ ମୁ‌ଷ୍ଟିଯୋଦ୍ଧାଙ୍କ ବାରମ୍ବାର ଆକ୍ରମଣକୁ ପୂଜା ଅଟକାଇବାକୁ ସମର୍ଥ ହୋଇନଥିଲେ। ଏହି ବିଜୟ ସହ କ୍ବାନ୍‌ ନିଜର ଦ୍ବିତୀୟ ଅଲିମ୍ପିକ୍‌ ପଦକ ନିଶ୍ଚିତ କରିଥିଲେ।
ଅନ୍ୟପକ୍ଷରେ ପୁରୁଷ ୫୨ କେଜି ବର୍ଗରେ ଭାରତର ପ୍ରମୁଖ ପଦକ ଦାବିଦାର ଅମିତ ପଙ୍ଗଲ ୧-୪ରେ ରିଓ କ୍ରୀଡ଼ା ରୌପ୍ୟ ବିଜେତା କଲମ୍ବିଆର ୟୁବେର୍ଜେନ ମାର୍ଟିନେଜଙ୍କଠୁ ହାରି ଆଗକୁ ବଢ଼ିପାରିନଥିଲେ। ୨୫ ବର୍ଷୀୟ ଅମିତ ୨୦୧୮ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ଏବଂ ୨୦୧୯ ବିଶ୍ବ ପ୍ରତିଯୋଗିତା ରୌପ୍ୟ ପଦକ ଜିତଥିଲେ।
ତୀରନ୍ଦାଜିରେ ଭାରତର ଅଭିଯାନ ଶେଷ
ଶେଷ ଭାରତୀୟ ତୀରନ୍ଦାଜ ଭାବେ ଚଳିତ ଅଲିମ୍ପିକ୍ସରେ ତିଷ୍ଠି ରହିଥିବା ଅତନୁ ଦାସଙ୍କ ଅଭିଯାନ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଶେଷ ହୋଇଛି। ଶନିବାର ପୁରୁଷ ବ୍ୟକ୍ତିଗତ ବର୍ଗରେ ଅତନୁ ୪-୬ (୨୫-୨୭, ୨୮-୨୮, ୨୮-୨୭, ୨୮-୨୮, ୨୬-୨୭)ରେ ସ୍ଥାନୀୟ ଖେଳାଳି ତାକାହାରୁ ଫୁରୁକାୱାଙ୍କଠୁ ହାରିଯାଇଥିଲେ। କଡ଼ା ସଂଘର୍ଷ ପୂର୍ଣ୍ଣ ଏହି ମ୍ୟାଚ୍‌ର ପ୍ରଥମ ସେଟ୍‌‌ରେ ୨୦୧୨ ରୌପ୍ୟ ବିଜେତା ତାକାହାରୁ ଆଗୁଆ ରହିଥିଲେ। ହେଲେ ଦ୍ବିତୀୟ ସେଟ୍‌କୁ ଅମୀମାଂସିତ ରଖି ତରୁଣ ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟକୁ ୨୮-୨୭ରେ ଜିତି ସ୍ଥିତି ସମାନ କରିଥି‌ଲେ ଏବଂ ଚତୁର୍ଥ ସେଟ୍‌ ଅମୀମାଂସିତ ରହିବାରୁ ପଞ୍ଚମ ସେଟ୍‌କୁ ମ୍ୟାଚ୍‌ ଯାଇଥିଲା। ନିର୍ଣ୍ଣାୟକ ଏହି ସେଟ୍‌ରେ ୧୦ ପଏଣ୍ଟ୍‌ ହାସଲ ନକରି ଗୋଟିଏ ୮ ପଏଣ୍ଟ ମାରିବା ଅତନୁଙ୍କ ପାଇଁ ମହାଙ୍ଗା ପଡ଼ିଥିଲା। ପୂର୍ବରୁ ଭାରତୀୟ ପୁରୁଷ ଦଳ, ମିଶ୍ରିତ ଯୁଗଳ ଯୋଡ଼ି ଏବଂ ବ୍ୟକ୍ତିଗତ ବର୍ଗରେ ତରୁଣଦୀପ ରୟ, ପ୍ରବୀଣ ଯାଦବ ଏବଂ ଅତନୁଙ୍କ ପତ୍ନୀ ଦୀପିକା କୁମାରୀ ବିଦା ହୋଇଥିଲେ।
କ୍ଷମା ମାଗିନେଲେ ଅତନୁ
ଟୋକିଓ: ‘ସରି ଇଣ୍ଡିଆ, ମୁଁ ଏଥର ଅଲିମ୍ପିକ୍ସରେ ଗୌରବ ଆଣି ପାରିଲି ନାହିଁ। କିନ୍ତୁ ଆମକୁ ଯେଭଳି ଭାବେ ସାଇ, ଭାରତୀୟ ତୀରନ୍ଦାଜୀ ସଂଘ, ଟପ୍ସ, ଓଲିମ୍ପିକ୍ସ ଗୋଲ୍ଡ କ୍ବେଷ୍ଟ୍‌ ଆଦିରୁ ସମର୍ଥ ମିଳିଲା ଆଗକୁ ଯିବାକୁ ସାହସ ଆସିଛି। ଏହାଠାରୁ ଅଧିକ କିଛି କହିବାକୁ ନାହିଁ, ଜୟ ହିନ୍ଦ୍’। ଏଭଳି ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିନେଇଛନ୍ତି ଟୋକିଓ ଅଲିମ୍ପିକ୍ସର ଅସଫଳ ଭାରତୀୟ ତୀରନ୍ଦାଜ ଅତନୁ ଦାସ। ଶନିବାର ୟୁମେନୋଶିମା ପାର୍କରେ ଅନୁଷ୍ଠିତ କ୍ବାର୍ଟରଫାଇନାଲ୍ ମୁକାବିଲାରେ ଜାପାନର ତାକାହାରୁ ଫୁରୁକାୱାଙ୍କଠାରୁ ହାରି ବିଦାୟ ନେବା ପରେ ଅତନୁ ଏଭଳି ଭାବବିହ୍ବଳ ଟ୍ବିଟ୍ କରିଥିଲେ। ତାଙ୍କ ପତ୍ନୀ ତଥା ବିଶ୍ବର ଏକ ନମ୍ବର ଦୀପିକା କୁମାରୀ ମଧ୍ୟ ଦକ୍ଷିଣ କୋରିଆର ଆନ୍‌ ସନଙ୍କଠାରୁ ହାରି ପଦକ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ। ଦୀପିକା କିନ୍ତୁ ତାଙ୍କ ମିଶ୍ରିତ ସାଥୀ ଚୟନକୁ ନେଇ ଜାତୀୟ ସଂଘକୁ ଦୋଷ ଦେଇଥିଲେ। ଅତନୁ ଦାସଙ୍କ ସହ ଦୀପିକା ଅଭ୍ୟାସ କରିଥିଲେ ମଧ୍ୟ ପୁରୁଷ ବର୍ଗ ମାନ୍ୟତା ଭିତ୍ତିରେ ତାଙ୍କୁ ପ୍ରବୀଣ ଯାଦବଙ୍କ ସହ ମିଶ୍ରିତ ଇଭେଣ୍ଟ୍ ଖେଳିବାକୁ ଯୋଡ଼ି କରାଯାଇଥିଲା। ଏମାନେ ମଧ୍ୟ ବିଫଳ ହୋଇଥିଲେ।
ବନ୍ଧୁକଚାଳନା: ଫାଇନାଲ୍‌ରେ ପହଞ୍ଚିପାରିଲେନି ଅଞ୍ଜୁମ, ତେଜସ୍ବିନୀ
ଭାରତୀୟ ବନ୍ଧୁକଚାଳିକା ଅଞ୍ଜୁମ ମୁଦଗିଲ ଏବଂ ତେଜସ୍ବିନୀ ସାୱନ୍ତ ମହିଳା ୫୦ ମିଟର ରାଇଫଲ ୩ ପୋଜିସନ୍‌ ଇଭେଣ୍ଟର ଫାଇନାଲ୍‌ରେ ପହଞ୍ଚିବାର ବିଫଳ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ବିଶ୍ବ ରୌପ୍ୟ ବିଜୟିନୀ ‌ଅଞ୍ଜୁମ ୧୧୬୭ ପଏଣ୍ଟ୍‌ ସହ ୧୫ତମ ଏବଂ ଭେଟେରାନ ତେଜସ୍ବିନୀ ୧୧୫୪ ପଏଣ୍ଟ ସହ ୩୩ତମ ସ୍ଥାନରେ ରହିଥିଲେ। ଅଧିକ ପଦକ ଆଶା ନେଇ ଟୋକିଓ ଗସ୍ତ କରିଥିବା ୧୫ ଜଣିଆ ଭାରତୀୟ ଦଳ ମଧ୍ୟରୁ କେବଳ ସୌରଭ ଚୌଧୁରୀ ଫାଇନାଲ୍‌ରେ ପହଞ୍ଚି ସପ୍ତମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର