ନୂଆଦିଲ୍ଲୀ: ସପ୍ତାହକ ତଳର ଘଟଣା ହୋଇଥିଲେ ମଧ୍ୟ ଏହା ବିବାଦଠାରୁ ଦୂରେଇ ରହିପାରୁନି। ଅକ୍ଟୋବର ୧୪ ତାରିଖରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ୱିକେଟରକ୍ଷକ ବ୍ୟାଟର୍‌ ମହମ୍ମଦ ରିଜୱାନ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ପରେ ପଡ଼ିଆ ଭିତରେ ନମାଜ ପାଠ କରି ଆଲ୍ଲାଙ୍କୁ କୃତଜ୍ଞତା ଜଣାଇଥି‌ଲେ। ମ୍ୟାଚ୍‌ ପରେ କିନ୍ତୁ ସେ ପ୍ୟାଭିଲିଅନ୍ ଫେରୁଥିବାବେଳେ କିଛି ଦର୍ଶକ ତାଙ୍କୁ ଚିଡ଼ାଇବାକୁ ‘ଜୟ ଶ୍ରୀରାମ ଜୟ ଶ୍ରୀରାମ’ ଚିତ୍କାର କରିଥିଲେ। ଏହି ଘଟଣାକୁ ନେଇ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଆଇସିସି ନିକଟରେ ଫେରାଦ ହୋଇଛି। ଦର୍ଶକଙ୍କ ଆଚରଣ ସହିତ ପାକିସ୍ତାନ ପ୍ରଶଂସକ ଓ ଗଣମାଧ୍ୟମ ବ୍ୟକ୍ତିଙ୍କୁ ଅଦ୍ୟାବଧି ଭିସା ନ ମିଳିବାକୁ ମଧ୍ୟ ପିସିବି ଅନ୍ୟତମ ପ୍ରସଙ୍ଗ କରିଛି।

Advertisment

ଭାରତ ବିପକ୍ଷରେ ଅଭିଯୋଗକୁ କିନ୍ତୁ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ଦାନିଶ କାନେରିଆ ସହଜରେ ଗ୍ରହଣ କରିପାରିନାହାନ୍ତି। କିଏ କହିଲା ପଡ଼ିଆ ଭିତରେ ନମାଜ ପାଠ କରିବାକୁ ଏବଂ ପାକିସ୍ତାନୀ ସାମ୍ବାଦିକ ଜୈନାବ ଆବାସଙ୍କୁ ଭାରତ ଓ ହିନ୍ଦୁଙ୍କ ବିରୋଧରେ କହିବାକୁ। ଅନେକ ଭୁଲ ନିଜ ପଟେ ଥିଲେ ମଧ୍ୟ ସେସବୁ ନ ଦେଖି ଭାରତ ବିରୋଧରେ ଅଭିଯୋଗ କରିବା ଅଯୌକ୍ତିକ ବୋଲି କାନେରିଆ ପ୍ରକାଶ କରିଛନ୍ତି। ଭାରତ-ପାକିସ୍ତାନ ମ୍ୟାଚ୍‌ ପରେ ମଧ୍ୟ ପାକିସ୍ତାନ ଦଳ ନିର୍ଦେଶକ ମିକି ଆର୍ଥର ଅଭିଯୋଗ କରି କହିଥିଲେ ‘ମୋତେ ଥରେ ବି ଦିଲ୍‌ ଦିଲ୍ ପାକିସ୍ତାନ ଶୁଭିଲା ନାହିଁ। ଏହା ଏକ ଆଇସିସି ଇଭେଣ୍ଟ ଭଳି ନୁ‌ହେଁ, ବିସିସିଆଇ ଇଭେଣ୍ଟ୍ ଭଳି ଲାଗୁଛି’। ଅନ୍ୟ ଏକ ଖବରରୁ ଜଣାପଡ଼ିଛି ପଡ଼ିଆରେ ନମାଜ ପାଠ କରିଥିବାରୁ ସୁପ୍ରିମକୋର୍ଟର ଜଣେ ଓକିଲ ଭିନୀତ ଜିନ୍ଦଲ ଆଇସିସି ନିକଟରେ ଅଭିଯୋଗ କରିଛନ୍ତି। ଏହା ଖେଳ ଭାବନ‌ା ବିରୋଧୀ କାର୍ଯ୍ୟ ବୋଲି ସେ ଆଇସିସିକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି।