ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଚାଲିଥିବା ଅନ୍ତଃଜିଲ୍ଲା ବରିଷ୍ଠ ଫୁଟ୍ବଲ୍ ପ୍ରତିଯୋଗିତା ସାହାଣୀ କପ୍ ଫାଇନାଲରେ ପ୍ରଥମ ଥର ଲାଗି ପହଞ୍ଚିଥିବା କନ୍ଧମାଳ ଦଳକୁ ଶନିବାର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଖେଳାଳିଙ୍କୁ ଉତ୍ସାହିତ କରିବା ସହ ସାହାଣୀ କପ୍ ଜିତିଲେ ସାଂସଦଙ୍କ ପକ୍ଷରୁ ଦଳକୁ ୨ ଲକ୍ଷ ଟଙ୍କା ଓ ରନର୍ସ ଅପ୍ ହେଲେ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଲେ, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରାଥମିକତା ଆଧାରରେ କିଟ୍ ଆସନ୍ତା ୨ ବର୍ଷ ପାଇଁ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଫୁଟ୍ବଲ୍ ଖେଳାଳିଙ୍କ ଯତ୍ନ ନେବ। ସେମାନେ ଚାହିଁଲେ କିଟ୍ରେ ରହି ହାଇ ପରଫରମାନ୍ସ ସେଣ୍ଟରରେ ଅଭ୍ୟାସ ଜାରି ରଖିପାରିବେ। ଏହି ଖେଳାଳିଙ୍କୁ ତୃଣମୂଳ ସ୍ତରରୁ କୋଚିଂ ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ।
କନ୍ଧମାଳ ଏବଂ ବୌଦ୍ଧରେ ଫୁଟ୍ବଲ ପଡ଼ିଆଗୁଡ଼ିକର ବିକାଶ ଏବଂ ୫ରୁ ୬ ପଡ଼ିଆରେ ଫ୍ଲଡ୍ ଲାଇଟ ସ୍ଥାପନା ନେଇ ପଦକ୍ଷେପ ନିଆଯିବ। ବିଭିନ୍ନ ଜିଲ୍ଲା ତଥା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା କନ୍ଧମାଳ ଏବଂ ବୌଦ୍ଧ ଦଳ ପାଇଁ ସ୍ୱତନ୍ତ୍ର କୋଚିଂ ଶିବିର ଆୟୋଜନ ସହ ଜାତୀୟ ଦଳରେ ମନୋନୀତ ହୋଇଥିବା ଉଭୟ ଜିଲ୍ଲାର ଖେଳାଳିଙ୍କୁ ସ୍ୱତନ୍ତ୍ର ସହଯୋଗ ଦିଆଯିବ। ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ସେମାନେ ଚାହିଁଲେ କିଟ୍ରେ ବିନାଦେୟରେ ଶିକ୍ଷାଲାଭ କରିପାରିବେ ବୋଲି ଶ୍ରୀ ସାମନ୍ତ କହିଥିଲେ। ସଫଳ ଖେଳାଳିଙ୍କୁ କିଟ୍ ଓ କିସ୍ ପକ୍ଷରୁ ଶିକ୍ଷାବୃତ୍ତି ପ୍ରଦାନ ସହ ଉଭୟ ପୁରୁଷ ଏବଂ ମହିଳା ଫୁଟ୍ବଲ ଦଳ ପାଇଁ ଗ୍ରୀଷ୍ମକାଳୀନ କୋଚିଂ ଶିବିରର ବ୍ୟବସ୍ଥା କରାଯିବ। କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ରେ ଫୁଟ୍ବଲ କ୍ଲବ୍ ପ୍ରତିଷ୍ଠା କରାଯିବା ଉପରେ ସାଂସଦ ଗୁରୁତ୍ୱାରୋପ କରିଥିଲେ। ଏହା ସହ ଜିଲ୍ଲା ତଥା ଜାତୀୟ ପ୍ରତିଯୋଗିତା ଜିତୁଥିବା ଦଳ ଏବଂ ଜାତୀୟ ଦଳରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ।