କନ୍ଦନ ଅନ୍ତର୍ଜାତୀୟ ଜୁଡ଼ୋ ରେଫରି

ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲା ଜୁଡ଼ୋ ସଂଘ ପାଇଁ ଲଗାତାର ଦୁଇ ଦିନରେ ଦୁଇଟି ଐତିହାସିକ ସଫଳତା ମିଳିଛି। ସଂଘର ସଭାପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଭାରତର ସର୍ବୋଚ୍ଚ ଗଣତାନ୍ତ୍ରିକ ପଦ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଶୁକ୍ରବାର ସମ୍ପାଦକ କନ୍ଦନ ମୁର୍ମୁ (ମନୋଜ) ଅନ୍ତର୍ଜାତୀୟ ଜୁଡ଼ୋ ରେଫରି ଭାବେ ଉତ୍ତୀର୍ଣ୍ଣ ହୋଇ ଖୁସିକୁ ଦ୍ବିଗୁଣିତ କରିଛନ୍ତି। ଥାଇଲାଣ୍ଡ୍‌ର ବ୍ୟାଙ୍କକ୍‌ରେ ଜୁଲାଇ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କଣ୍ଟି‌ନେଣ୍ଟାଲ୍‌ ରେଫରି ପରୀକ୍ଷା ଓ ଏସୀୟ ଜୁଡ଼ୋ ସଂଘ କର୍ମଶାଳାରେ କନ୍ଦନ ଉତ୍ତୀର୍ଣ୍ଣ ହେବା ପରେ ଶୁକ୍ରବାର ରାଜ୍ୟ ଜୁଡ଼ୋ ଦୁନିଆରେ ଖୁସିର ଲହରି ଖେଳିଯାଇଛି।

ରାଜ୍ୟ ଜୁଡ଼ୋ ସଂଘ ସିଇଓ ଗୀତାଞ୍ଜଳି ପଣ୍ଡାଙ୍କ ପରେ କନ୍ଦନ ଦ୍ବିତୀୟ ଓଡ଼ିଆ ଭାବେ ଅନ୍ତର୍ଜାତୀୟ ଜୁଡ଼ୋ ରେଫରି ମାନ୍ୟତା ପାଇଲେ। କିଟ୍‌ ଓ କିସ୍‌ରେ ବରିଷ୍ଠ ଜୁଡ଼ୋ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ କନ୍ଦନ ଏକାଧିକ ଜୁଡ଼ୋ ଖେଳାଳିଙ୍କ ଖେଳ ଜୀବନ ଗଢ଼ିବାରେ ପ୍ରମୁଖ ଯୋଗଦାନ ରଖିଛନ୍ତି। ତୃତୀୟ ଡାନ୍‌ ବ୍ଲାକବେଲ୍ଟଧାରୀ କନ୍ଦନ ମଧ୍ୟ ରାଜ୍ୟ ଜୁଡ଼ା ସଂଘ (ଓସ୍‌ଜା)ର ବୈଷୟିକ ସମ୍ପାଦକ ରହିଛନ୍ତି। ନିଜର ଏହି ସଦ୍ୟତମ ସଫଳତା ଲାଗି କନ୍ଦନ ଓସ୍‌ଜାର ପୂର୍ବତନ ସଭାପତି-ସମ୍ପାଦକ ସ୍ବର୍ଗତ ପ୍ରିୟବ୍ରତ ପଟ୍ଟନାୟକ ଓ ବିରଞ୍ଚି ଦାସଙ୍କ ଶ୍ରେୟକୁ ମନେ ପକାଇଛନ୍ତି। କିଟ୍‌-କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓସ୍‌ଜା ସମ୍ପାଦକ ପିସି ମିଶ୍ର, ସିଇଓ ଗୀତାଞ୍ଜଳି ପଣ୍ଡା ଓ ସମସ୍ତ ଗୁରୁ, ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର