କରାଚି : କୌଣସି ବିବାଦଠୁ ଦୂରେଇ ରହିବାକୁ ହେଲେ ସମସ୍ତଙ୍କୁ ବିଶେଷକରି ସଚିନ୍ ତେନ୍ଦୁଲକର ଓ ମହେନ୍ଦ୍ର ସିଂହ ଧୋନିଙ୍କ ଉଦାହରଣ ଦେଖିବା କଥା। ସେ ଦୁହେଁ କିପରି ସେମାନଙ୍କ ଆନ୍ତର୍ଜାତିକ ଜୀବନ ମଧ୍ୟରେ ସବୁବେଳେ ବିବାଦଠୁ ଉର୍ଦ୍ଧ୍ବରେ ରହୁଥିଲେ। ଆଉ ସେମାନଙ୍କ ଚରିତ୍ରକୁ ପର୍ଯ୍ୟବେକ୍ଷଣ କରି ସେ ମଧ୍ୟ ଫଇଦା ପାଇପାରିବେ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ୱିକେଟ୍ରକ୍ଷକ କମ୍ରାନ୍ ଆକ୍ମଲ। ତେଣୁ ବିବାଦମୁକ୍ତ ରହିବା ସାଙ୍ଗକୁ ଖେଳ ଉପରେ କିପରି କେବଳ ଦୃଷ୍ଟି ରଖିହେବ ସେନେଇ ଏହି ଦୁଇ ଜଣଙ୍କ ସହିତ ଏବର ଭାରତ ଅଧିନାୟକ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କଠାରୁ ଶିକ୍ଷା କରିବା ଉଚିତ ବୋଲି କମ୍ରାନ୍ ତାଙ୍କ ସାଇ ଭାଇ ଉମର ଆକ୍ମଲଙ୍କୁ ପରାମର୍ଶ ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ, ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ପୂର୍ବରୁ ଦୁର୍ନୀତି ପ୍ରସ୍ତାବ ସଂପର୍କରେ ରିପୋର୍ଟ କରିବାରେ ବିଫଳ ଯୋଗୁଁ ଉମର ଆକ୍ମଲଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୩ ବର୍ଷ ବାସନ୍ଦ କରିଛି। ତେଣୁ ଏଭଳି ସ୍ଥିତିରୁ ରକ୍ଷା ପାଇବାକୁ ହେଲେ ମୋର ପରାମର୍ଶ ମାନିବା ଉଚିତ ବୋଲି ଉମରଙ୍କୁ କମ୍ରାନ୍ କହିଛନ୍ତି। ଯଦି ସେ କିଛି ତ୍ରୁଟି କରିଛନ୍ତି, ତାହାଲେ ଅନ୍ୟମାନଙ୍କଠୁ ଶିଖିବା ଦରକାର। ସେ ଏବେ ବି ଯୁବକ। ଜୀବନରେ ଅନେକ ବିଭ୍ରାଟ ଦେଖାଦେଇପାରେ। ହେଲେ ଏଥିରୁ ଦୂରେଇ ରହିବାକୁ ହେଲେ ନିହାତି କୋହଲିଙ୍କଠୁ ଶିଖିବା ଉଚିତ ବୋଲି ''କାଓ କର୍ନର କ୍ରୋନିକଲ୍ସ'' ଚାଟ୍ 'ସୋ'ରେ କମ୍ରାନ୍ କହିଛନ୍ତି।
ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ର ପ୍ରାରମ୍ଭ ସମୟରେ କୋହଲି ଭିନ୍ନ ରୂପରେ ଥିଲେ। ହେଲେ ଏହାପରେ କୋହଲି ତାଙ୍କ ମନୋଭାବ ଓ କଥାବାର୍ତା ବଦଳାଇ ଦେଇଥିଲେ। ଦେଖ ସେ କିଭଳି ଏବେ ବିଶ୍ବର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି ବୋଲି ଉମରଙ୍କ ଉଦ୍ଦେଶ୍ୟରେ କମ୍ରାନ୍ କହିଛନ୍ତି। କେବଳ ବିରାଟ କାହିଁକି ଉମର ମଧ୍ୟ ମାଷ୍ଟର ବ୍ଲାଷ୍ଟର ସଚିନ୍ ଓ ଧୋନିଙ୍କଠୁ ଭଦ୍ରତା, ନମ୍ରତା ଓ ମନୋଭାବ ସାଙ୍ଗକୁ ବିବାଦମୁକ୍ତ ବ୍ୟକ୍ତିତ୍ବ ସଂପର୍କରେ ଶିକ୍ଷା କରିବା ଉଚିତ ବୋଲି କମ୍ରାନ୍ କହିଛନ୍ତି। ତାଙ୍କ କହିବା କଥା ହେଲା ଯଦି ବିରାଟ ମନୋଭାବ ବଦଳାଇପାରିଲେ, ତାହାଲେ ତୁମେ କାହିଁକି କରିପାରିବନି ବୋଲି କମ୍ରାନ୍ ସାନ ଭାଇକୁ ପ୍ରଶ୍ନ କରିଛନ୍ତି। ଆମେ ସେମାନଙ୍କୁ ନୀରିକ୍ଷଣ କରିବା ଏବଂ ତାଙ୍କଠୁ ଶିଖିବା ଉଚିତ। ସେମାନେ କେବଳ ଖେଳ ଉପରେ ନଜର ରଖୁଥିଲେ। ଆଉ ପଡ଼ିଆ ବାହାରେ ସେମାନଙ୍କ ବ୍ୟବହାର ଉଚ୍ଚକୋଟୀର ଥିଲା। ଯାହାକି ସେମାନଙ୍କ ଅଗଣିତ ପ୍ରଶଂସକ ସୃଷ୍ଟି କରୁଥିଲା। ସେମାନେ ମଧ୍ୟ କ୍ରୀଡ଼ା ପାଇଁ ଜଣେ ଜଣେ ଚମତ୍କାର ଦୂତ। ଆମେ କେବଳ ସେମାନଙ୍କ ଉଦାହରଣରୁ ହିଁ ଫାଇଦା ଉଠାଇପାରିବା। ମୋ ମତରେ ପିସିବି ହୁଏତ ବଡ଼ ଧରଣର ଦଣ୍ଡବିଧାନ କଥା ଚିନ୍ତା କରିଥିଲା। ତଥାପି ଉମର ରକ୍ଷା ପାଇଯାଇଛନ୍ତି। କ୍ରିକେଟ୍ ଆମର ରୁଟି ଓ ଲହୁଣୀ (ବ୍ରେଡ୍ ଓ ବଟର୍)। ତେଣୁ ତାକୁ ଅବମାନନା କରିବା ଠିକ୍ ନୁହେଁ। ବରଂ ଅଧିକ ସମର୍ଥନ ହାସଲ କରିବା ଉଚିତ ବୋଲି କମ୍ରାନ୍ କହିଛନ୍ତି।