ଭାରତୀୟ ଶିବିରରେ ଯୋଗଦେଲେ କମଲେଶ, ନଜରରେ ଉମ୍ରାନ୍‌

ଦିଲ୍ଲୀ ମ୍ୟାଚ୍‌ ପାଇଁ ଦର୍ଶକ ଭିଡ

ନୂଆଦିଲ୍ଲୀ: ଫିଜିଓ କମଲେଶ ‌ଜୈନ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ ଭାବେ ମଙ୍ଗଳବାର ଯୋଗ ଦେଇଛନ୍ତି। ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରୁଥିବା ବେଳେ ଜୈନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଦୀର୍ଘ ୧୦ ବର୍ଷ ଧରି ଆଇପିଏଲ୍‌ ସହ ଜଡ଼ିତ ଥିବା କମଲେଶଙ୍କୁ ନୀତିନ ପଟେଲ୍‌ଙ୍କ ବଦଳରେ ନିଆଯାଇଛି। ନୀତିନଙ୍କୁ ଏବେ ଏନ୍‌ସିଏ ଦାୟିତ୍ବ ଦିଆଯାଇଛି। ଜୁନ୍‌ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ପରେ ଭାରତୀୟ ସପୋର୍ଟ ଷ୍ଟାଫ୍‌ ରାହୁଲ ଦ୍ରାବିଡ଼ଙ୍କ ବିନା ଇଂଲଣ୍ଡ ଗସ୍ତ କରିବ। ଜୁନ୍‌ ୧୪ ତାରିଖରେ ତୃତୀୟ ଟ୍ବେଣ୍ଟି-୨୦ ଖେଳାଯିବା ଦିନ ହିଁ ଭାରତୀୟ ଟେଷ୍ଟ୍‌ ଦଳ ଚୟନ କରାଯିବ। ଉଭୟ ଟେଷ୍ଟ୍‌ ଓ ସୀମିତ ଓଭର ଦଳରେ ଥିବା କେଏଲ୍ ରାହୁଲ୍‌, ଋଷଭ ପନ୍ତ୍‌ ଏବଂ ଶ୍ରେୟସ ଆୟରଙ୍କ ସହ ମିଶି ଦ୍ରାବିଡ଼ ପରେ ଇଂଲଣ୍ଡ ଗସ୍ତ କରିବେ। ରୋହିତ ଶର୍ମାଙ୍କ ଟେଷ୍ଟ୍ ଦଳ ଜୁଲାଇ ୧ ତାରିଖରୁ ଏଜବାଷ୍ଟନ୍‌ରେ ଗତବର୍ଷରୁ ଅସମ୍ପୂର୍ଣ୍ଣ ଥିବା ୫ ମ୍ୟାଚ୍‌ ଟେଷ୍ଟ ଶୃ୍‌ଙ୍ଖଳାର ଶେଷ ମ୍ୟାଚ୍‌ଟି ଖେଳିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପରେ ମଧ୍ୟ ଏକ ଦୁଇ ମ୍ୟାଚ୍‌ (ଜୁନ୍‌ ୨୬ ଓ ୨୮) ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଭାରତ ଆୟର୍ଲାଣ୍ଡ୍‌ ଯିବ। ଦ୍ରାବିଡ଼ଙ୍କ ବଦଳରେ ଭିଭିଏସ୍ ଲକ୍ଷ୍ମଣ ଏହି ଦଳର ପ୍ରଶିକ୍ଷଣ ଦାୟିତ୍ବରେ ରହିବେ ବୋଲି ପୂର୍ବରୁ ବିସିସିଆଇ ସ୍ପଷ୍ଟ କରି ସାରିଛି।

ନଜରରେ ଉମ୍ରାନ୍‌
ଭାରତୀୟ ଦଳରେ ପ୍ରଥମ ଥର ସାମିଲ ଜମ୍ମୁ କଶ୍ମିର ଦ୍ରୁତ‌ ବୋଲର୍‌ ଉମ୍ରାନ ମଲ୍ଲିକ ଏବେ ସବୁଠାରୁ ଅଧିକ ଚର୍ଚ୍ଚା ଓ ଆକର୍ଷଣରେ। ଆଇପିଏଲ୍‌ ପ୍ରଦର୍ଶନ ଆଧାରରେ ଭାରତୀୟ ଦଳକୁ ଆସିଥିବା ଉମ୍ରାନ୍‌ ଏବେ ସେଲିବ୍ରିଟି ପାଲଟିବାରେ ଲାଗିଛନ୍ତି। ସୋମବାର ଭାରତୀୟ ଖେଳାଳି ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ସାଧାରଣ ଅଭ୍ୟାସ କରୁଥିବା ବେଳେ ଉମ୍ରାନ୍‌ ସିଧାସଳଖ ଦ୍ରୁତ ବୋଲିଂରେ ମନୋନିବେଶ କରିଥିଲେ। ପେସ୍‌ ଓ ବାଇଁସର ତାଙ୍କ ଏକମାତ୍ର ମନ୍ତ୍ର ବୋଲି ସେ ସ୍ପଷ୍ଟ କରି ଦେଇଥିଲେ। ସୋମବାର ମଧ୍ୟ ସେ ନେଟ୍ସରେ ବ୍ୟାଟର୍‌ଙ୍କୁ ବାଉଁସର୍‌ ପରେ ବାଉଁସର ମାରି ଅସୁବିଧାରେ ପକାଇବାକୁ ଚେଷ୍ଟା କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଦଳକୁ ବିଜୟ ଦେବା ଲାଗି ଉମ୍ରାନ୍‌ ମଧ୍ୟ ଅଧିନାୟକ କେଏଲ୍ ରାହୁଲଙ୍କୁ ଖେଳ ଜରିଆରେ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି। ଜମ୍ମୁ ଏକ୍ସପ୍ରେସ୍‌ ଭାବେ ଉଭା ହୋଇଥିବା ଉମ୍ରାନଙ୍କୁ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ପରାସ ମହାମ୍ବ୍ରେ ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ମଧ୍ୟ ଉମ୍ରାନଙ୍କୁ ଅତି ପାଖରୁ ମାର୍ଗଦର୍ଶନ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାହୁଲ, ପନ୍ତ୍‌, କାର୍ତ୍ତିକ ଭଲ ବ୍ୟାଟିଂ ଅଭ୍ୟାସ କରିଥିବା ବେଳେ ଉମ୍ରାନଙ୍କ ସହ ଅଭେସ୍‌ ଖାନ୍‌ ଓ ଅର୍ଶଦୀପ ସିଂହ ମଧ୍ୟ ସୁଯୋଗର ସଦ୍‌ବ୍ୟବହାର ଅପେକ୍ଷାରେ ରହିଛନ୍ତି।

ଦିଲ୍ଲୀ ମ୍ୟାଚ୍‌ ପାଇଁ ଦର୍ଶକ ଭିଡ
ଜୁନ୍‌ ୯ ତାରିଖରେ ନୂଆଦିଲ୍ଲୀର ଅରୁଣ ‌ଜେଟଲି ଷ୍ଟାଡିୟମ୍‌ରୁ ଆରମ୍ଭ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ୩୫,୦୦୦ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ୍‌ର ୯୪ ପ୍ରତିଶତ ଟିକେଟ୍‌ ବିକ୍ରି ଶେଷ ହୋଇଯାଇଛି। ମାତ୍ର ୪୦୦-୫୦୦ ଟିକେଟ୍‌ ବଳକା ଥିବା ପ୍ରଥମ ମ୍ୟାଚ୍‌ ଆୟୋଜକ ଡିଡିସିଏର ଯୁଗ୍ମ ସମ୍ପାଦକ ରାଜନ ମଞ୍ଚଡ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ପରେ ପ୍ରଥମ ଥର ଦିଲ୍ଲୀରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜିତ ହୋଇଛି।

ସମ୍ବନ୍ଧିତ ଖବର