କାନପୁର ଟେଷ୍ଟ: ଆୟର, ସାହା ଦେଲେ ବିଜୟ ସୁଯୋଗ

ବିଜୟ ଲକ୍ଷ୍ୟ ୨୮୪, ନ୍ୟୁଜିଲାଣ୍ଡ୍‌ ୪/୧

କାନପୁର : ଶ୍ରେୟସ ଆୟରଙ୍କ ଉଭୟ ପାଳି ଚମକ ସହିତ ଋଦ୍ଧିମାନ ସାହାଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭାରତ କାନପୁର ଟେଷ୍ଟ୍‌ରେ ବିଜୟ ସମ୍ଭାବନା ସୃଷ୍ଟି କରିଛି। ନ୍ୟୁଜିଲାଣ୍ଡ୍‌ ସମ୍ମୁଖରେ ଭାରତୀୟ ଦଳ ୨୮୪ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଭ୍ରମଣକାରୀ କେନ୍‌ ୱିଲିୟମସନ୍‌ଙ୍କ ଦଳ କିନ୍ତୁ ରବିବାର ଚତୁର୍ଥ ଦିନରେ ଖେଳିଥିବା ୪ ଓଭରରେ ୪ ରନ୍‌ କରି ୱିଲ୍ ୟଙ୍ଗଙ୍କ ୱିକେଟ୍ ହରାଇଛି। ଚତୁର୍ଥ ଦିନ ‌ଷ୍ଟମ୍ପ୍ସ ବେଳକୁ ଟମ୍ ଲଥାମ ଏବଂ ନାଇଟ୍‌ ୱାଚମ୍ୟାନ୍‌ ୱିଲିୟମ୍‌ ସୋମରଭିଲ୍ଲେ ଅପରାଜିତ ଥିଲେ। ଏକମାତ୍ର ୱିକେଟ୍‌ଟି ରବିଚନ୍ଦ୍ରନ ଅଶ୍ବିନ୍‌ ନେଇଛନ୍ତି। ନିର୍ଧାରିତ ୧୫ ସେକେଣ୍ଡ୍‌ ମଧ୍ୟରେ ରିଭ୍ୟୁ ନିଷ୍ପତ୍ତି ନେବାରେ ବିଳମ୍ବ କରିବାରୁ ୟଙ୍ଗ ନିରାଶ ହୋଇଛନ୍ତି। ବଲ୍‌ ଟ୍ରାକରରେ ସେ ଆଉଟ୍ ନ ଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ପ୍ୟାଭିଲିଅନ୍‌କୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଦୁଇ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହେବାକୁ ସୋମବାର ଭାରତକୁ ୯ ୱିକେଟ୍‌ ଓ ନ୍ୟୁଜିଲାଣ୍ଡ୍‌କୁ ଆଉ ୨୮୦ ରନ୍‌ ଆବଶ୍ୟକ।

ଭାରତ ରବିବାର ସକାଳେ ୧୪/୧ରୁ ଖେଳ ଆରମ୍ଭ କରିଥିବା ବେଳେ ଏକଦା ୫୧ ରନ୍‌ ବେଳକୁ ୫ ୱିକେଟ୍ ହରାଇ ଦେଇଥିଲା। ମୟଙ୍କ ଅଗ୍ରୱାଲ୍‌ ଓ ରବୀନ୍ଦ୍ର ଜାଦେଜାଙ୍କୁ ଟିମ୍ ସାଉଦି ଏବଂ ପୂଜାରାଙ୍କୁ ଜାମିସନ୍‌ ଆଉଟ୍ କରିଥିଲେ। ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ସ୍ପିନର୍‌ ଏଜାଜ ପଟେଲ୍‌ ଏଲବିଡବ୍‌ଲ୍ୟୁ କରି ଦେଇଥିଲେ। ଏହି ସମୟରେ ଶ୍ରେୟସ ଆୟର ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ିଥିଲେ। ଆର୍ ଅଶ୍ବିନ (୩୨, ୬୨ ବଲ୍‌)ଙ୍କୁ ସାଥୀ କରି ଷଷ୍ଠ ୱିକେଟ୍‌ ଲାଗି ୫୨ ରନ୍‌ ଏବଂ ଋଦ୍ଧିମାନ ସାହା (୬୧*, ୧୨୬ ବଲ୍‌)ଙ୍କ ସହ ମିଶି ସପ୍ତମ ୱିକେଟ୍‌ ପାଇଁ ୬୪ ରନ୍‌ ଯୋଡ଼ିଥିଲେ। ଶେଷକୁ ଋଦ୍ଧିମାନ ସାହା ଏବଂ ଅକ୍ଷର ପଟେଲ୍‌ ଅତୁଟ ଅଷ୍ଟମ ୱିକେଟ୍ ପାଇଁ ୬୭* ରନ୍‌ ଯୋଡ଼ିଥିବା ବେଳେ ରାହାଣେ ପାଳି ଘୋଷଣା (୨୩୪/୭) କରି ଦେଇଥିଲେ।

ପଦାର୍ପଣରେ ଶତକ-ଅର୍ଦ୍ଧଶତକ: ଆୟର ପ୍ରଥମ ଭାରତୀୟ
ପଦାର୍ପଣ ଟେଷ୍ଟ୍‌ରେ ଶତକ (୧୦୫) ଓ ଅର୍ଦ୍ଧଶତକ (୬୫) ହାସଲ କରିବାରେ ଶ୍ରେୟସ ଆୟର ପ୍ରଥମ ଭାରତୀୟ ଏବଂ ବିଶ୍ବର ତୃତୀୟ କ୍ରିକେଟର୍‌ ହୋଇଛନ୍ତି। ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ର ଗର୍ଡନ ଗ୍ରିନିଜ୍ ଏବଂ ଇଂଲଣ୍ଡର ଆଲେଷ୍ଟର୍ କୁକ୍ ଏଭଳି କରିପାରିଥିଲେ। ସେହିଭଳି ଲାଲା ଅମରନାଥ ଏବଂ ଦିଲାୱାର ‌ହୁସେନଙ୍କ ପରେ ପଦାର୍ପଣର ଉଭୟ ପାଳିରେ ଦଳର ସର୍ବାଧିକ ବ୍ୟକ୍ତିଗତ ରନ୍‌ କରିବାରେ ମଧ୍ୟ ଆୟର୍ ତୃତୀୟ ଭାରତୀୟ ହୋଇଛନ୍ତି। ଚଳିତ ବର୍ଷ ମହିଳା କ୍ରିକେଟ୍‌ରେ ମଧ୍ୟ ଶେଫାଳି ବର୍ମା ଇଂଲଣ୍ଡରେ ଏଭଳି କରି ଦେଖାଇଥିଲେ।

ପୂର୍ବରୁ ୧୬ତମ ଭାରତୀୟ ଭାବେ ଆୟର ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ। ପଦାର୍ପଣ ଟେଷ୍ଟରେ ମୋଟ ୧୭୦ ରନ୍‌ ସଂଗ୍ରହ କରି ଆୟର କିନ୍ତୁ ଭାରତୀୟଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୧୨ରେ ଅଷ୍ଟ୍ରେଲିଆ ବିପକ୍ଷ ମୋହାଲି ଟେଷ୍ଟ୍‌ରେ ଶିଖର ଧାୱନ (୧୮୭) ଏବଂ ୨୦୧୩ରେ କୋଲ୍‌କାତାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ରୋହିତ ଶର୍ମା (୧୭୭)ଙ୍କ ଶତକୀୟ ପାଳି ପ୍ରଥମ ଦୁଇ ସ୍ଥାନରେ ରହିଛି।

ଭାରତରେ ସର୍ବୋଚ୍ଚ ସଫଳ ପଶ୍ଚାତଧାବନ ୨୭୬
ଭାରତ ମାଟିରେ କୌଣସି ଭ୍ରମଣକାରୀ ଦଳ ଚତୁର୍ଥ ପାଳିରେ ୨୭୬ରୁ ଅଧିକ ରନ୍ କରି ମ୍ୟାଚ୍‌ ଜିତିନାହିଁ। ୧୯୮୭ରେ ନୂଆଦିଲ୍ଲୀର ଫିରୋଜ ସାହ କୋଟଲାରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ୨୭୬ ରନ୍‌ ପଶ୍ଚାତଧାବନ କରି ବିଜୟୀ‌ ହେବା ଆଜିଯାଏ ଶୀର୍ଷରେ ରହିଛି। ଏବେ ନ୍ୟୁଜିଲାଣ୍ଡ୍‌ ସମ୍ମୁଖରେ ୨୮୪ ରନ୍‌ ଲକ୍ଷ୍ୟ ଥିବାରୁ କେନ୍‌ ୱିଲିୟମସନ୍‌ଙ୍କ ଦଳ ପାଇଁ ଆହ୍ବାନ ରହିବ। ଟେଷ୍ଟ୍ କ୍ରିକେଟ୍‌ ଇତିହାସରେ ନ୍ୟୁଜିଲାଣ୍ଡ୍‌ର ଶ୍ରେଷ୍ଠ ୩ ପଶ୍ଚାତଧାବନ ବିଜୟ ହେଉଛି ୩୨୪ (ବନାମ ପାକିସ୍ତାନ, ଖ୍ରୀଷ୍ଟଚର୍ଚ୍ଚ, ୧୯୯୩-୯୪), ୩୧୭ (ବନାମ ବାଂଲାଦେଶ, ଚିଟାଗଙ୍ଗ, ୨୦୦୮-୦୯) ଏବଂ ୨୭୮ (ବନାମ ପାକିସ୍ତାନ, ଡୁନେଡିନ୍‌, ୧୯୮୪-୯୮୫)।

ଭଜିଙ୍କ ସମକକ୍ଷ ହେଲେ ଅଶ୍ବିନ
ଅଗ୍ରଣୀ ଟେଷ୍ଟ୍ ୱିକେଟ୍ ଦଖଲ ତାଲିକାରେ ଶନିବାର ପାକିସ୍ତାନର ୱାସିମ୍ ଆକ୍ରମ (୪୧୪)ଙ୍କୁ ଅତିକ୍ରମ କରିଥିବା ରବିଚନ୍ଦ୍ରନ ଆଶ୍ବିନ୍‌ ରବିବାର ପୂର୍ବତନ ଭାରତୀୟ ସ୍ପିନର୍‌ ହରଭଜନ ସିଂହ (୪୧୭)ଙ୍କ ସମକକ୍ଷ ହୋଇଛନ୍ତି। ନ୍ୟୁଜିଲାଣ୍ଡ୍‌ ଓପନର୍‌ ୱିଲ୍ ୟଙ୍ଗ୍‌ଙ୍କୁ ଏଲବିଡବ୍‌ଲ୍ୟୁ କରି ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଭାରତୀୟ ଟେଷ୍ଟ୍‌ ୱିକେଟ୍‌ ତାଲିକାରେ ଅନିଲ କୁମ୍ବଲେ (୬୧୯), କପିଳ ଦେବ (୪୩୪)ଙ୍କ ପରେ ଏବେ ଭଜି ଓ ଅଶ୍ବିନ୍‌ ମିଳିତ ତୃତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର